ନୂଆଦିଲ୍ଲୀ,୫ା୧୦:ଦୁବାଇରୁ ତେଲ ଅଭିଭ୍ ଯାଉଥିବା ଫ୍ଲାଇଦୁବାଇର ଫ୍ଲାଇଟ୍ FZ1073ର କକ୍ପିଟ୍ ଆକ୍ରମଣ ମାମଲାରେ ପ୍ରତିଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସେପ୍ଟେମ୍ବର ୩୦ରେ ଘଟିଥିବା ଏହି ଘଟଣାରେ ଭାରତୀୟ କ୍ୟାପ୍ଟେନ୍ ସ୍ମିତ ମାଚ୍ଛରଙ୍କୁ ତାଙ୍କ ଓମାନୀ କୋ-ପାଇଲଟ୍ ହମାମ ଅଲ୍-ହମ୍ମାମି ଆକ୍ରମଣ କରିଥିବା ଅଭିଯୋଗ ରହିଛି। ଏହା ପରେ ବିମାନଟି ହଜାର ହଜାର ଫୁଟ୍ ତଳକୁ ଖସିଥିଲା ଏବଂ ଜରୁରୀକାଳୀନ ଭାବେ ସାଉଦି ଆରବର ତବୁକ୍ରେ ଲ୍ୟାଣ୍ଡିଂ କରାଯାଇଥିଲା।
ତଦନ୍ତ ସମ୍ପର୍କିତ ରିପୋର୍ଟ ଅନୁସାରେ, ହମାମିଙ୍କ ପୂର୍ବ ପୃଷ୍ଠଭୂମି ଏବଂ କଥିତ ଅଲ୍-କାଏଦା ସମ୍ପର୍କକୁ ନେଇ ସୁରକ୍ଷା ଏଜେନ୍ସିଗୁଡ଼ିକ ଖୋଳତାଡ଼ କରୁଛନ୍ତି। କିଛି ରିପୋର୍ଟରେ ତାଙ୍କ ପୂର୍ବ ଚାକିରି ସମୟରେ ଅଲ୍-କାଏଦା ଚିନ୍ତାଧାରା ନେଇ ଚିନ୍ତା ପ୍ରକାଶ ପାଇଥିବା ଏବଂ ତାଙ୍କୁ ଫ୍ଲାଇଂ ଡ୍ୟୁଟିରୁ ହଟାଯାଇଥିବା ଦାବି କରାଯାଇଛି। ତେବେ ତାଙ୍କର ଅଲ୍-କାଏଦା ସହ ସିଧାସଳଖ ସଂଗଠନାତ୍ମକ ସମ୍ପର୍କ ଥିଲା କି ନାହିଁ, ତାହା ତଦନ୍ତର ବିଷୟ ରହିଛି।
ରିପୋର୍ଟ ଅନୁସାରେ, ହମାମିଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଅଲ୍-କାଏଦା ସହ ଜଡ଼ିତ ଚରମପନ୍ଥୀ ଚିନ୍ତାଧାରା ଏବଂ ନେତାଙ୍କ ସମ୍ପର୍କିତ କିଛି ସାମଗ୍ରୀ ଥିବା ତଦନ୍ତକାରୀମାନେ ଯାଞ୍ଚ କରୁଛନ୍ତି। ତାଙ୍କ ନାମରେ ଥିବା ଏକ LinkedIn ପ୍ରୋଫାଇଲ୍ରେ ଘଟଣା ଦିନ କିଛି ସନ୍ଦେହଜନକ ଭିଡିଓ ପୋଷ୍ଟ ହୋଇଥିବା ରିପୋର୍ଟ ମଧ୍ୟ ଆସିଛି। ତେବେ ଉକ୍ତ ପ୍ରୋଫାଇଲ୍ ନିଶ୍ଚିତ ଭାବେ ଅଭିଯୁକ୍ତଙ୍କର ଥିଲା କି