ଅପରାହ୍ନ ୨ଟା ପରେ ସମସ୍ତ ଦୋକାନ ବଜାର ବନ୍ଦ

ବୁଗୁଡ଼ା,୨୮।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ପାଞ୍ଚଟି ଓ୍ବାର୍ଡରୁ ବୁଧବାର ୧୦ ଜଣ ପଜିଟିଭ୍‌ ଚିହ୍ନଟ ହେବା ପରେ ସହରରେ କୋକୁଆ ଭୟ ସୃଷ୍ଟି ହୋଇଛି। ଆଜି ବୁଗୁଡ଼ାର ବଣିକ ସଂଘ, ଚ୍ୟାମ୍ବର ଅଫ କମର୍ସ, ଗଣେଶ ମାର୍କେଟ, ପରିବା ବ୍ୟବସାୟୀ ସଂଘ ପକ୍ଷରୁ ବୁଧବାର ଠାରୁ ବୁଗୁଡ଼ା ସହରର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ସକାଳ ୫ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲାଯାଇ ୨ଟା ପରେ ଔଷଧ ଦୋକାନ ବ୍ୟତୀତ ଅନ୍ୟାନ୍ୟ  ଦୋକାନ ଆସନ୍ତା ମେ ୧୫ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ଆଜି ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ପରିସରରେ ଉପଜିଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ଉପସ୍ଥିତିରେ ଏହି ନିଷ୍ପତ୍ତିକୁ ସଂଘ ତରଫରୁ ଜଣାଇ ଦିଆଯାଇଛି। ତେବେ କିଛି ବ୍ୟବସାୟୀ ଏହାକୁ ବିରୋଧ କରିଥିଲେ ହେଁ ପ୍ରଶାସନ ତରଫରୁ ଜନସାଧାରଣଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ବୈଠକରେ ତହସିଲଦାର ସଂଗ୍ରାମ କେଶରୀ ଜେନା, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାସଙ୍କ ସମେତ ବିଭିନ୍ନ ସଂଗଠନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।