ବ୍ଲକ ଉପାଧ୍ୟକ୍ଷାଙ୍କ ସ୍ବାମୀଙ୍କ ନାଁରେ ଅଭିଯୋଗ

ଦେବଗଡ଼,୬ା୧୧(ଡି.ଏନ୍‌.ଏ.): ଭାଜପା ବ୍ଲକ ଅଧ୍ୟକ୍ଷାଙ୍କୁ ଅସମ୍ମାନ ଅଭିଯୋଗ କରି ଉପାଧ୍ୟକ୍ଷାଙ୍କ ସ୍ବାମୀ ଡିଆର୍‌ଡିଏର ଏପିଡି (ଟ୍ରେନିଂ) ଦୀପକ କୁମାର ବେହେରାଙ୍କୁ ଗାଳିଗୁଲଜ ସହ ହତ୍ୟା ଧମକ ଦେଇଥିବା ନେଇ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ବ୍ଲକ ଉପାଧ୍ୟକ୍ଷାଙ୍କ ସ୍ବାମୀ ଯୋଗେଶ ପ୍ରଧାନ ବ୍ଲକ ଅଧ୍ୟକ୍ଷା ବୃନ୍ଦାବତୀ ଭୋଇ ଓ ସ୍ତ୍ରୀ ଉପାଧ୍ୟକ୍ଷା ଆରତି ପ୍ରଧାନଙ୍କ ସମେତ ନିଜ ସମର୍ଥକଙ୍କ ସହ ଦେବଗଡ଼ ଥାନାକୁ ଆସି ଏପିଡି ଶ୍ରୀ ବେହେରା ବ୍ଲକ ଅଧ୍ୟକ୍ଷାଙ୍କୁ ଜାତିଆଣ ଆକ୍ଷେପ କରି ଅପମାନିତ କରିଥିବା ନେଇ ପାଲଟା ଅଭିଯୋଗ କରିଥିବା ଜଣାପଡ଼ିଛି। ପିଆରଆଇ ମେମ୍ବରଙ୍କ ଏକ ପ୍ରଶିକ୍ଷଣ ଶିବିରରେ ଶନିବାର ବାରକୋଟ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପାତ୍ରଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇ ପୁଷ୍ପଗୁଚ୍ଛ ଦେଇ ବନ୍ଦାପନା କରାଯାଇ ତାଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିବା ବେଳେ ତିଳେଇବଣି ବ୍ଲକ ଅଧ୍ୟକ୍ଷା ବୃନ୍ଦାବତୀ ଭୋଇଙ୍କୁ ପ୍ରଶିକ୍ଷଣ ଶିବିରରେ ଡକାଯାଇଥିଲେ ମଧ୍ୟ ତାଙ୍କୁ ସମ୍ମାନ ପ୍ରଦର୍ଶନ କରାଯାଇ ନ ଥିବା ଅଭିଯୋଗ ହୋଇଛି। ତିଳେଇବଣି ବ୍ଲକ ଉପାଧ୍ୟକ୍ଷାଙ୍କ ସ୍ବାମୀ ଯୋଗେଶ ପ୍ରଧାନ ଏପିଡିଙ୍କୁ ହତ୍ୟା ଧମକ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମ ଏକ ଏନଜିଓ ଦ୍ୱାରା ପରିଚାଳନା କରାଯାଉଥିବା ଏବଂ ଏଥିରେ ତାଙ୍କ କୌଣସି ଭୂମିକା ନ ଥିବା ଏପିଡି ପ୍ରକାଶ କରିଛନ୍ତି l ତେବେ ଭାଜପା ଦଳର ବରିଷ୍ଠ ନେତା ଯୋଗେଶ ଜଣେ ସରକାରୀ ଅଧିକାରୀଙ୍କୁ ଧମକ ଦେବା ଏବଂ ତାଙ୍କ ନାମରେ ମିଥ୍ୟା ମାମଲା କରାଇବାକୁ ନେଇ ଶ୍ରୀ ବେହେରା ଦୁଃଖ ପ୍ରକାଶ କରିଛନ୍ତି।