ନାଚଗୀତରେ ଉତ୍ସବମୁଖର ଅମାରଙ୍ଗ ଘାଟ

ଆନନ୍ଦପୁର,୩୧।୧୨(ସ୍ବ.ପ୍ର.): ଆଦିବାସୀ ସମ୍ପ୍ରଦାୟର ଦାମୋଦର ପର୍ବ ଶୁକ୍ରବାର ପାଳିତ ହୋଇଯାଇଛି। ଏନେଇ କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଧକୋଠା ଅମାରଙ୍ଗ ଘାଟ ଉତ୍ସବ ମୁଖରିତ ହୋଇଉଠିଛି। ପାରମ୍ପାରିକ ରୀତିନୀତି ଅନୁଯାୟୀ ପ୍ରତିବର୍ଷ ଡିସେମ୍ବର ମାସ ୩୦ ତାରିଖରେ ଏହି ଆଦିବାସୀ ସମ୍ପ୍ରଦାୟର ଲୋକମାନେ ପର୍ବ ପାଳନ କରନ୍ତି। ନିଜ ପରିବାରର ମୃତବ୍ୟକ୍ତିଙ୍କ ଅସ୍ଥି ବିସର୍ଜନ କରିବା ପାଇଁ ଦାମୋଦର ପିଣ୍ଡ ଉତ୍ସର୍ଗୀକୃତ ପରମ୍ପରା ବହୁଦିନରୁ ପ୍ରଚଳିତ ହୋଇଆସିଛି। ବୈତରଣୀ ନଦୀକୁ ଦ୍ୱିତୀୟ ଗଙ୍ଗା ଭାବେ ମନସ୍କାମନା କରି ନଦୀକୂଳରେ ପିଣ୍ଡ ଉତ୍ସର୍ଗ କରିଥାନ୍ତି।
ମୁକାମ୍‌ ମାର୍ଶାପାଳ ଅନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ହଜାରରୁ ଊର୍ଦ୍ଧ୍ୱ ସଂଖ୍ୟାରେ ଆଦିବାସୀମାନେ ଏକତ୍ରିତ ହୋଇ ଅମାରଙ୍ଗ ନଦୀଘଟରେ ଉପସ୍ଥିତ ରହି ମୃତଲୋକର ଅସ୍ଥିକୁ ରଖି ପୂଜାଅର୍ଚ୍ଚନା କରିଥିଲେ। ପ୍ରଥମେ ମାରାଙ୍ଗବୁରୁ ମନ୍ଦିରରେ ଥିବା ଯାହାରାୟ, ମଣେକ ଓ ଲିଟାଙ୍କୁ ପୂଜାଅର୍ଚ୍ଚନା କରିବା ପରେ ପାରମ୍ପାରିକ ନାଚ ଗୀତରେ ଶୋଭାଯାତ୍ରା ମାଧ୍ୟମରେ ନଦୀକୁ ଯାଇ ପିଣ୍ଡ ଉତ୍ସର୍ଗ କାର୍ଯ୍ୟ ସମ୍ପାଦନ କରିଥିଲେ। ପରେ ସମ୍ପୃକ୍ତ ଅସ୍ଥିକୁ ନଦୀରେ ବିସର୍ଜନ କରିବା ସହିତ ବୁଡ଼ ପକାଇଥିଲେ। ଏହି ସମୟରେ ସେମାନେ ଏକସ୍ବରରେ (ଦାଃ ଓ ତାଃ) ଦୁଃଖ ନିଅ ଓ ସୁଖ ଦିଅ ଆଦି ଉଚ୍ଚାରଣ କରିଥିଲେ। ଗୌଡ଼ସିଙ୍ଗା, କାସିବେଡ଼ା, ଖେଳିଆଟାପୁ, ଓସ୍ତପୁରା, ପୁୁରୁଣାପାଣି ପ୍ରଭୃତି ସହିତ ବାହାର ଜିଲାର ବିଭିନ୍ନ ଅଞ୍ଚଳରୁ ଆଦିବାସୀ ଲୋକମାନେ ଏକତ୍ରୀତ ହୋଇ ଜାଙ୍ଗ୍‌ ବାହା ଢୁପୁ (ବୁଡ଼) ପକାଇଥିଲେ। ସେହିପରି ଆନନ୍ଦପୁର ପୌରପରିଷଦ ୧୫ ନଂ. ଓ୍ବାର୍ଡ ଝାଡ଼େଶ୍ୱର ଘାଟରେ ମଧ୍ୟ ଦାମୋଦର ପର୍ବ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଦିବାସୀ ପାରମ୍ପାରିକ ପୋଷାକ ପରିଧାନ ପୂର୍ବକ ନୃତ୍ୟରେ ସାମିଲ ହୋଇଥିଲେ।