Categories: ଖେଳ

‘ଓଡ଼ିଶାକୁ ଭଲ ସ୍ପିନର ଦେବା ଲକ୍ଷ୍ୟ’

କଟକ ଅଫିସ, ୬ା୬: ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ସ୍ପିନରଙ୍କ ପାଇଁ ଅନୁଷ୍ଠିତ ୧୫ ଦିନିଆ ଶିବିର ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଭେଙ୍କଟପତି ରାଜୁଙ୍କ ତତ୍ତ୍ୱାବଧାନରେ ସୋମବାର ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହୋଇଛି। ୪୬ ଜଣ ସ୍ପିନରଙ୍କୁ ପ୍ରଶିକ୍ଷଣ ପ୍ରଦାନ କରି ଆଗାମୀଦିନରେ ସେମାନଙ୍କୁ ଓଡ଼ିଶା ପାଇଁ ପ୍ରସ୍ତୁତ କରିବା ତାଙ୍କ ଲକ୍ଷ୍ୟ ବୋଲି ରାଜୁ କହିଛନ୍ତି । ଏହି ଅବସରରେ ଓସିଏ ପକ୍ଷରୁ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ରାଜୁ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ। ଓଡ଼ିଶାର ସ୍ପିନ୍‌ ବୋଲରଙ୍କୁ ସଶକ୍ତ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ପାଇଁ ସେ ଓସିଏ ସମ୍ପାଦକ ଓ ଅନ୍ୟାନ୍ୟ ସଦସ୍ୟଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଓସିଏ ପକ୍ଷରୁ ସ୍ପିନର ଟ୍ୟାଲେଣ୍ଟ ହଣ୍ଟ କାର୍ଯ୍ୟକ୍ରମରେ ମୁଖ୍ୟ କୋଚ୍‌ ଦୀନେଶ ମୋଙ୍ଗିଆଙ୍କ ଦ୍ୱାରା ମନୋନୀତ ୪୬ ଜଣ ଖେଳାଳି ଏହି ୧୫ ଦିନିଆ ଶିବିରରେ ଯୋଗଦେଇଛନ୍ତି। ୧୪ରୁ ୨୧ ବର୍ଷୀୟ ଖେଳାଳିଙ୍କୁ ନେଇ ହେଉଥିବା କ୍ୟାମ୍ପରେ ଦୈନିକ ୩ଟି ସେଶନ କରାଯିବ। ୧୪ରୁ ୧୬ ବର୍ଷ ବୟସର ଖେଳାଳିଙ୍କୁ ବୋଲିଂ ଆକ୍ସନ ସହିତ ଶୃଙ୍ଖଳା ଶିଖାଇବା ଉପରେ ଗୁରୁତ୍ୱାରୋପ କରାଯିବ। ସେହିପରି ୧୭-୨୧ ବର୍ଷ ବୟସର ଖେଳାଳିଙ୍କୁ ବୋଲିଂ ଟେକ୍‌ନିକ ସହିତ ମ୍ୟାଚ୍‌ ଖେଳିବା ପାଇଁ ମାନସିକ ଭାବରେ ପ୍ରସ୍ତୁତ କରାଯିବ। ସମସ୍ତ ଖେଳାଳିଙ୍କ ବୋଲିଂ ଆକ୍ସନର ଭିଡିଓ ମନିଟର କରାଯିବା ସହିତ ସୁଧାର ଆଣିବାକୁ ପ୍ରୟାସ କରାଯିବ। କ୍ରିକେଟ ଖେଳରେ ସ୍ପିନରଙ୍କ ଭୂମିକା ଯଥେଷ୍ଟ ଅଧିକ ଗୁରୁତ୍ୱ ଥାଏ। ଯେ କୌଣସି ସମୟରେ ମ୍ୟାଚର ମୋଡ଼ ବଦଳାଇବାରେ ସ୍ପିନର ସ୍ବତନ୍ତ୍ର ଭୂମିକା ଥାଏ । ସେମାନଙ୍କୁ ପ୍ରଶିକ୍ଷଣ ଦେଇ ଓଡ଼ିଶାକୁ କିଛି ଭଲ ସ୍ପିନର ଦେବା ତାଙ୍କର ଲକ୍ଷ୍ୟ ବୋଲି ଭେଙ୍କଟପତି ରାଜୁ ପ୍ରକାଶ କରିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଓସିଏର ସିଇଓ ସୁବ୍ରତ ବେହେରା ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ୫୪ ବର୍ଷ ବୟସ୍କ ଭେଙ୍କଟପତି ରାଜୁ ୧୯୯୦ରୁ ୨୦୦୧ ମଧ୍ୟରେ ଭାରତ ପାଇଁ ୨୮ ଟେଷ୍ଟରୁ ୯୩ ଏବଂ ୫୩ ଦିନିକିଆରୁ ୬୩ ୱିକେଟ ନେଇଛନ୍ତି।

Share