Posted inଫୁରସତ

ବିସ୍ମୟ ମଣିଷ

କୁହାଯାଏ ଈଶ୍ୱରଙ୍କ ସର୍ବଶ୍ରେଷ୍ଠ ସୃଷ୍ଟି ହେଉଛି ମଣିଷ। ତା’ ମଧ୍ୟରେ ଭରି ରହିଥାଏ ଅସୀମ ଶକ୍ତି। ହେଲେ ଅନେକ ସମୟରେ ସେ ଅଜ୍ଞ ଥାଏ ନିଜ ଭିତରର ସେଇ ଶକ୍ତି ସମ୍ପର୍କରେ। ଯେବେ ସେ ନିଜର ସେଇ ସୁପ୍ତ ଶକ୍ତିକୁ ଅନୁଭବ କରେ ଓ ତାକୁ ଜାଗ୍ରତ କରିବାରେ ସମର୍ଥ ହୁଏ, ସେବେ ଯାଇ ସେ ଅସମ୍ଭବକୁ ବି ସମ୍ଭବ କରିପାରେ। ଆଉ ସମସ୍ତେ ତାଙ୍କୁ କହନ୍ତି ବିସ୍ମୟ ମଣିଷ ବୋଲି…

ଆଖି ବନ୍ଦ ଥାଇ ବି ଦେଖିପାରନ୍ତି ଓ୍ବଣ୍ଡରଗର୍ଲ ସୋନାଲିସା: ଆଖି ଖୋଲା ଥାଇ ବି ଆମେ ବେଳେବେଳେ ଯେଉଁ କାମ କରି ପାରୁନା ସେ କାମକୁ ସେ ଆଖିରେ ପଟି ବାନ୍ଧି କରିପାରନ୍ତି। ଯେକୌଣସି କାଗଜରେ ଲେଖାଯାଇଥିବା ବିଷୟକୁ ପଢିବାଠାରୁ ଆରମ୍ଭ କରି ସିଡି ଚଢିବା, ରୋଷେଇ କରିବା, ଏମିତିକି ସାଇକେଲ ବି ସେ ଆଖିରେ ପଟି ବାନ୍ଧି ବେଶ୍‌ ଆରାମରେ ଚଲାଇପାରନ୍ତି। ତା’ସହ ତାଙ୍କ ସମ୍ମୁଖରେ ଯଦି ହାତ ଆଙ୍ଗୁଳିରେ କିଛି ଇସାରା କରିବେ ତାହା ବି ସେ ଜାଣିପାରନ୍ତି ା ତାଙ୍କର ଏଭଳି ପ୍ରତିଭାକୁ ଦେଖି ଅନେକେ କହନ୍ତି ଏହା ଭଗବାନଙ୍କ କୃପା। ହେଲେ ପ୍ରକୃତରେ ଏହା କେବଳ ତାଙ୍କ ନିଷ୍ଠା ପାଇଁ ସମ୍ଭବ ହେଇଛି। ସେ ହେଲେ କେନ୍ଦୁଝର ଜିଲାର ଚମ୍ପୁଆ ବ୍ଲକ ଭଣ୍ଡା ଗ୍ରାମ ନିକଟ ରଙ୍ଗାମାଟିଆ ପଞ୍ଚାୟତ ବାଙ୍କିଆ ଗ୍ରାମର ସୋନାଲିସା ମହାନ୍ତ। ବୟସ ସିନା କମ୍‌, ହେଲେ କାମ ତାଙ୍କର ଏମିତି ଯେ ବଡ଼ ବଡ଼ ଲୋକ ବି ତାଙ୍କ ପ୍ରତିଭାକୁ ସମ୍ମାନ ଓ ପ୍ରଶଂସା ନ କରି ରହିପାରନ୍ତି ନାହିଁ। ସୋନାଲିସା କୁହନ୍ତି, ‘ମାତ୍ର ୧୦ ବର୍ଷ ବୟସର ହୋଇଥିବାବେଳେ ମୁଁ ୟୁ ଟ୍ୟୁବ୍‌ରେ ଏକ ଭିଡିଓ ଦେଖିଥିଲି। ଯେଉଁଥିରେ ଜଣେ ବିଦେଶୀ ଝିଅ ଆଖିରେ ପଟି ବାନ୍ଧି ବିଭିନ୍ନ ରଙ୍ଗର ବଲ୍‌କୁ କେବଳ ସ୍ପର୍ଶ କରି କେଉଁ ରଙ୍ଗର କହିପାରୁଥିଲେ। ଏହି ବିଦ୍ୟା ଦେଖି ସେମିତି କରିବାକୁ ମୋର ବି ଇଚ୍ଛା ହୋଇଥିଲା। ତା’ସହ ଶୁଣିଥିଲି ମଣିଷର ତୃତୀୟ ନୟନ ଥାଏ, ଯାହାକୁ ସକ୍ରିୟ କଲେ ଏଭଳି ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇପାରିବ। ତେଣୁ ଟିଭି/ମୋବାଇଲ ଦେଖି ଯୋଗ ଓ ମେଡିଟେଶନ କରି ବାହ୍ୟଜଗତକୁ ଭୁଲି ମନକୁ ନିୟନ୍ତ୍ରଣ କରିବା ଅଭ୍ୟାସ କଲି। ତା’ସହ ବ୍ରେନ୍‌ ଡେଭଲପମେଣ୍ଟ ପାଇଁ ଏକ ତାଲିମ ବି ନେଲି। ଏଥିରେ ମୋ ବାପା ପ୍ରଦୀପ କୁମାର ମହାନ୍ତ ଯେକି ଖଣି ସଂସ୍ଥାରେ ଲୋଡର ଅପରେଟର ଭାବରେ କାମକରନ୍ତି ଏବଂ ମା’ କବିତା ମହାନ୍ତ ମୋତେ ବହୁତ ସହଯୋଗ କରିଥିଲେ। ଧୀରେ ଧୀରେ ମୋର ମନକୁ ନିୟନ୍ତ୍ରଣ କରିବାର ଶକ୍ତି ଆସିଲା। ଆଉ ଆଖି ବନ୍ଦ କରି ସାମ୍‌ନାରେ ଥିବା ଆଙ୍ଗୁଳିର ଠାରକୁ ଜାଣି ପାରିଲି। ନିରନ୍ତର ପ୍ରୟାସ ଓ ନିଷ୍ଠା ରଖି ଏକାଗ୍ରତା ବଢ଼ାଇ ସାଇକେଲ ବି ଚଳାଇପାରିଲି। ୨୦୧୫ ମସିହା ବେଳକୁ ପ୍ରଥମେ ଘରେ ପରିବାର ଲୋକଙ୍କ ସାମ୍‌ନାରେ ଓ ପରେ ସ୍କୁଲରେ ସାଙ୍ଗସାଥୀମାନଙ୍କ ଆଗରେ ମୋ ପ୍ରତିଭାକୁ ପ୍ରଦର୍ଶିତ କଲି। ସମସ୍ତେ ମୋତେ ବହୁତ ପ୍ରଶଂସା କରିଥିଲେ। ଏହାପରେ ଷ୍ଟେଜ୍‌ରେ ଲୋକଙ୍କ ସାମ୍ନାରେ ଶୋ’ କରିବାକୁ ଭାବିଲି। ଆଖିରେ ତୁଳା ଓ ତା’ଉପରେ କପଡା ବାନ୍ଧି ଏହି କଳାକୁ ମୁଁ ଶହ ଶହ ଲୋକଙ୍କ ସାମ୍‌ନାରେ ପ୍ରଦର୍ଶିତ କରି ବହୁତ ପ୍ରଶଂସା ଓ ପ୍ରୋତ୍ସାହନ ପାଇଲି। କେନ୍ଦୁଝର ବ୍ୟତୀତ ପଡ଼ୋଶୀ ଦେବଗଡ଼, ମୟୂରଭଞ୍ଜ ଜିଲାକୁ ଯାଇ ବି ମୁଁ ମୋ କଳାକୁ ପ୍ରଦର୍ଶିତ କରିଛି ା ଇଚ୍ଛା ଅଛି ଏକାଗ୍ରତାକୁ ଆହୁରି ବଢ଼ାଇ ଏତେ ସୁଦୃଢ଼ କରିବି ଯେମିତିକି ଆଖି ବନ୍ଦ ଥାଇ ବି ଦୂର ଦୂରାନ୍ତର ସ୍ଥାନ ସହ ସମ୍ପର୍କ ରଖିପାରିବି। ମୁଁ ଆଖିରେ ପଟି ବାନ୍ଧି ୪ କି.ମି. ପର୍ଯ୍ୟନ୍ତ ସାଇକେଲ ଚଲାଇପାରେ। ଜନଗହଳିପୂର୍ଣ୍ଣ ଚମ୍ପୁଆ ସହରରେ ବି ମୁଁ ସାଇକେଲ ଚଲାଇଛି। ୫୦-୧୦୦ ସେ.