ପାଟଣା ବଜାରର ସମସ୍ତ ଦୋକାନ ବନ୍ଦ

ପାଟଣା,୧।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଉଛି। ସହରାଞ୍ଚଳରେ ସରକାର ସପ୍ତାହାନ୍ତ ଶନିବାର ଓ ରବିବାର ଶଟ୍‌ଡାଉନ କରିଥିବା ବେଳେ ପାଟଣା ବଜାର କମିଟି ପକ୍ଷରୁ ଶନିବାରଠାରୁ ସପ୍ତାହାନ୍ତ ଶଟ୍‌ଡାଉନ ଘୋଷଣା କରାଯାଇଛି। ଆଜିଠାରୁ ସପ୍ତାହର ପ୍ରତି ଶନିବାର ଓ ରବିବାର ପାଟଣା ବଜାର ଉପରେ ଥିବା ସମସ୍ତ ଦୋକାନ ବନ୍ଦ ରହିବ ବୋଲି ବଣିକ ସଂଘ ସଭାପତି ବୁଲୁ ଭଞ୍ଜ ଓ ପୁରୁଖା ବ୍ୟବସାୟୀ ଅଜୟ କୁମାର ଦାଶ କହିଛନ୍ତି। ଆଜି ବଜାର ଖାଁ ଖାଁ ରହିଥିବା ବେଳେ କେବଳ ଔଷଧ ଦୋକାନ ଓ କ୍ଷୀର ଦୋକାନ ଖୋଲା ଥିବା ଦେଖିବାକୁ ମିଳିଥିଲା। ବଣିକ ସଂଘର ଏଭଳି ଉଦ୍ୟମକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରୁ ସ୍ବାଗତ କରାଯାଇଛି। ତେବେ ସାପ୍ତାହିକ ବୁଧବାର ପରିବା ହାଟକୁ ପ୍ରଶାସନ ପକ୍ଷରୁ ବନ୍ଦ କରିବାକୁ ଦାବି ହେଉଛି।