ବରଗଡ଼,୨୧।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଝାରବନ୍ଧ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ)ରେ କେତେକ ଲୋକ ଚାଷୀ ପଞ୍ଜୀକରଣରେ ଚଞ୍ଚକତା ଅବଳମ୍ବନ କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଝାରବନ୍ଧ ବ୍ଲକ ଚଣ୍ଡୀଭଟା ଗ୍ରାମର ଅନେକ ଚାଷୀ ବୁଧବାର ବରଗଡ଼ ସମବାୟ ଉପନିବନ୍ଧକ (ଡିଆରସିଏସ୍)ଙ୍କ କାର୍ଯ୍ୟାଳୟକୁ ଆସି କରିିଥିଲେ। ଡିଆର୍ସିଏସ୍ ଯୁଗଳ କିଶୋର ଦାଶଙ୍କୁ ଚାଷୀମାନେ ଅଭିଯୋଗ କରି ବିହିତ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି। ସମ୍ପୃକ୍ତ ଚାଷୀମାନେ ଅଭିଯୋଗ କରିଛନ୍ତି, ଚଣ୍ଡୀଭଟା ଗ୍ରାମର କିଛି ଲୋକ ନିଜ ଉତ୍ତରାଧିକାରୀଙ୍କୁ ଅଣଦେଖା କରି ନିଜ ଭାଗରୁ ଅଧିକ ଜମିରେ ପଞ୍ଜୀକରଣ କରିଛନ୍ତି। ଫଳରେ ଅନେକ ଉତ୍ତରାଧିକାରୀ ଚାଷୀ ପଞ୍ଜୀକରଣ ସମୟରେ ବହୁବିଧ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରିକି ନିଜ ଭାଗରେ ରହିଥିବା ଜମିରେ ଚାଷ କରିଥିଲେ ସୁଦ୍ଧା ସେହି ଜମିକୁ ଅନ୍ୟ ଉତ୍ତରାଧିକାରୀ ତାଙ୍କ ନାମରେ ପଞ୍ଜୀକରଣ କରି ଦେଇଥିବା ଅଭିଯୋଗ ହୋଇଛି। ଉକ୍ତ ମୌଜାର ଏଭଳି ଅନେକ ଚାଷୀଙ୍କ ସମସ୍ୟା ଉପୁଜିଛି। ଫଳରେ ସେଭଳି କ୍ଷେତ୍ରରେ ପଞ୍ଜୀକରଣକୁ ରବ୍ଦ କରି ଏହାର ପୁନର୍ବିଚାର କରିବାକୁ ସେମାନେ ଡିଆର୍ସିଏସ୍ଙ୍କଠାରେ ଦାବି କରିଛନ୍ତି। ଏ ନେଇ ଝାରବନ୍ଧ ପାକ୍ସ ସମ୍ପାଦକଙ୍କୁ ସେମାନେ ଲେଖି ଜଣାଇଥିବା କହିଛନ୍ତି। ଜୟକୃଷ୍ଣ ନାୟକ, ଦୁଃଖୀନାଶନ ନାୟକ, ଭଜନ ନାୟକ, ଗୌରହରି ବିଶ୍ୱାଳଙ୍କ ସମେତ ଅନେକ ଚାଷୀ ଏଭଳି ଅଭିଯୋଗ ନେଇ ବରଗଡ଼ ଡିଆରସିଏସ୍ଙ୍କ କାର୍ଯ୍ୟାଳୟକୁ ଆସି କରିଥିଲେ।


