ଏମ୍‌ପି ଅନୁଭବଙ୍କ ନାଁରେ ସ୍ତ୍ରୀଙ୍କ ନିର୍ଯାତନା ଅଭିଯୋଗ: ୧୫ କୋଟିର କ୍ଷତିପୂରଣ ଦାବି

କଟକ ଅଫିସ,୬।୯: ଓଲିଉଡ୍‌ର ଚର୍ଚ୍ଚିତ ଯୋଡ଼ି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଅଭିନେତାରୁ ରାଜନେତା ପାଲଟିଥିବା ଏମ୍‌ପି ଅନୁଭବଙ୍କ ନାଁରେ ଅନେକ ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଏ ନେଇ କଟକ ସଦର ଏସ୍‌ଡିଜେଏମ୍‌ କୋର୍ଟରେ ଘରୋଇ ହିଂସାରୁ ମିହଳାଙ୍କୁ ସୁରକ୍ଷା ଆଇନ-୨୦୦୫ ଅନୁଯାୟୀ ଦଫା ୧୨, ୧୭, ୧୮, ୧୯, ୨୦, ୨୨ରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଏହି ଘଟଣା ଓଡ଼ିଆ ସିନେଜଗତ ସମେତ ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ବର୍ଷା ପିଟିଶନରେ ଦର୍ଶାଇଛନ୍ତି, ଅନୁଭବ ଜଣେ ମଦ୍ୟପ। ସେ ଅନେକ ସମୟରେ ନିଜ ବନ୍ଧୁମାନଙ୍କୁ ଆଣି ଶୟନ କକ୍ଷରେ ବସାଇ ମଦ୍ୟପାନ କରାନ୍ତି। ବିବାହ ପରେ ଅନେକ ଚଳଚ୍ଚିତ୍ରରେ ଉଭୟ ଏକତ୍ର କାର୍ଯ୍ୟ କରିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ସେ ତାଙ୍କ ପାରିଶ୍ରମିକ ପାଇନାହାନ୍ତି। ଅନ୍ୟପକ୍ଷରେ ଭରଣପୋଷଣ ବାବଦକୁ ବର୍ଷା ୧୫ କୋଟି ଟଙ୍କା ଦାବି କରିଥିବା ଜଣାପଡ଼ିଛି। ସେଥିମଧ୍ୟରେ ୧୩ କୋଟି ଟଙ୍କା କ୍ଷତିପୂରଣ ଓ ରୋଜଗାର ହରାଇଥିବାରୁ ୨ କୋଟି ଟଙ୍କା ବର୍ଷା ଦାବି କରିଛନ୍ତି। ଏହାଛଡା ମାସିକ ୨୦ ହଜାର ଟଙ୍କା ଘର ଭଡ଼ା ଓ ଚଳିବା ପାଇଁ ମାସିକ ଖର୍ଚ୍ଚ ୫୦ ହଜାର ଟଙ୍କା ଦେବାକୁ ବର୍ଷା ପିଟିଶନରେ ଉଲ୍ଲେଖ କରିଛନ୍ତି। ଏ ସଂକ୍ରାନ୍ତରେ ଜିଲା ପ୍ରୋଟେକ୍ସନ ଅଫିସରଙ୍କ ଠାରୁ ଅଦାଲତ ରିପୋର୍ଟ ତଲବ କରିଥିବା ସୂଚନା ମିଳିଛି । ଏ ନେଇ ଅନୁଭବ ପ୍ରତିକ୍ରିୟାରେ କହିଛନ୍ତି, ମୋ ପାଖକୁ ସେମିତି କୌଣସି ଲିଗାଲ ନୋଟିସ ଆସିନି। ଯେବେ ଆସିବ ମୁଁ ସେ ବିଷୟରେ ଜଣାଇବି।