ବିଷମକଟକ/ଗୁଣପୁର ୨୩।୨(ପ୍ରସନ୍ନ କୁମାର ପଣ୍ଡା/ ସଂକେତ ପାତ୍ର): ରାୟଗଡ଼ା ଜିଲା ବିଷମକଟକ ବ୍ଲକ କୁମାର ଢାମୁଣୀ ନିକଟରେ ସୋମବାର ଏକ ଆମ୍ବୁଲାନ୍ସ ଧକ୍କାରେ ଜଣେ ଆରଏମ୍ସି କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପୁରୁଣା ଗୁଣପୁର ବ୍ରାହ୍ମଣ ସାହିର ପିତବାସ ରାଜୁ (୫୭)। ସେ ଆରଏମ୍ସିରେ ୟାର୍ଡମ୍ୟାନ ଭାବେ କାର୍ଯ୍ୟରତ ଥିଲେ।
କାର୍ଯ୍ୟ ସାରି ସେ ବାଇକ୍ ଯୋଗେ ନିଜ ଘର ଗୁଣପୁରକୁ ଯାଉଥିବା ବେଳେ କୁମାର ଢାମୁଣୀ ନିକଟରେ ଦୁର୍ଗୀ ଆଡୁ ଆସୁଥିବା ଏକ ଆମ୍ବୁଲାନ୍ସ ତାଙ୍କୁ ଧକ୍କା ଦେଇଥିଲା। ବିଷମକଟକ ପୋଲିସ ଖବରପାଇ ଗୁରୁତର ଅବସ୍ଥାରେ ପୀତବାସଙ୍କୁ ଉଦ୍ଧାର କରି ବିଷମକଟକ ଖ୍ରୀଷ୍ଟିଆନ ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହ ବ୍ୟବଚ୍ଛେଦ କରିବା ପାଇଁ ବିଳମ୍ବ ହେବାରୁ ଗୁଣପୁର ଉପଜିଲାପାଳ ଅଭିଷେକ ଦିଲୀପ ଦୁଧାଲ ମେଡିକାଲରେ ପହଞ୍ଚି ଡାକ୍ତରଙ୍କ ସହିତ ଆଲେଚନା ପରେ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବିଷମକଟକ ଥାନା ଅଧିକାରୀ ସମର୍ପିତ ସ୍ବାଇଁ ସୂଚନା ଦେଇଛନ୍ତି।
ଖବରପାଇ ନିୟନ୍ତ୍ରଣ ବଜାର କମିଟି ସମସ୍ତ କର୍ମଚାରୀ ମେଡିକାଲ ପହଞ୍ଚିଥିଲେ। ପିତବାସଙ୍କ ମୃତ୍ୟୁକୁ ନେଇ ଗୁଣୁପୁର ସହରରେ ଶୋକର ଛାୟା ଖେଳିଯାଇଛି।

