Categories: ଖେଳ

ବାପାଙ୍କ ଆଶୀର୍ବାଦ ସର୍ବଦା ଅନୁଭବ କରେ: ଅମିତ

ସ୍ବର୍ଣ୍ଣ ବିଜୟ ନେଇ କେତେ ଆଶା ରହିଥିଲା, ପାଇବା ପରେ କିପରି ଅନୁଭବ ହେଉଛି ?
ପ୍ରତିଯୋଗିତାକୁ ଉଚ୍ଚ ଆଶାନେଇ ଆସିଥିଲୁ। ସ୍ବର୍ଣ୍ଣ ପଦକ ଜିତିଲେ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ହାସଲ ହୋଇପାରିବ ବୋଲି ଜାଣିଥିଲୁ। ତେଣୁ ଏହା ହିଁ ଆମର ଇଚ୍ଛାଥିଲା। ଜିତିବାର ଖୁସି ଅବଣ୍ଣନୀୟ। ମୁଁ ବହୁତ ଖୁସି। ଏହା ମୋର ସ୍ବପ୍ନ ମଧ୍ୟ ରହିଥିଲା।
ବ୍ରୋଞ୍ଜ ପରେ ଏସିଆଡ୍‌ରେ ସ୍ବର୍ଣ୍ଣ, ନିଜ କ୍ୟାରିୟର ଏବେ କେଉଁ ମୋଡ଼ରେ ରହିଛି ବୋଲି ଭାବୁଛନ୍ତି ?
କ୍ୟାରିୟରରେ ଷ୍ଟେପ୍‌ ପରେ ଷ୍ଟେପ୍‌ ଆଗକୁ ବଢ଼ୁଛି। ଦେଶବାସୀ ଓ ଭଗବାନଙ୍କ ଆଶୀର୍ବାଦ ଯୋଗୁ ଆଜି ଏପରି ସଫଳତା ପାଇପାରିଛି। ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିବାର ଅନୁଭୂତି ଭିନ୍ନ ଥିଲା, ଏବେ ଏସିଆଡ୍‌ ସ୍ବର୍ଣ୍ଣ ବିଜୟର ଖୁସି ମଧ୍ୟ ଭିନ୍ନ। ଏହି ଅନୁଭୂତିକୁ ନେଇ ଆଗକୁ ଆହୁରି ସଫଳତା ପାଇବାକୁ ମୁଁ ଲକ୍ଷ୍ୟ ରଖିଛି।
ବିପକ୍ଷ ଫାଇନାଲର ଅନୁଭୂତି କିପରି ରହିଲା ?
ପର୍ଯ୍ୟାୟର ଖେଳ ଓ ଫାଇନାଲ ଭିନ୍ନ କଥା। ଲିଗ୍‌ ପର୍ଯ୍ୟାୟରେ ଟିକେ ଏପଟ ସେପଟ ହୋଇଗଲେ ଚଳିବ, ମାତ୍ର ଫାଇନାଲ ହେଉଛି ଫାଇନାଲ। ସାମାନ୍ୟ ତ୍ରୁଟି ବଡ଼ ବିପର୍ଯ୍ୟୟ ଆଣିପାରେ। ତେଣୁ ଆମେ ଅତି ସତର୍କ ହୋଇ ଖେଳିଥିଲୁ। ଫାଇନାଲପରି ବଡ଼ ମ୍ୟାଚର ଅନୁଭୂତି ନିଶ୍ଚିତ ସ୍ବତନ୍ତ୍ର।
ବିଜୟରେ ଅମିତଙ୍କ ଗୋଲର ବଡ଼ ଭୂମିକା ଥିଲା, କ’ଣ କହିବେ ?
ପୂର୍ବରୁ ଆମ ରଣନୀତି ସେପରି ଥିଲା। ସୁଯୋଗ ପାଇବାମାତ୍ରେ ଗୋଲ ଦେବାପାଇଁ ଚେଷ୍ଟା କରିବା ଥିଲା ମୁଖ୍ୟ ଲକ୍ଷ୍ୟ। ତେଣୁ ମୋ ପାଇଁ ଏପରି ଏକ ସୁଯୋଗ ଆସିଲା। ତା’ର ସଦୁପଯୋଗ କରିପାରିଥିବାରୁ ମୁଁ ବହୁତ ଖୁସି। ମୋ ଗୋଲ ଦଳର ବିଜୟରେ ସହାୟକ ହୋଇପାରିଲା। ଏହାଠାରୁ ବଡ଼ ଖୁସି ଆଉ କିଛି ନାହିଁ।
ଶ୍ରେୟ କାହାକୁ ଦେବେ ?
ସମଗ୍ର ଦେଶ ଓ ମୋ ରାଜ୍ୟବାସୀଙ୍କୁ ସଫଳତାର ଶ୍ରେୟ ଦେବାକୁ ଚାହିଁବି। ଓଡ଼ିଶା ସରକାର ହକିକୁ ବହୁତ ପ୍ରୋତ୍ସାହନ ଦେଉଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ, ହକି ଇଣ୍ଡିଆ ଏବଂ ହକି ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଉଛି। ମୋ ପରିବାରକୁ ମଧ୍ୟ ଶ୍ରେୟ ଦେବି। ସ୍ବର୍ଣ୍ଣ ପଦକ ଜିତିବାପରେ ବାପାଙ୍କ କଥା ବହୁତ ମନେ ପଡ଼ୁଛି। ସେ ମୋତେ ସବୁବେଳେ ଉତ୍ସାହିତ କରି ଆସୁଥିଲେ। ଆଜିଥିଲେ ସେ ନିଶ୍ଚିତ ବହୁତ ଖୁସି ଅନୁଭବ କରିଥାନ୍ତେ। ତେବେ ତାଙ୍କ ଆଶୀର୍ବାଦ ସବୁବେଳେ ମୋ ସହିତ ଅଛି। ମୁଁ ଏହା ପ୍ରତି ମୁହୂର୍ତ୍ତରେ ଅନୁଭବ ମଧ୍ୟ କରୁଛି। ସେ ଯେଉଁଠି ବି ଥିବେ ନିଶ୍ଚିତ ମୋ ସଫଳତାରେ ଖୁସି ଅନୁଭବ କରୁଥିବେ।
(ବି.ଦ୍ର: ଅମିତଙ୍କ ବାପା ଗୋପାଳ ରୋହିଦାସ ୨୦୨୦ରେ ପରଲୋକ ଗମନ କରିଛନ୍ତି)

Share