Categories: ଖେଳ

ଶ୍ରୀଲଙ୍କା-ଭାରତ ସିରିଜ୍‌ ପୂର୍ବରୁ ମିଳିଲା ଖୁସି ଖବର

କଲମ୍ବୋ,୧୧।୭: କୁଶାଳ ପେରେରା, ଦୁଶମନ୍ଥା ଚମିରା ଓ ଧନଞ୍ଜୟ ଡି’ ସିଲଭାଙ୍କ ଭଳି ବରିଷ୍ଠ ଖେଳାଳିଙ୍କ ସମେତ ପୂରା ଶ୍ରୀଲଙ୍କା ଦଳର ଖେଳାଳିଙ୍କ ଆରଟି ପିସିଆର ରିପୋର୍ଟ ନେଗେଟିଭ ଆସିଛି। ଶ୍ରୀଲଙ୍କା କ୍ରିକେଟ (ଏସ୍‌ଏଲସି) ପକ୍ଷରୁ ଖେଳାଳିଙ୍କ ଟେଷ୍ଟ କରାଯାଇଥିଲା। ବାୟୋ ବବଲ୍‌ରେ ପ୍ରବେଶ କରିବା ପାଇଁ ଖେଳାଳିଙ୍କୁ ସୋମବାର ଅନୁମତି ମିଳିବ ବୋଲି ଆଶା କରାଯାଉଛି। ୟୁକେ ଗସ୍ତରୁ ଫେରିବା ପରେ ଶ୍ରୀଲଙ୍କା ଖେଳାଳିମାନେ ୭ ଦିନିଆ ହାର୍ଡ କ୍ୱାରେଣ୍ଟିନରେ ଅଛନ୍ତି।

ଦଳର ବ୍ୟାଟିଂ କୋଚ୍‌ ଗ୍ରାଣ୍ଟ ପ୍ଲାଓ୍ବାର ଓ ଡାଟା ଆନାଲିଷ୍ଟ ଜି ଟି ନିରୋଶାନଙ୍କ ସହ ଜଣେ ଖେଳାଳି କୋଭିଡ୍‌-୧୯ରେ ସଂକ୍ରମିତ ଥିବା ଜଣାପଡ଼ିବା ପରେ ୧୩ ତାରିଖରୁ ଆରମ୍ଭ ହେବାକୁ ଥିବା ଭାରତ ବିପକ୍ଷ ସିରିଜ୍‌କୁ ୫ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି।

ପଜିଟିଭ ରିପୋର୍ଟ ଆସିବା ପରେ ଆମେ ଘୋଷଣା କରିଥିଲୁ। ଶନିବାର ଆଉ ଏକ ପର୍ଯ୍ୟାୟରେ ଆରଟି ପିସିଆର୍‌ ଟେଷ୍ଟ କରାଯାଇଥିଲା। ଏହାର ରିପୋର୍ଟ ରବିବାର ଆସିବ। ସାଧାରଣତଃ ପଜିଟିଭ ରିପୋର୍ଟ ମଧ୍ୟାହ୍ନରେ ଆସିଥାଏ। କିନ୍ତୁ ଏପର୍ଯ୍ୟନ୍ତ ରିପୋର୍ଟ ଆସି ନ ଥିବାରୁ ଖେଳାଳିମାନେ ସଂକ୍ରମିତ ନ ଥିବା ଧରି ନେବାକୁ ପଡ଼ିବ ବୋଲି ସୂତ୍ରରୁ କୁହାଯାଇଛି।

Share