କିରାଣି ନିଯୁକ୍ତିରେ ଅନିୟମିତତା ଅଭିଯୋଗ: ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ସାମ୍ନାରେ ଧାରଣା ଦେଲେ ଆଶାୟୀ

ପଟାଙ୍ଗି,୮ା୨(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମାସ୍ଥିତ ଗାଙ୍ଗେଶ୍ୱରୀ ଡିଗ୍ରୀ ମହାବିଦ୍ୟାଳୟରେ କିରାଣି ନିଯୁକ୍ତିକୁ ନେଇ ହୋଇଥିବା ଅନିୟମିତତାରେ ସ୍ଥାନୀୟ ଯୁବଗୋଷ୍ଠୀ ଏବଂ ଆଶାୟୀ ପ୍ରାର୍ଥୀମାନେ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି।

ସୂଚନାନୁଯାୟୀ, ଉକ୍ତ ମହାବିଦ୍ୟାଳୟରେ ଆବଶ୍ୟକ ରହିଥିବା ଏକ କିରାଣି ନିଯୁକ୍ତି ପାଇଁ ପ୍ରକାଶ ପାଇଥିବା ବିଜ୍ଞାପନ ଅନୁସାରେ ଆଶାୟୀ ପ୍ରାର୍ଥୀଙ୍କୁ ନେଇ ଡିସେମ୍ବର ୪ରେ ସାକ୍ଷାତକାର ହୋଇଥିଲା। ଉକ୍ତ ସାକ୍ଷାତକାର ଦୁଇ ମାସ ବିତି ଯାଇଥିଲେ ମଧ୍ୟ ଫଳାଫଳ ପ୍ରକାଶ ପାଇ ନ ଥିବା ସମସ୍ୟାକୁ ଦୃଷ୍ଟିରେ ରଖି ବୁଧବାର ଆଶାୟୀ ପ୍ରାର୍ଥୀ ଏବଂ ଯୁବଗୋଷ୍ଠୀ ଉକ୍ତ ମହାବିଦ୍ୟାଳୟରେ ପହଞ୍ଚି ଅଧ୍ୟକ୍ଷ ଜମ୍ବେଶ୍ୱର ସାହୁଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ ମଧ୍ୟ ଆଲୋଚନାର କୈଣସି ଠୋସ୍‌ ମତାମତ ଦେଇ ନ ଥିବାରୁ ଉପସ୍ଥିତ ଯୁବଗୋଷ୍ଠୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଯାହାଫଳରେ ଯୁବ ଗୋଷ୍ଠୀ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଛ। ଏ ନେଇ ଅଧ୍ୟକ୍ଷଙ୍କୁ ଯୋଗାଯୋଗ କରିବାରୁ ଆସନ୍ତା ରବିବାର ଗଭର୍ନିଂ କମିଟି ବୈଠକ ବସିବା ପରେ ଅଟକି ରହିଥିବା ସାକ୍ଷାତକାରର ଫଳାଫଳ ପ୍ରକାଶ କରାଯିବ ବୋଲି ପ୍ରକାଶ କରିଥିଲେ।