ମି. ପର୍ଯ୍ୟନ୍ତ ଦୂରତାରେ ଥିବା ଜିନିଷକୁ ମୁଁ ଆଖିବନ୍ଧା ଥାଇ ବି କ୍ଲିୟର ଦେଖିପାରେ। ୟା’ଠୁ ଦୂର ହେଲେ ଝାପ୍‌ସା ଦେଖାଯାଏ। ତେଣୁ ମୁଁ ମୋର ଏକାଗ୍ରତାକୁ ଅଧିକରୁ ଅଧିକ ବଢ଼ାଇବାକୁ ଚେଷ୍ଟା କରୁଛି। ଏଥିପାଇଁ ସବୁଦିନ ସକାଳୁ ଉଠି ଅଭ୍ୟାସ କରୁଛି।’ ସୋନାଲିସା ସ୍ଥାନୀୟ ଆଦର୍ଶ ବିଦ୍ୟାଳୟର ଛାତ୍ରୀ। ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇ ସେ ୯୫.୨ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ା ଏହି କଳା ବାଦ୍‌ ସେ ନୃତ୍ୟ, ଅଭିନୟ, ମେଡେଲିଂ, ଆଙ୍କରିଂ, ଡ୍ରଇଂ, କୁକିଂ, ଗାର୍ଡେନିଂ ଆଦିରେ ବି ସଉକ ରଖନ୍ତି ା ବଡ଼ ହୋଇ ପ୍ରଶାସନିକ ସେବାରେ ଯୋଗଦେବା ସହ ପ୍ରଥମେ ଜଣେ ଭଲ ମଣିଷ ହେବାକୁ ଆଶା ରଖିଛନ୍ତି। ଏହାବାଦ୍‌ ନିକଟରେ ସେ ଏକ ଘରୋଇ ଟିଭି ଚାନେଲର ରଜ କୁଇନ ପ୍ରତିଯୋଗିତାରେ ଦ୍ୱିତୀୟ ରାଉଣ୍ଡ ପର୍ଯ୍ୟନ୍ତ ସିଲେକ୍ଟ ହୋଇଛନ୍ତି।
ପାଟିରେ କଳା ପ୍ରଦର୍ଶନ କରି ପାଇଛନ୍ତି ପରିଚୟ: ପିଲାଟି ଦିନରୁ କିଛି ଭିନ୍ନ କରିବାର ଇଛା ଥିଲା। ଆଉ ଯେବେ ଟିଭିରେ ବିଭିନ୍ନ ବ୍ୟକ୍ତିଙ୍କ ନିଆରା ରେକର୍ଡ ଦେଖିଲେ ନିଷ୍ପତ୍ତି ନେଲେ ସେ ବି ଦିନେ ରେକର୍ଡ କରିବେ। ଏହାପରେ ସେ ଇଣ୍ଟରନେଟ ମାଧ୍ୟମରେ କେଉଁ କେଉଁ କ୍ଷେତ୍ରରେ ରେକର୍ଡ ହେଉଛି ଓ ସେସବୁକୁ କେମିତି ଭାଙ୍ଗି ହେବ ସେଥିପାଇଁ ଅଭ୍ୟାସ କଲେ। ସେ ହେଉଛନ୍ତି ଗଞ୍ଜାମ ଜିଲା ପୋଲସରା ବ୍ଲକ ଅନ୍ତର୍ଗତ ଭାବରଡ଼ା ଗ୍ରାମର ଭଗବାନ ମହାରଣା ଓ ଗୀତାଞ୍ଜଳି ମହାରଣାଙ୍କ ପୁଅ ମନୋଜ କୁମାର ମହାରଣା। ମନୋଜ କୁହନ୍ତି,‘ପ୍ରଥମେ ତ ସାଇକେଲରେ ବହୁ ଦୂର ଯାଇ ରେକର୍ଡ କରିବାକୁ ଭାବିଥିଲି। ହେଲେ କୌଣସି କାରଣରୁ ତାହା ସମ୍ଭବ ହୋଇ ନଥିଲା। ତେଣୁ ଅନ୍ୟ କୌଣସି କ୍ଷେତ୍ରରେ ରେକର୍ଡ କରିବାକୁ ଭାବିଲି। ଦଶମ ପଢିବାବେଳେ ୧ରୁ ୧୦୦ ପର୍ଯ୍ୟନ୍ତ ସଂଖ୍ୟାର ବର୍ଗଫଳ ବାହାର କରିବାର ସହଜ ସୂତ୍ର ନିଜେ ବାହାର କରିଥିଲି। ତେଣୁ ଗ୍ରାଜୁଏଶନ୍‌ କରିବାବେଳେ ଭାବିଲି ୧ରୁ ୧୦୦୦ ପର୍ଯ୍ୟନ୍ତ ସଂଖ୍ୟାର ବର୍ଗଫଳ କମ୍‌ ସମୟରେ ଲେଖି ଗିନିଜ ରେକର୍ଡ କରିବି। ସେଥିପାଇଁ ଅଭ୍ୟାସ ବି କଲି। ଅଭ୍ୟାସ ହୋଇଗଲା ପରେ ଏକ ଭିଡିଓ କରି ଗିନିଜ ୱାଲର୍‌ଡ ରେକର୍ଡକୁ ପଠାଇଥିଲି। କିନ୍ତୁ ଗିନିଜ ପକ୍ଷରୁ କୌଣସି ଉତ୍ତର ମିଳି ନ ଥିଲା। ଏଥିରେ ହାର ନ ମାନି ପାଟି ମାଧ୍ୟମରେ ରେକର୍ଡ, ଅର୍ଥାତ୍‌ ପାଟିରେ କେମିତି ଅଧିକରୁ
ରଖିବା ଲାଗି ଅଭ୍ୟାସ କଲି। ପ୍ରଥମେ ବହୁ ସଂଖ୍ୟକ ପ୍ଲାଷ୍ଟିକ ଷ୍ଟ୍ର ରଖିବା ପାଇଁ ପାଠପଢ଼ାରୁ କିଛି ସମୟ ବାହାର କରି ଅଭ୍ୟାସ କଲି। ୨୦୧୭ ଅଗଷ୍ଟ ୨୮ ତାରିଖରେ ବ୍ରହ୍ମପୁର ଟାଉନ ହଲ୍‌ଠାରେ ଲୋକଙ୍କ ସମ୍ମୁଖରେ ପାଟିରେ ୪୫୯ଟି ପ୍ଲାଷ୍ଟିକ ଷ୍ଟ୍ର ରଖିବାରେ ସଫଳ ହେଲି। ତା’ସହ ସେହି ଷ୍ଟ୍ରଗୁଡିକୁ ନ ଛୁଇଁ ୧୦ ସେକେଣ୍ଡ ଯାଏ ସେସବୁକୁ ପାଟିରେ ରଖିଲି। ଏହାର ଭିଡିଓକୁ ଗିନିଜ ରେକର୍ଡ ପାଇଁ ପଠାଇଥିଲି। ସେହି ବର୍ଷ ଡିସେମ୍ବର ୪ ତାରିଖରେ ମୁଁ ଗିନିଜ ରେକର୍ଡ କରିଥିବା ନେଇ ଗିନିଜ୍‌ର ସମସ୍ତ ପ୍ରମାଣ ପତ୍ର ଆସିଲା। ଲଣ୍ଡନର ସାଇମନ ଏଲମୋରଙ୍କ ରେକର୍ଡକୁ ଭାଙ୍ଗି ମୁଁ ନୂଆ ରେକର୍ଡ କରିଥିଲି। ସାଇମନ ୨୦୦୯ରେ ୪୦୦ଟି ଷ୍ଟ୍ର ପାଟିରେ ରଖି ଗିନିଜ ୱାଲର୍‌ଡ ରେକର୍ଡସ୍‌ରେ ସ୍ଥାନ ପାଇଥିଲେ। ପ୍ରଥମ ସଫଳତା ପରେ ମୁଁ ପାଟିରେ ୨୧ଟି ଜଳନ୍ତା ମହମବତି ରଖି ୨୦୧୭ରେ ହିଁ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଲି। ପୁଣି ଥରେ ସେହି ବର୍ଷ ପାଟିରେ ୨୬୫ଟି ତାସ କାର୍ଡ ରଖି ରେକର୍ଡ ସେଟର ବୁକ୍‌ ଅଫ୍‌ ୱାଲର୍‌ଡ ରେକର୍ଡ ଓ ଦ୍ରୁତ ଗତିରେ ଅକ୍ଷର ଲେଖିବା ନେଇ ରେକର୍ଡ ସେଟର ବୁକ୍‌ ଅଫ୍‌ ୱାଲର୍‌ଡ ରେକର୍ଡରେ ସ୍ଥାନ ପାଇଲି। ୨୦୧୮ ମସିହାରେ ପାଟିରେ ଟୁଥ୍‌ ପିକ୍‌କୁ ଗୋଟିଏ ମିନିଟରେ ୩୬ ଥର ବୁଲାଇ ଆଉ ଥରେ ଗିନିଜ ବୁକ୍‌ ଅଫ୍‌ ୱାଲର୍‌ଡ ରେକର୍ଡରେ ସ୍ଥାନ ପାଇବାରେ ସଫଳ ହେଲି। ଏହାପରେ ମୋ ମନରେ ଅନେକ ସଂଖ୍ୟକ ରେକର୍ଡ ହାସଲ କରିବାର ଆଶା ଦୃଢୀଭୂତ ହେଲା। ୨୦୧୯ ମସିହାରେ ମୁଁ ୧ରୁ ୨୦୦ ସଂଖ୍ୟାର ବର୍ଗ ଫଳ ୩.