Categories: ଖେଳ

ମୁମ୍ବାଇକୁ ସୁଯୋଗ ଦେଲା ନାହିଁ ପଞ୍ଜାବ

ଚେନ୍ନାଇ,୨୩।୪ : ନା ବୋଲିଂ ନା ବ୍ୟାଟିଂ। କୌଣସି ବିଭାଗରେ ମୁମ୍ବାଇ ଇଣ୍ଡିଆନ୍ସକୁ ସୁଯୋଗ ଦେଲା ନାହିଁ କିଙ୍ଗ୍ସ ପଞ୍ଜାବ। ୧୪ ବଲ ପୂର୍ବରୁ ପଞ୍ଜାବ ୯ ଉଇକେଟରେ ମୁମ୍ବାଇକୁ ହରାଇ ଦେଇଛି। କ୍ରମାଗତ ହ୍ୟାଟ୍ରିକ ପରାଜୟ ପରେ ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ ଦଳକୁ ମିଳିଛି ପ୍ରଥମ ଓ ମୋଟ ଉପରେ ଚଳିତ ସିଜନର ଦ୍ୱିତୀୟ ବିଜୟ। ପଞ୍ଜାବ ପକ୍ଷରୁ ରାହୁଲ ଖେଳିଥିଲେ ଅଧିନାୟକତ୍ୱ ପାଳି।

କିଙ୍ଗ୍ସ ପଞ୍ଜାବ ବୋଲରଙ୍କ ଘାତକ ବୋଲିଂ ଯୋଗୁ ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ୨୦ ଓଭରରେ ୬ ଉଇକେଟ ହରାଇ ମାତ୍ର ୧୩୧ ରନ୍‌ କରିଥିଲା। ଅଧିନାୟକ ରୋହିତ ଶର୍ମା ଖେଳିଥିଲେ ଅତ୍ୟନ୍ତ ଧିମା ୬୩ ( ୫୨ ବଲ, ୫ ଚୌକା ଓ ୨ ଛକା) ରନ୍‌ର ଅର୍ଦ୍ଧଶତକୀୟ ପାଳି। ସୂର୍ଯ୍ୟକୁମାର ଯାଦବ ୩୩ ଓ କିରନ ପୋଲାର୍ଡ (୧୬*)ଙ୍କ ବ୍ୟତୀତ ଅନ୍ୟ କେହି ସଫଳ ହୋଇ ନ ଥିଲେ। ଡେଥ୍‌ ଓଭରରେ ଖରାପ ବୋଲିଂ ପାଇଁ ସମାଲୋଚନାର ସମ୍ମୁଖୀନ ହୋଇଥିବା ମହମ୍ମଦ ଶାମି ଓ ରବି ବିଷ୍ଣୋଇ ୨ ଲେଖାଏ ଉଇକେଟ ନେଇଥିଲେ। ୧୩୨ ରନ୍‌ର ଛୋଟିଆ ଟାର୍ଗେଟ ନେଇ ଓହ୍ଲାଇଥିବା ରାହୁଲ ଓ ମୟଙ୍କ ଅଗ୍ରଓ୍ବାଲଙ୍କ ଯୋଡ଼ି ପଞ୍ଜାବକୁ ଦେଇଥିଲା ଭଲ ଆରମ୍ଭ। ଦୁହେଁ ୫୩ ରନ୍‌ ଯୋଡ଼ିବା ପରେ ଆଉଟ୍‌ ହୋଇଥିଲେ ମୟଙ୍କ (୨୫ ରନ୍‌, ୪ ଚୌକା ଓ ୧ ଛକା)। ଏହାପରେ କ୍ରିସ୍‌ ଗେଲ୍‌ ଓ ରାହୁଲ ଦ୍ୱିତୀୟ ଉଇକେଟ ପାଇଁ ୭୯ ରନ୍‌ ଯୋଡ଼ି ଦଳକୁ ଜିତାଇଥିଲେ। ପଞ୍ଜାବ ମାତ୍ର ୧୭.୪ ଓଭରରେ ଏକ ଉଇକେଟ ହରାଇ ହାସଲ କରିଥିଲା ବିଜୟ ଲକ୍ଷ୍ୟ। ରାହୁଲ ୬୦ ( ୩ ଲେଖାଏ ଚୌକା ଓ ଛକା) ଏବଂ ଗେଲ୍‌ ୪୩ ( ୫ ଚୌକା ଓ ୨ ଛକା) ରନ୍‌ କରି ଅପରାଜିତ ଥିଲେ।

Share