ସମସ୍ତ ପ୍ରାର୍ଥିତ୍ୱ କାଏମ

କାମାକ୍ଷାନଗର, ୧୦ା୩(ଡି.ଏନ୍‌.ଏ.): ପୌର ନିର୍ବାଚନ ପାଇଁ ବୁଧବାର ନାମାଙ୍କନ ପତ୍ର ଯାଞ୍ଚ ସରିଛି। କାମାକ୍ଷାନଗର ଏନ୍‌ଏସିର ୧୫ଟି ଓ୍ବାର୍ଡରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ୩୦ କାଉନ୍‌ସିଲର ପ୍ରାର୍ଥୀ ଏବଂ ୫ ନଗରପାଳ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ ରହିଥିବା ରିଟର୍ନିଂ ଅଫିସରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
କାମାକ୍ଷାନଗର ଏନ୍‌ଏସିରେ ଚଳିତ ପୌର ନିର୍ବାଚନରେ ୧୫ଟି ଓ୍ବାର୍ଡ ମଧ୍ୟରୁ ୧୪ଟିରେ ବିଜେଡି ପ୍ରାର୍ଥୀ ଦେଇଛି। ସେହିପରି ଭାଜପା ୧୧ ଏବଂ କଂଗ୍ରେସ ମାତ୍ର ୪ ଓ୍ବାର୍ଡରେ ପ୍ରାର୍ଥୀ ଦେବାରେ ସକ୍ଷମ ହୋଇଛି। ୧୫ନମ୍ବର ଓ୍ବାର୍ଡର କାଉନ୍‌ସିଲର ପଦବୀ ଅନୁସୂଚିତ ଜାତି ପାଇଁ ସଂରକ୍ଷଣ ଥିବାବେଳେ ଉକ୍ତ ବର୍ଗର କେହି ନାହାନ୍ତି। ତେଣୁ ୧୫ନଂ. ଓ୍ବାର୍ଡ ଫାଙ୍କା ପଡ଼ିଛି। ଅନ୍ୟପଟେ ନିର୍ବାଚନ ପୂର୍ବରୁ ବିଜେଡି ୩ ସିଟ୍‌ ହାତେଇ ନେଇଛି। କେହି ପ୍ରତିଦ୍ୱନ୍ଦ୍ୱୀ ନ ଥିବାରୁ ୧ନଂ. ଓ୍ବାର୍ଡର ଶୁକଦେବ ସାହୁ, ୬ନଂ. ଓ୍ବାର୍ଡର ଅଭିମନ୍ୟୁ ପରିଡ଼ା, ୭ନଂ. ଓ୍ବାର୍ଡର ରିଙ୍କି ବେହେରା ନିର୍ଦ୍ୱନ୍ଦ୍ୱ ଅଛନ୍ତି। ଅପରପକ୍ଷେ ନାମାଙ୍କନ ଯାଞ୍ଚ ପ୍ରକ୍ରିୟା ସରିବା ପରେ ନଗରପାଳ ଦୌଡ଼ରେ ବିଜେଡିର ଧର୍ମାନନ୍ଦ ପରିଡ଼ା, ଭାଜପାର ରଣଜିତ୍‌ ସାହୁ, କଂଗ୍ରେସର ସନ୍ତୋଷ ମହାରଣା, ଏଏପିର ସୁବୋଧ ବେହେରା ଏବଂ ସ୍ବାଧୀନ ପ୍ରାର୍ଥୀ ଅଭିମନ୍ୟୁ ନାଏକ ଅଛନ୍ତି। ନାମାଙ୍କନ ଦାଖଲ ଦିନରୁ ପ୍ରାର୍ଥୀମାନେ ପ୍ରଚାର ଆରମ୍ଭ କରିଦେଇଛନ୍ତି। ନାମାଙ୍କନ ପ୍ରତ୍ୟାହାର ପରେ ୧୪ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଏହାପରେ ପ୍ରଚାର ଆହୁରି ଜୋର୍‌ଦାର ହେବ। ୨୪ ତାରିଖରେ ମତଦାନ ହେବାକୁ ଥିବାବେଳେ ଏହାକୁ ନେଇ ସହରାଞ୍ଚଳ ରାଜନୀତି ଚଳଚଞ୍ଚଳ ହୋଇଉଠିଛି।