ସର୍ବଭାରତୀୟ ଅବସରପ୍ରାପ୍ତ ମହାସଂଘର ଧାରଣା

ଛତ୍ରପୁର,୧୦।୪(ଡି.ଏନ୍‌.ଏ.): ସର୍ବଭାରତୀୟ ଅବସରପ୍ରାପ୍ତ ମହାସଂଘର ନିଷ୍ପତ୍ତିକ୍ରମେ ଓଡ଼ିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚର ଆହ୍ବାନକ୍ରମେ ଦେଶର ସମସ୍ତ ଜିଲାରେ ଧାରଣା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ଶାଖା ପକ୍ଷରୁ ବିଭିନ୍ନ ଦାବି ସମ୍ବଳିତ ଦାବିପତ୍ର ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି।

ସମସ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସ୍ବାସ୍ଥ୍ୟ ଭତ୍ତା ପ୍ରଦାନ, ସପ୍ତମ ବେତନ କମିଶନରଙ୍କ ସୁପାରିସ ଗ୍ରହଣ, ପ୍ରଥମ ଫର୍ମୁଲା ଅନୁଯାୟୀ ପେନ୍‌ସନ ନିର୍ଦ୍ଧାରଣ, ୬୫ ବର୍ଷ ବୟସରେ ଅତିରିକ୍ତ ପେନ୍‌ସନ ପ୍ରଦାନ, ୧୮ ମାସର ଅତିରିକ୍ତ ମହଙ୍ଗାଭତ୍ତା, ପୂର୍ବଭଳି ୧୨ବର୍ଷରେ କମ୍ୟୁଟେଶନ ପ୍ରଦାନ, ନୂତନ ପେନ୍‌ସନ ବ୍ୟବସ୍ଥା ବାତିଲକରି ପୁରୁଣା ପେନ୍‌ସନ ପ୍ରଚଳନ କରିବାକୁ ଦାବି କରାଯାଇଛି।

ଗଞ୍ଜାମ ଜିଲା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚର ସଭାପତି କାମରାଜୁ ମହାରଣାଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଧାରଣାରେ ରାଜ୍ୟ ସମ୍ପାଦକ ଶ୍ୟାମସୁନ୍ଦରପୁର ଖାଡଙ୍ଗା ଯୋଗଦେଇ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ କର୍ମଚାରୀଙ୍କ ପ୍ରତି ବୈମାତୃକ ମନୋଭାବର ସମାଲୋଚନା କରି ପେନ୍‌ସନର୍ସମାନଙ୍କ ଯୁକ୍ତିଯୁକ୍ତ ଦାବି ପୂରଣ ନ କଲେ ଆଗାମୀ ଦିନରେ ମହାସଂଘ ପକ୍ଷରୁ ଆନ୍ଦୋଳନକୁ ଜୋର୍‌ଦାର କରାଯିବ ବୋଲି ଚେତାବନୀ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ରାଜେନ୍ଦ୍ର କୁମାର ପଣ୍ଡା, କାର୍ଯ୍ୟକାରୀ ସଭାପତି କେ.କୃଷ୍ଣ ମୂର୍ତ୍ତି, ସମ୍ପାଦକ ପ୍ରଦୀପ କୁମାର ସାହୁ, ପୁରୁଷୋତ୍ତମପୁର ବ୍ଳକ ସଭାପତି ନରସିଂହ ପଣ୍ଡା ପ୍ରମୁଖ ପେନ୍‌ସନର୍ସଙ୍କ ଦାବି ଉପରେ ବକ୍ତବ୍ୟ ରଖି ଆନ୍ଦୋଳନ ପାଇଁ ପ୍ରସ୍ତୁତ ରହିବାକୁ ଆହ୍ବାନ ଦେଇଥିଲେ। ଏଥିରେ ଗଞ୍ଜାମ ଜିଲାର ସମସ୍ତ ବ୍ଲକ ସଙ୍ଗଠନର କର୍ମକର୍ତ୍ତା, ଜିଲା ସଂଘର କାର୍ଯ୍ୟକାରୀ କମିଟି ସଭ୍ୟ ଉପସ୍ଥିତି ରହିଥିଲେ।