ବୋହୂଙ୍କୁ ବଳାତ୍କାର ଅଭିଯୋଗ: ଶ୍ୱଶୁର, ଦିଅର ଥାନାରେ ଅଟକ

ଦିଗପହଣ୍ଡି,୧୬ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ବୋହୂଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଅଭିଯୁକ୍ତ ଶ୍ବଶୁର,ଶାଶୁ, ନଣନ୍ଦ ଏବଂ ଦିଅରଙ୍କ ବିରୋଧରେ କେସ୍‌ ନଂ.୨୦୪/୨୦ ଅନୁଯାୟୀ ମକଦ୍ଦମା ରୁଜୁ କରିଛି। ତେବେ ଶ୍ବଶୁର, ଦିଅରଙ୍କୁ ପୋଲିସ ବୁଧବାର ଥାନାରେ ଅଟକ ରଖି ତଦନ୍ତ ଚଳାଇଛି। ଆଇଆଇସି ବସନ୍ତ କୁମାର ସେଠୀଙ୍କ ସୂଚନାନୁସାରେ ୨୦୧୭ ମାର୍ଚ୍ଚ ୭ରେ ପୀଡ଼ିତାଙ୍କ ବିବାହ ହୋଇଥିଲା। ଶ୍ବଶୁର ଘର ଲୋକଙ୍କ ଦାବି ଅନୁଯାୟୀ ୧ ଲକ୍ଷ ଟଙ୍କା ଓ ସମସ୍ତ ପ୍ରକାର ଘରକରଣା ସାମଗ୍ରୀ ଦିଆଯାଇଥିଲା। ପୁଅ ରାଜମିସ୍ତ୍ରୀ କାମ କରୁଥିବା ନେଇ ଶ୍ବଶୁର ତାଙ୍କୁ ଓ ବାପଘର ଲୋକଙ୍କୁ ମିଛ କହି ବିବାହ କାର୍ଯ୍ୟ ସାରି ଦେଇଥିଲେ। ପରବର୍ତ୍ତୀ ଅବସ୍ଥାରେ ତାଙ୍କ ସ୍ବାମୀ ମାନସିକ ଅନଗ୍ରସର ଥିବା ଜଣାପଡ଼ିଥିଲା। ତାଙ୍କୁ ଶ୍ବଶୁର ଛେଳି ଚରାଇବା କାର୍ଯ୍ୟରେ ନିୟୋଜିତ କରୁଥିଲେ। ସ୍ବାମୀଙ୍କ ଅନୁପସ୍ଥିତିରେ ଦିଅର ତାଙ୍କୁ ଛୁରି ଦେଖାଇ ଏକାଧିକ ଥର ବଳାତ୍କାର କରିଥିବା ଏତଲାରେ ଉଲ୍ଲେଖ ରହିଛି। ଏପରିକି ଶ୍ବଶୁର ମଧ୍ୟ ତାଙ୍କୁ ଘରେ କେହି ନ ଥିବା ସୁଯୋଗ ନେଇ ବହୁବାର ବଳାତ୍କାର କରିଥିବା ପୀଡ଼ିତା ତାଙ୍କ ଏତଲାରେ ଉଲ୍ଲେଖ କରିବା ସହ ତଦନ୍ତକାରୀ ପୋଲିସ ଅଧିକାରୀଙ୍କ ନିକଟରେ ବୟାନ ଦେଇଛନ୍ତି। ଶାଶୁ ଓ ନଣନ୍ଦ ସମସ୍ତ ବିଷୟ ଅବଗତ ଥିଲେ ମଧ୍ୟ ପ୍ରତିକାର କରା ନ ଯାଇ ଗର୍ଭବତୀ ଅବସ୍ଥାରେ ତାଙ୍କୁ ଡାକ୍ତରୀ ଚିକିତ୍ସା ତ ଦୂରର କଥା ସେମାନେ ତାଙ୍କୁ ମିଳିତ ଭାବେ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ବାପ ଘରୁ ଅଧିକ ୨ ଲକ୍ଷ ଟଙ୍କା ଯୌତୁକ ଆଣିବା ପାଇଁ କହି ବାପଘରକୁ ବିଦା କରିଦେଲେ। ସେଠାରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେବା ମଧ୍ୟ କେହି ଦେଖିବାକୁ ଗଲେ ନାହିଁ। ପରବର୍ତ୍ତୀ ଅବସ୍ଥାରେ ଶ୍ବଶୁର ତାଙ୍କୁ ଜୀବନରେ ମାରିଦେବାକୁ ଷଡ଼ଯନ୍ତ୍ର ଚଳାଇଥିବା ଏତଲାରେ ଉଲ୍ଲେଖ ରହିଛି। ପୀଡ଼ିତା ଓ ଅଭିଯୁକ୍ତମାନଙ୍କ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଡାକ୍ତରୀ ମାଇନା କରାଯିବା ପରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି କହିଛନ୍ତି।