୨୦ମିନିଟ ମଧ୍ୟରେ କହି ୟୁନିଭର୍ସାଲ ବୁକ୍‌ ଅଫ୍‌ ରେକର୍ଡ, ୧ରୁ ୧୦୦ ସଂଖ୍ୟାର ବର୍ଗଫଳ ୬୮ ସେକେଣ୍ଡ ମଧ୍ୟରେ କହି ଏସିଆ ବୁକ୍‌ ଅଫ୍‌ ରେକର୍ଡ ଏବଂ ପାଟିରେ ୨୬୫ଟି ତାସ କାର୍ଡ ରଖି ୨୦୨୦-୨୨ରେ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡ ହାସଲ କରିବାରେ ସକ୍ଷମ ହେଲି। ଏହି ସଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ସମ୍ବର୍ଦ୍ଧିତ କରିଛନ୍ତି। ନିକଟରେ ମୋର ରେଲଓ୍ବେରେ ଆକାଉଣ୍ଟାଣ୍ଟ କ୍ଲର୍କଭାବେ ଚାକିରି ହୋଇଛି। ଚାକିରିରେ ଯୋଗ ଦେବାପରେ କାମ ସହ ରେକର୍ଡ କରିବାକୁ ଚେଷ୍ଟା କରିବି। ଏହାବାଦ୍‌ ମୁଁ ଲେଖାଲେଖି କରିବାକୁ ବି ଭଲ ପାଏ। ମୋର ଅନେକ ଗୀତକୁ ହ୍ୟୁମାନ ସାଗର, ମଣ୍ଟୁ ଛୁରିଆଙ୍କ ଭଳି ଓଡ଼ିଶାର ନାମୀଦାମୀ ଗାୟିକାଗାୟକ ଗାଇଛନ୍ତି। ମୋର ‘ଉଠ ଜଗନ୍ନାଥ’ ନାମକ ପୁସ୍ତକ ପ୍ରକାଶ ପାଇଛି,୨୫୦୦ରୁ ଊର୍ଦ୍ଧ୍ୱ କବିତା ବି ଲେଖିଛି। ଏହାବାଦ୍‌ ଗଛ ଲଗାଇ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକୃତି ବନ୍ଧୁ ପୁରସ୍କାର ମଧ୍ୟ ପାଇଛି। ତେବେ ମୋର ଇଚ୍ଛା ଅଧିକରୁ ଅଧିକ ଗିନିଜ ୱାଲର୍‌ଡ ରେକର୍ଡ କରି ଓଡ଼ିଶାର ନାଁକୁ ଗୌରବାନ୍ବିତ କରିବା। ତେଣୁ କିଛି ରେକର୍ଡ ପାଇଁ ଆବେଦନ ବି କରିଛି।
ପ୍ରୌଢ଼ଶିକ୍ଷାରୁ ଲେଖିକା: ଜଗତ୍‌ସିଂହପୁର ଜିଲାସ୍ଥ ପାରାଦୀପର ନୂଆବଜାର, ଟ୍ରଲିପଡା ବସ୍ତିର ପରିଚିତ ନାମ ହେଲା ତିଳ ମାଉସୀ। ତେବେ ପୁରା ନାଁ ତାଙ୍କର ତିଳୋତ୍ତମା ପାତ୍ର। କଟକ ଜିଲ୍ଲା ଧବଳେଶ୍ୱର ନିକଟସ୍ଥ ଲିଙ୍ଗାପଡାରେ ତାଙ୍କ ଜନ୍ମ। ଆର୍ଥିକ ଅନଟନ ଲାଗି ସେ ଆଦୌ ପାଠ ପଢି ନ ଥିଲେ। ତେବେ ସେହି ଅ ଅକ୍ଷର ବିବର୍ଜିତା ତିଳୋତ୍ତମା, ବୟସର ଅପରାହ୍ନରେ ସୁଯୋଗ ପାଇଥିଲେ ପ୍ରୌଢ଼ ଶିକ୍ଷାରେ ଅଧ୍ୟୟନ କରିବାର। ଆଉ ସେଇ ସ୍ବଳ୍ପ ଶିକ୍ଷା ପାଇବା ପରେ ହିଁ ବଦଳିଗଲା ତାଙ୍କ ଜୀବନର ଗତିପଥ। ହାତର କଲମ ତାଙ୍କର ହେଲା ଅଧୀର। ଆଉ ସେ ଲେଖି ଚାଲିଲେ କେତେ ଯେ ଗୀତି କବିତା,ଜଣାଣ ଓ ଛାନ୍ଦ । ଅନେକ ପତ୍ର ପତ୍ରିକାରେ ପ୍ରକାଶ ପାଇଲା ତାଙ୍କ ଲେଖା। ଏହା ତାଙ୍କ ମନରେ ଏତେ ଉତ୍ସାହ ଭରିଦେଲା ଯେ, ନିଜର ପୁସ୍ତକ ବି ପ୍ରକାଶ କଲେ। ପରେ ସେ ଆଶାକର୍ମୀଭାବେ ବି ଚୟନ ହେଲେ। ବସ୍ତିର ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ବି ସେ କରୁଛନ୍ତି ନିରନ୍ତର ପ୍ରୟାସ। ତିଳୋତ୍ତମା କୁହନ୍ତି,‘ପିଲାଦିନେ ଘରର ଆର୍ଥିକସ୍ଥିତି ଏତେ ଖରାପ ଥିଲା ଯେ ପଢିବାର ସୁଯୋଗ ପାଇ ନ ଥିଲି। ୧୮ ବର୍ଷ ବୟସର ହୋଇଥିବାବେଳେ ମୋର ବିବାହ କାକଟପୁର ନୂଆପଡାର ବୈଷ୍ଣବ ପାତ୍ରଙ୍କ ସହ ହୋଇଗଲା। ୧୯୯୦ ମସିହାରେ ମୋ ସ୍ବାମୀ ପାରାଦୀପରେ ଟ୍ରଲି ଚଲାଇ ପରିବାରର ଗୁଜୁରାଣ ମେଣ୍ଟାଉଥିଲେ। ତାରି ଭିତରେ ମୋର ଦୁଇ ଝିଅ ଓ ଦୁଇ ପୁଅ ହେଲେ। ୧୯୯୨ର କଥା। ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ବନ୍ଦରାଞ୍ଚଳରେ ଥିବା ବୃଦ୍ଧାବୃଦ୍ଧଙ୍କ ପାଇଁ ପ୍ରୌଢ଼ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପାଠ ପଢିବାର ଇଚ୍ଛାଟି ମୋ ମନରେ ଉଙ୍କିମାରିଲା। ଆଉ ସେହି ପ୍ରୌଢ଼ଶିକ୍ଷା କେନ୍ଦ୍ରରେ ମୋର ପଢା ଆରମ୍ଭ ହେଲା। ସେତେବେଳେ ୩୦ ଜଣ ବୃଦ୍ଧାବୃଦ୍ଧ ଆସିଥିଲେ ପଢିବା ଲାଗି। ହେଲେ ସେମାନଙ୍କ ମଧ୍ୟରୁ ଅନେକେ ବିଭିନ୍ନ କାରଣ ପାଇଁ ଅଧାରୁ ପାଠ ଛାଡିଥିଲେ। କିନ୍ତୁ ମୁଁ ଓ ଆଉ ୫ ଜଣ ଲଗାତର ୩ ବର୍ଷ ପଢି ତୃତୀୟ ଭାଗ(ଶ୍ରେଣୀ)ଶେଷ କରିଥିଲୁ। ସେତେବେଳେ ମୁଁ ଜାଣିବାକୁ ପାଇଲି ପାରାଦୀପ ବନ୍ଦର ସାକ୍ଷରତା ସମିତିର ମାସିକ ପତ୍ରିକା ‘ସାକ୍ଷରଦୀପ’ ପ୍ରକାଶ ପାଉଛି। ମୋର ବି ଇଚ୍ଛା ହେଲା କିଛି ଲେଖିକି ଦେବି। ପ୍ରଥମକରି ଜଗନ୍ନାଥଙ୍କ ଜଣାଣଟିଏ ଲେଖିକି ଦେଇଥିଲି। ତାହା ପ୍ରକାଶ ବି ପାଇଲା। ସେତେବେଳେ ଏତେ ଖୁସି ଲାଗିଲା ଯେ, ଲେଖାଲେଖି କରିବାର ଇଚ୍ଛା ବଢିଗଲା। ଆଉ ଅନେକ ଗୀତିକବିତା, ଜଣାଣ, ଛାନ୍ଦ, ଲେଖି ଚାଲିଲି। ପତ୍ରପତ୍ରିକାରେ ଲେଖା ପ୍ରକାଶ ପାଇବା ପରେ ଇଚ୍ଛା ହେଲା ନିଜର ଏକ ବହି ପ୍ରକାଶ କରିବାକୁ। ଆଉ ସେ ସ୍ବପ୍ନ ବି ପୂରଣ ହେଲା। ଆଉ ନିଜସ୍ବ କବିତା ସଂକଳନ ‘ପ୍ରଥମ ଗୀତ’ ପ୍ରକାଶ ପାଇଲା। ଏହାପରେ ଛୋଟ ପିଲାଙ୍କ ପାଇଁ ଖେଳ କବିତା ‘ଟିକି ଚଢ଼େଇ’ ମଧ୍ୟ ପ୍ରକାଶ ପାଇଲା। ଏମିତି ଲେଖାଲେଖି କରିବା ଯୋଗୁ ବିଭିନ୍ନ ଅନୁଷ୍ଠାନ ମୋତେ ସମ୍ମାନିତ କଲେ। ୟା’ମଧ୍ୟରେ ୨୦ରୁ ଅଧିକ ମାନପତ୍ର ମୁଁ ପାଇସାରିଲିଣି। ବିଭିନ୍ନ ଖବର କାଗଜରେ ବି ମୋ ସମ୍ପର୍କରେ ଲେଖା ପ୍ରକାଶ ପାଇଲା। ଏହାପରେ ୨୦୧୦ରେ ମୋତେ ଆଶାକର୍ମୀ ଭାବେ ଚୟନ କରାଗଲା। ଏବେ ମୁଁ ସେହି କାମ କରୁଛି। ୨୦୧୮ରେ ମୁଁ ମାଟ୍ରିକ ପରୀକ୍ଷା ଦେଇଥିଲି। ଏବେ ମୁଁ ବଙ୍ଗଳା, ହିନ୍ଦୀ, ଇଂଲିଶ, ଓଡ଼ିଆ ଲେଖି ପଢି ପାରୁଛି। ଆଶାକର୍ମୀ ଖାତାରେ ବି ଲେଖୁଛି। ଶିକ୍ଷା ମୋତେ ଆଗକୁ ଯିବାର ବାଟ ଦେଖାଇଛି। ଯଦି ମୁଁ ପ୍ରୌଢ଼ଶିକ୍ଷା କେନ୍ଦ୍ରକୁ ଯାଇ ନ ଥାନ୍ତି ତେବେ ଆଜି ଯେଉଁ ସ୍ଥାନରେ ପହଞ୍ଚତ୍ଛି ତାହା କେବେ ସମ୍ଭବ ହୋଇ ନ ଥାନ୍ତା।
ଦୁଃସାହସିକ ଷ୍ଟଣ୍ଟ୍‌ କରି ବାଣ୍ଟନ୍ତି ସଚେତନତା ବାର୍ତ୍ତା: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ପଞ୍ଚାୟତ ଦଳବାହଡ ଗାଁର ମାନସ ମଲିକ। ସେ ବେଶ୍‌ ପରିଚିତ ଷ୍ଟଣ୍ଟ୍‌ମ୍ୟାନ୍‌ ଭାବେ। ତେବେ ମାନସ ଖାଲି ଷ୍ଟଣ୍ଟ୍‌ ଦେଖାନ୍ତି ନାହିଁ ବରଂ ଷ୍ଟଣ୍ଟ୍‌ ମାଧ୍ୟମରେ ସମାଜ ସଚେତନତାମୂଳକ ବାର୍ତ୍ତା ବାଣ୍ଟନ୍ତି। ତାଙ୍କ ମତରେ ଷ୍ଟଣ୍ଟ୍‌ ମାଧ୍ୟମରେ ଲୋକଙ୍କୁ ଆକୃଷ୍ଟ କରି ତାଙ୍କୁ ସୁବାର୍ତ୍ତା ଦେଲେ ତା’ର ପ୍ରଭାବ ବେଶି ପଡ଼େ। ସେଥିପାଇଁ ସେ ଦୁଇ ହାତ ଛାଡି, ବାଇକ ଉପରେ ଠିଆ ହୋଇ, ଶୋଇ, ବସି ବିଭିନ୍ନ ପ୍ରକାରର ଷ୍ଟଣ୍ଟ୍‌ କରି