‘ଯବାନ’ରେ ଅଲ୍ଲୁଙ୍କ ଏଣ୍ଟ୍ରି ନେଇ ଚର୍ଚ୍ଚା

ମୁମ୍ବାଇ: ବଲିଉଡ୍‌ ବାଦଶାହ ଶାହରୁଖ ଖାନ୍‌ଙ୍କ ସହ ସ୍କ୍ରିନ ଶେୟାର କରିବେ ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ଅଭିନେତ୍ରୀ ନୟନତାରା ଓ ବିଜୟ ସେଥୁପତିଙ୍କ ପରେ ଏବେ ଶାହରୁଖଙ୍କ ଆଗାମୀ ଫିଲ୍ମ ‘ଯବାନ’ରେ ଅଲ୍ଲୁ ଏଣ୍ଟ୍ରି କରିବାକୁ ନେଇ ଚର୍ଚ୍ଚା ହେଉଛି। ଚଳଚ୍ଚିତ୍ର ନିର୍ଦ୍ଦେଶକ ଅଟଲି କୁମାର ଫିଲ୍ମର ଏକ ଅଂଶ ପାଇଁ ଅଲ୍ଲୁଙ୍କୁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ହେଲେ ଅଲ୍ଲୁ ନିର୍ଦ୍ଦେଶକଙ୍କ ପ୍ରସ୍ତାବ ଗ୍ରହଣ କରିଛନ୍ତି କି ନାହିଁ, ତାହା ସ୍ପଷ୍ଟ ହୋଇ ପାରିନାହିଁ। ଫିଲ୍ମରେ କିଛି ଦୃଶ୍ୟ ପାଇଁ ନିର୍ଦ୍ଦେଶକ ଅଟଲି ଅଲ୍ଲୁଙ୍କୁ ବାଛିଛନ୍ତି। ତେବେ କିଛି ଦିନ ମଧ୍ୟରେ ଅଲ୍ଲୁ ହଁ କରିବେ ବୋଲି ଅଟଲି ଆଶା ରଖିଛନ୍ତି। ଫିଲ୍ମଟି ଥ୍ରିଲର ଆଧାରିତ ହୋଇଥିବାବେଳେ ଶାହରୁଖ ଏଥିରେ ଯୁଗ୍ମ ରୋଲରେ ନଜରକୁ ଆସିବେ। ଶାହରୁଖଙ୍କ ଏହି ଫିଲ୍ମରେ ଦୀପିକା ପାଦୁକୋନ୍‌, ସନାୟା ମାଲହୋତ୍ରା, ସୁନିଲ ଗ୍ରୋଭର, ଯୋଗୀ ବାବୁଙ୍କ ସମେତ ଅନେକଙ୍କୁ ଦେଖିବାକୁ ମିଳିବ। ଉକ୍ତ ସିନେମା ଚଳିତ ବର୍ଷ ୨ ଜୁନ୍‌ରେ ରିଲିଜ୍‌ ହେବାର ସମୟ ଧାର୍ଯ୍ୟ ହୋଇଛି। ଅନ୍ୟପଟେ ଶାହରୁଖଙ୍କ ଫିଲ୍ମ ‘ପଠାନ୍‌’ର ସଫଳତା ପରେ ‘ଯବାନ’ ମଧ୍ୟ ସୁପରହିଟ୍‌ ହେବ ବୋଲି ଫିଲ୍ମ ନିର୍ମାତା ଆଶା ରଖିଛନ୍ତି।

Share