ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼ ଡିଲ୍ କରିଛି। କମ୍ପାନୀ ସ୍ୱଚ୍ଛ ଶକ୍ତି ବିକାଶକାରୀ ସଂସ୍ଥା ‘ଇଣ୍ଟରସେକ୍ଟ ପାୱାର’କୁ ୪.୭୫ ବିଲିୟନ ଡଲାର (ପ୍ରାୟ ୩୯,୭୦୦ କୋଟି ଟଙ୍କା) ନଗଦ ଅର୍ଥରେ କିଣିବାକୁ ଚୁକ୍ତି କରିଛି। ଏଆଇ ପାଇଁ ଆବଶ୍ୟକ ହେଉଥିବା ବିପୁଳ ଶକ୍ତି ଏବଂ ଡାଟା ସେଣ୍ଟରର ଚାହିଦା ପୂରଣ କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ଏଆଇର ବ୍ୟବହାର ବଢ଼ିବା ସହ ଡାଟା ସେଣ୍ଟରଗୁଡ଼ିକ ପାଇଁ ବିପୁଳ ପରିମାଣର ବିଦ୍ୟୁତ୍ ଆବଶ୍ୟକ ହେଉଛି। ଆମେରିକାର ପୁରୁଣା ପାୱାର ଗ୍ରିଡ୍ ଏହି ଚାହିଦା ମେଣ୍ଟାଇବାରେ ଅସମର୍ଥ ହେଉଥିବାରୁ ଆଲଫାବେଟ୍ ନିଜସ୍ୱ ଶକ୍ତି ଉତ୍ସ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି।
ଇଣ୍ଟରସେକ୍ଟ ପାୱାର ମୁଖ୍ୟତଃ ସୌର ଶକ୍ତି ଏବଂ ବ୍ୟାଟେରୀ ଷ୍ଟୋରେଜ୍ ପ୍ରକଳ୍ପ ଉପରେ କାମ କରେ। ଗୁଗଲର ଲକ୍ଷ୍ୟ ହେଉଛି ନିଜର ଡାଟା ସେଣ୍ଟରଗୁଡ଼ିକୁ ପ୍ରଦୂଷଣମୁକ୍ତ ଶକ୍ତି ଜରିଆରେ ପରିଚାଳିତ କରିବା।
ଆଲଫାବେଟ୍ର ସିଇଓ ସୁନ୍ଦର ପିଚାଇ କହିଛନ୍ତି ଯେ, “ଇଣ୍ଟରସେକ୍ଟ ସହିତ ମିଶି ଆମେ ଶକ୍ତି କ୍ଷେତ୍ରରେ ନୂତନ ସମାଧାନ ବାହାର କରିପାରିବୁ, ଯାହା ଆମେରିକାର ଏଆଇ ନେତୃତ୍ୱକୁ ଆହୁରି ମଜବୁତ କରିବ।”
କାହିଁକି ଆବଶ୍ୟକ ଏହି କ୍ରୟ?
ଗତ ୫ ବର୍ଷ ମଧ୍ୟରେ ଗୁଗଲର କାର୍ବନ ନିର୍ଗମନ ପ୍ରାୟ ୪୮% ବୃଦ୍ଧି ପାଇଛି। ଏଆଇର ପ୍ରବଳ ଚାହିଦା କମ୍ପାନୀର ଜଳବାୟୁ ଲକ୍ଷ୍ୟ ପାଇଁ ଏକ ଆହ୍ୱାନ ସୃଷ୍ଟି କରିଛି। ଇଣ୍ଟରସେକ୍ଟ ପାୱାର ପାଖରେ ପ୍ରାୟ ୧୫ ବିଲିୟନ ଡଲାର ମୂଲ୍ୟର ଶକ୍ତି ସମ୍ପତ୍ତି କାର୍ଯ୍ୟକାରୀ କିମ୍ବା ନିର୍ମାଣାଧୀନ ଅବସ୍ଥାରେ ରହିଛି, ଯାହା ଗୁଗଲକୁ ଏହି ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିବ।
ଏହି ଚୁକ୍ତି ପରେ ମଧ୍ୟ ‘ଇଣ୍ଟରସେକ୍ଟ’ ଏକ ସ୍ୱତନ୍ତ୍ର ବ୍ରାଣ୍ଡ ଭାବେ କାର୍ଯ୍ୟ କରିବ ଏବଂ ଶେଲଡନ୍ କିମ୍ବର ଏହାର ନେତୃତ୍ୱ ଜାରି ରଖିବେ। ଏହି ମେଗା-ଡିଲ୍ ଏବେ ଟେକ୍ ଜଗତରେ ଏକ ନୂତନ ଯୁଗର ସୂଚନା ଦେଇଛି, ଯେଉଁଠାରେ ବଡ଼ ବଡ଼ ଟେକ୍ କମ୍ପାନୀମାନେ ନିଜସ୍ୱ ଶକ୍ତି ଉତ୍ସ କିଣିବାକୁ ପ୍ରତିଯୋଗିତା କରୁଛନ୍ତି।