ସେ ସାରା ଓଡ଼ିଶା ବୁଲନ୍ତି ଓ ବାର୍ତ୍ତା ବାଣ୍ଟନ୍ତି। ମାନସ କୁହନ୍ତି,‘ ପିଲାଟି ଦିନରୁ ମୋର ଷ୍ଟଣ୍ଟ୍‌ ପ୍ରତି ଆଗ୍ରହ ଥିଲା। କଲେଜ ପଢିବାବେଳେ ଷ୍ଟଣ୍ଟ୍‌ କରିବାକୁ ଚେଷ୍ଟା କରୁଥିଲି। ୨୦୦୧ରେ ମୁଁ ପାରାଦୀପର ଏକ ଗ୍ୟାରେଜ୍‌ରେ ବାଇକ୍‌ ମେକାନିକ ଭାବେ କାମ କଲି। ଏହାପରଠାରୁ ଷ୍ଟଣ୍ଟ୍‌ କରିବା ପ୍ରତି ମୋର ମନ ବେଶି ବଳାଇଲା। ଆଉ ପ୍ରଥମେ ପାରାଦୀପରୁ ହିଁ ବାଇକ୍‌ ଉପରେ ଷ୍ଟଣ୍ଟ୍‌ କରି ଓଡ଼ିଶା ଭ୍ରମଣ ସହ ସମାଜ ସଚେତନତାମୂଳକ ବାର୍ତ୍ତା ବାଣ୍ଟିବା ଆରମ୍ଭ କରିଥିଲି। ବାଟରେ ପଡ଼ୁଥିବା ସବୁ ସ୍କୁଲ କଲେଜକୁ ଯାଇ ବି ଷ୍ଟଣ୍ଟ୍‌ ଦେଖାଇଥାଏ ଏବଂ କନ୍ୟାରତ୍ନ ସୁରକ୍ଷା, ବୃକ୍ଷରୋପଣ, ପ୍ଲାଷ୍ଟିକ ବର୍ଜନ, ନିଶା ବର୍ଜନ ପରି ବାର୍ତ୍ତା ବାଣ୍ଟେ। କାରଣ ପିଲାମାନେ ହିଁ ଭବିଷ୍ୟତ। ସେମାନଙ୍କୁ ଛୋଟବେଳୁ ସଚେତନ କରାଇବା ନିହାତି ଜରୁରୀ। ଏହାବାଦ ଜାନୁୟାରୀ ୨୬, ଅଗଷ୍ଟ ପନ୍ଦର, ଗାନ୍ଧୀ ଜୟନ୍ତୀ ଭଳି ସ୍ବତନ୍ତ୍ର ଦିବସ ଅବସରରେ ବି ମୁଁ ବାଇକ୍‌ରେ ବିଭିନ୍ନ ଷ୍ଟଣ୍ଟ୍‌ କରି ଓଡ଼ିଶା ଭ୍ରମଣ କରେ। ବାଇକ୍‌ରେ ଷ୍ଟଣ୍ଟ୍‌ କରି ମୁଁ ସର୍ବାଧିକ ୧୭୦୦ କି.ମି. ଯାତ୍ରା କରିଛି। ଏବେ ମୋର ନିଜର ଗ୍ୟାରେଜ ଅଛି। ତା’ସହ ମୁଁ ରାଜନୀତିରେ ସକ୍ରିୟ। ଚନ୍ଦନନଗର ପଞ୍ଚାୟତରେ ସମିତି ସଭ୍ୟ ଅଛି।
ପ୍ରତିଭା ତ ସମସ୍ତଙ୍କ ଭିତରେ ଥାଏ। ହେଲେ ତା’ର ବିକାଶ ହେବା ନିର୍ଭର କରେ ନିଜର ନିଷ୍ଠା ଓ ପରିଶ୍ରମ ଉପରେ। ଆଉ ଯେବେ ମଣିଷ ଏକାଗ୍ର ଚିତ୍ତରେ ହୃଦୟର ସହ କିଛି କରିବାକୁ ନିଷ୍ପତ୍ତି ନିଏ ଅସମ୍ଭବ ବି ସମ୍ଭବ ହୋଇଯାଏ। ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ଏଇ ମଣିଷମାନେ।

-ଶିବାନୀ ମହାନ୍ତି
ନରେଶ ଚନ୍ଦ୍ର ପଟ୍ଟନାୟକ, ସ୍ମୃତି ରଞ୍ଜନ ମହାଲିକ, ଶରତ କୁମାର ରାଉତ, ଭାସ୍କର ରାଉତରାୟ


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?