ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ଙ୍କ ଅର୍ଡର ଜାଲିଆତି ଅଭିଯୋଗ,ଏମିତି ପଡ଼ିଲେ ଧରା

ପୁରୁଷୋତ୍ତମପୁର,୧୯ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅତିରିକ୍ତ ତହସିଲଦାର ତଥା ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ ସୁନିଲ କୁମାର ଟୁଡୁଙ୍କ ଦସ୍ତଖତ ସମ୍ବଳିତ କୋର୍ଟର ଅର୍ଡରକୁ ଜାଲ୍‌ କରିଥିବା ଅଭିଯୋଗରେ ପୁରୁଷୋତ୍ତମପୁର ପୋଲିସ ରବିବାର ନୋଟାରି ତଥା ଓକିଲ ସୀମାଞ୍ଚଳ ସେଠୀ, ଓକିଲ ରାମଚନ୍ଦ୍ର ଆଚାର୍ଯ୍ୟ ଓ କମ୍ପ୍ୟୁଟର ସେଣ୍ଟର କରିଥିବା ପୁରୁଷୋତ୍ତମପୁର ସୀତାରାମପୁର ଆଗ୍ରାହରମର ମହେନ୍ଦ୍ର ବେହେରାଙ୍କୁ କେସ୍‌ ନଂ. ୪୧୭/୨୧ରେ ଗିରଫ କରି କୋର୍ଟ ଚାଲାଣ କରିବା ସହ କମ୍ପ୍ୟୁଟର, ପ୍ରିଣ୍ଟର, ସିପିଓ ଏବଂ ଜାଲ୍‌ ରେକର୍ଡପତ୍ର ମାନ ଜବତ କରିଥିବାର ଆଇଆଇସି ପ୍ରିୟସରଞ୍ଜନ ଛୋଟରାୟ କହିଛନ୍ତି ।

ମୃତ୍ୟୁ ପ୍ରମାଣପତ୍ର ଲାଗି ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ ସୁନିଲ କୁମାର ଟୁଡୁଙ୍କ ଅର୍ଡରକୁ ଜାଲିଆତି କରି ଏମ୍‌ସି କେସ୍‌ ନଂ ୯୯/୨୧ରେ ଚନ୍ଦ୍ରମଣି ସାହୁ, ଶାସନପଲ୍ଲୀ, କେସ୍‌ ନଂ. ୧୦୦/୨୧ରେ ସୀମାଞ୍ଚଳ ସାଶମଲ ଗୋପୀନାଥପୁର ସୁନାଥର, ୧୦୧/୨୧ରେ ମକରା ରାଉଳ ନାଇଡୁ ପଲ୍ଲୀ, ଭାଟକୁମରଡା, ୧୦୨/୨୧ରେ ମହାଦେବ ସେଠୀ ଡି ଅନ୍ତରି ଗାଁ, ୧୦୩/୨୧ ରେ କୋନଟି ଆପଲା ଆମା କନ୍ଦାଳପଲ୍ଲୀ ଭାଟକୁମରଡ଼ା, ୧୦୫/୨୧ରେ ଜୁର ପରିଡ଼ା ଝାଡବାଇଙ୍କ ନାମରେ ଜାଲ୍‌ କୋର୍ଟ ଅର୍ଡର ପ୍ରସ୍ତୁତି କରି ଭାଟକୁମରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦାଖଲ କରି ମୃତ୍ୟୁ ପ୍ରମାଣପତ୍ର ହାତେଇଥିଲେ। ଏହା ଗତ ଜୁନ୍‌ ମାସରେ ଜଣାପଡ଼ିବା ପରେ ତହସିଲଦାର ନୀତିଶ କୁମାର ତ୍ରିପାଠୀ ଘଟଣାକୁ ନେଇ ବିଭାଗୀୟ କର୍ମଚାରୀ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ତଦନ୍ତ କରିଥିଲେ। ଶେଷରେ ତହସିଲଦାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଅତିରିକ୍ତ ତହସିଲଦାର ତଥା ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ ସୁନିଲ କୁମାର ଟୁଡୁ ଗତ ୮ ତାରିଖରେ ପୁରୁଷୋତ୍ତମପୁର ପୋଲିସରେ ଅଭିଯୋଗ କରିଥିଲେ। ଏହାକୁ ନେଇ ଥାନା ଆଇଆଇସି ଛୋଟରାୟ ତଦନ୍ତ କରିବା ବେଳେ ଏଭଳି କାରନାମା ଧରା ପଡ଼ିଥିଲା।