ନାହିଁ, ସେନେଇ ସ୍ୱାଧୀନ ଯାଞ୍ଚ ଆବଶ୍ୟକ ବୋଲି ରିପୋର୍ଟରେ କୁହାଯାଇଛି। ଘଟଣା ସମୟରେ ହମାମି କକ୍ପିଟ୍ରେ କ୍ୟାପ୍ଟେନ୍ ସ୍ମିତ ମାଚ୍ଛରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ନୂଆ ବିବରଣୀ ଅନୁସାରେ, ଆକ୍ରମଣ ପୂର୍ବରୁ ସେ ପ୍ରାର୍ଥନା କରୁଥିବା ଭଳି ବ୍ୟବହାର କରିଥିଲେ ଏବଂ ପରେ କ୍ୟାପ୍ଟେନ୍ଙ୍କ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ବିମାନର ଅଟୋପାଇଲଟ୍ ବିଚ୍ଛିନ୍ନ ହୋଇ ବିମାନଟି ଦ୍ରୁତ ଗତିରେ ତଳକୁ ଖସିଥିଲା। ଗୁରୁତର ଭାବେ ଆହତ ହୋଇଥିଲେ ମଧ୍ୟ କ୍ୟାପ୍ଟେନ୍ ମାଚ୍ଛର କକ୍ପିଟ୍ ଦ୍ୱାର ଖୋଲିବାରେ ସଫଳ ହୋଇଥିଲେ। ଏହା ପରେ କ୍ରୁ ଓ ଯାତ୍ରୀମାନେ ମିଶି କୋ-ପାଇଲଟ୍ଙ୍କୁ କାବୁ କରିଥିଲେ। ବିମାନରେ ଥିବା ଅନ୍ୟ ଦୁଇଜଣ ପାଇଲଟ୍ ନିୟନ୍ତ୍ରଣ ନେଇ ବିମାନକୁ ତବୁକ୍ରେ ସୁରକ୍ଷିତ ଭାବେ ଅବତରଣ କରାଇଥିଲେ।
ଏହି ଘଟଣା ପରେ ଏକ ଅଲ୍-କାଏଦା ସମର୍ଥକ ପ୍ରକାଶନରେ ଫ୍ଲାଇଦୁବାଇ ଘଟଣା ଏବଂ ୯/୧୧ ଆତଙ୍କବାଦୀ ଆକ୍ରମଣର ଉଲ୍ଲେଖ ହୋଇଥିବା ରିପୋର୍ଟ ସାମ୍ନାକୁ ଆସିଛି। ଏହି ପ୍ରକାଶନରେ ଆମେରିକୀୟ ଓ ଇସ୍ରାଏଲୀ ଲୋକଙ୍କୁ ନେଇ ଯାଉଥିବା ବିମାନକୁ ଟାର୍ଗେଟ୍ କରିବା ପାଇଁ ଆହ୍ୱାନ ଦିଆଯାଇଥିବା ଖବର ମିଳିଛି।
ତେବେ ଏହି ପ୍ରକାଶନର ଉଲ୍ଲେଖକୁ ଆଧାର କରି ହମାମିଙ୍କ ଅଲ୍-କାଏଦା ସହ ସିଧାସଳଖ ସମ୍ପର୍କ ଥିଲା ବୋଲି ନିଶ୍ଚିତ କରାଯାଇନାହିଁ। ଅଭିଯୁକ୍ତଙ୍କ ଉଦ୍ଦେଶ୍ୟ, ପୂର୍ବ ପ୍ରସ୍ତୁତି ଏବଂ କୌଣସି ଆତଙ୍କୀ ସଂଗଠନ ସହ ସମ୍ପର୍କ ଥିଲା କି ନାହିଁ, ସେନେଇ UAE ସମେତ ସମ୍ପୃକ୍ତ ଦେଶର ସୁରକ୍ଷା ଏଜେନ୍ସି ତଦନ୍ତ ଜାରି ରଖିଛନ୍ତି ।