Categories: ଭଦ୍ରକ

ନୂଆବର୍ଷରେ ଆଖଣ୍ଡଳମଣି ପୀଠ ଖାଁ ଖାଁ

ଆରଡ଼ି, ୨।୧ (ଡି.ଏନ.ଏ.) ଭଦ୍ରକ ଜିଲା ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠ ଶନିବାର ଖଁା ଖଁା ଲାଗିଥିଲା। ମନ୍ଦିର ବାହାରେ ଜିଲା ପ୍ରଶାସନ ପକ୍ଷରୁ ୩ଦିନ ପାଇଁ ୧୪୪ ଧାରା ଲାଗୁ କରାଯାଇଛି। ପୀଠକୁ ଅଳ୍ପ କେତେଜଣ ଶ୍ରଦ୍ଧାଳୁ ଆସିଥିଲେ। ସେମାନେ ଦିଅଁ ଦର୍ଶନ କରି ନ ପାରିବାରୁ ଦୁଃଖ ପ୍ରକାଶ କରିଥିଲେ। ମନ୍ଦିର ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରରେ ତାଲା ଝୁଲୁଥିଲା। କେବଳ ସେବାୟତମାନେ କୋଭିଡ୍‌ ନିୟମ ମାନି ଦୈନନ୍ଦିନ ନୀତିକାନ୍ତି ସମାପନ କରିଥିଲେ। ସକାଳ ୫ଟାରେ ମନ୍ଦିର ପହଡ଼ ଖୋଲାଯାଇ ମଙ୍ଗଳ ଆଳତି କରାଯାଇଥିଲା। ପରେ ନୂଆବର୍ଷ ପାଇଁ ସେବାୟତଙ୍କ ପକ୍ଷରୁ କୋଭିଡ୍‌ ଦୂର ପାଇଁ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ସକାଳ ଧୂପ, ପହଡ଼କିଆ ନୀତି ଓ ମଧ୍ୟାହ୍ନରେ ବଡ଼ଭୋଗ ପ୍ରଭୁଙ୍କୁ ଅର୍ପଣ କରାଯାଇ ଅପରାହ୍ନରେ ବାବା ଆଖଣ୍ଡଳମଣିଙ୍କୁ ପ୍ରଥମେ ଯୋଗୀବେଶ ଓ ପରେ ବଡ଼ସିଂହାର ବେଶରେ ସଜ୍ଜିତ କରାଯାଇଥିଲା। ଆରଡ଼ି ଫାଣ୍ଡି ପୋଲିସ ପୀଠରେ ଉପସ୍ଥିତ ରହି ଭିଡ଼ ନ ହେବା ପାଇଁ ଧ୍ୟାନ ଦେଇଥିଲେ। ସୋମବାର ସକାଳ ୬ଟାରେ ମନ୍ଦିର ଖୋଲିବ ଓ ଭକ୍ତମାନେ ଦିଅଁ ଦର୍ଶନ କରିପାରିବେ ବୋଲି ଉପଜିଲାପାଳ ତଥା ମ୍ୟାନେଜିଂ ଟ୍ରଷ୍ଟି ମନୋଜ କୁମାର ପାତ୍ର ସୂଚନା ଦେଇଛନ୍ତି।