ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ଆସିବା ପରେ ଚିନ୍ତାରେ ପଡ଼ିଛନ୍ତି ସେମାନେ। କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ପୋଷ୍ଟ ଅଫିସରେ ଜମାକାରୀଙ୍କ ୨୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଜମାରାଶି ହଡ଼ପ ହୋଇଥିବା ନେଇ ଅଭିଯୋଗ ହୋଇଛି।
ଜମାକାରୀମାନେ ଅଭିଯୋଗ କରିଛନ୍ତି ଯେ, ପୂର୍ବତନ ପୋଷ୍ଟମାଷ୍ଟର ବିଜ୍ଞାନ ନାଏକ ସେମାନଙ୍କ ଟଙ୍କା ଜମାଖାତାରେ ଜମା ନ କରି ହଡ଼ପ କରିଛନ୍ତି। ନିଜର କଷ୍ଟାର୍ଜିତ ଅର୍ଥକୁ ସୁରକ୍ଷିତ ଭାବି ପୋଷ୍ଟ ଅଫିସରେ ଜମା ରଖିଥିବା ଲୋକଙ୍କ ମଧ୍ୟରେ ଏହି ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଟଙ୍କା ହରାଇବା ଅଭିଯୋଗ ପରେ ଅନେକ ଜମାକାରୀ ମାନସିକ ଚାପରେ ଥିବା କହିଛନ୍ତି। ନିଜର ଜମା ଟଙ୍କା ତୁରନ୍ତ ଫେରସ୍ତ କରିବା ସହ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଜମାକାରୀମାନେ ଦାବି କରିଛନ୍ତି।
ଏନେଇ ଜମାକାରୀ ସୁଲେଖା ସାହୁ, ଶୈଳବାଳା ବେହେରା, ସରୋଜ କୁମାର ସାହୁ, ବାବୁରାମ ସାହୁ, ସରୋଜିନୀ ସାହୁ ପ୍ରମୁଖ ଜିଲା ପୋଷ୍ଟାଲ ସୁପରିଣ୍ଟେଣ୍ଡେଣ୍ଟ ସର୍ବେଶ୍ୱର ବଳିଆର ସିଂଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ ହେବା ସହ ପୋଷ୍ଟମାଷ୍ଟର ବିଜ୍ଞାନ ନାଏକଙ୍କୁ ନିଲମ୍ବିତ କରାଯାଇଛି। ଅର୍ଥ ଆଦାୟ ପାଇଁ ତାଙ୍କୁ ନୋଟିସ କରାଯାଉଛି। ମାତ୍ର ସେ ଫେରାର ଥିବା ଜଣାପଡ଼ିଛି ବୋଲି ପୋଷ୍ଟାଲ ସୁପରିଣ୍ଟେଣ୍ଡେଣ୍ଟ ସର୍ବେଶ୍ୱର ବଳିଆର ସିଂ କହିଛନ୍ତି।
ବିଭାଗ ପକ୍ଷରୁ ଜମାକାରୀଙ୍କ କଷ୍ଟାର୍ଜିତ ଟଙ୍କା ତୁରନ୍ତ ଫେରସ୍ତ କରା ନ ଗଲେ ଆନ୍ଦୋଳନ କରାଯିବ ବୋଲି ଜମାକାରୀମାନେ ଚେତାବନୀ ଦେଇଛନ୍ତି।

