ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ରିଷିଗାଁ ସ୍ଥିତ ଏସଏନ ସମ୍ମିଳନୀ କକ୍ଷରେ ବୁଧବାର ଜିଲା ସ୍ତରୀୟ ଚାଷୀ ଓ କ୍ରେତା ମଧ୍ୟରେ ସମ୍ପର୍କ ସୃଷ୍ଟି ଏବଂ ଉତ୍ପାଦର ବ୍ୟବସ୍ଥା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାକୁ ଜିଲା କୃଷି ବିଭାଗ ଓ ଏଏଫସି ଇଣ୍ଡିଆ ଲିମିଟେଡ଼ ନାମକ ଏକ ଏନଜି ଓ ଆୟୋଜନ କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ୧୦ ଟି ବ୍ଲକର ଚାଷୀ ଯୋଗ ଦେବାର ଥିଲା । ମାତ୍ର ପ୍ରଚାର ପ୍ରସାର ଅଭାବରୁ ଅନେକ ଚାଷୀ ଆସିନଥିଲେ। କୃଷି ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ପାଇଁ ୧୧ ଲକ୍ଷ ଟଙ୍କା ଆସି ଥିବା ଜଣାପଡିଥିବାବେଳେ ସେହି ଅନୁସାରେ କୃଷି ବିଭାଗ ଓ ପରିଚାଳନା କରୁଥିବା ଏନଜିଓ କାର୍ଯ୍ୟ ନ କରି ବାଟ ମାରଣା କରିଥିବା ଅଭିଯୋଗ ହୋଇଛି। ଚାଷୀମାନଙ୍କୁ ସଚେତନତା ଆଳରେ ଏକ ଫାଇଲ,ଟିଫିନ,ଖାଇବା ଦେଇ,ଫୋଟୋ ସାରି ତରବରିଆ ଭାବରେ ଏହି କାର୍ଯ୍ୟକ୍ରମକୁ ସାରି ଦିଆଯାଇଥିଲା। ଏପରିକି ଏହି ଅନିୟମିତତାର ବିଷୟରେ ଲୋକଲୋଚନକୁ ଆସିଯିବ ବୋଲି ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇନଥିଲା। ଚାଷୀ ଓ କ୍ରେତା ମଧ୍ୟରେ ସମ୍ପର୍କ ସୃଷ୍ଟି ଏବଂ ଉତ୍ପାଦର ବ୍ୟବସ୍ଥା ଉପରେ ସଚେତନତା କରାଯାଉଥିବା ଏହି କାର୍ଯ୍ୟକ୍ରମ ପ୍ରହସନ ପାଲଟିଥିଲା। ଏ ନେଇ ଜିଲା କୃଷି ବିଭାଗର ଯୋଜନା ଅଧିକାରୀ ବିଶନାଥ ମହାପାତ୍ରଙ୍କୁ ପଚାରିବାରୁ ଏହି କାର୍ଯ୍ୟକ୍ରମ କୃଷି ବିଭାଗର ହେଲେ ଏହାକୁ ଏଏଫସି ଇଣ୍ଡିଆ ଲିମିଟେଡ଼ ଏନଜିଓ ପରିଚାଳନା କରୁଥିଲା। ଆମର କିଛି ଭୂମିକା ନାହିଁ ବୋଲି ସଫେଇ ଦେଇଥିଲେ। ଅନ୍ୟପଟେ,
ଏଏଫସି ଇଣ୍ଡିଆ ଲିମିଟେଡ଼ ଏନଜିଓର ଜିଲା ସଂଯୋଜକ ଅମିୟ କୁମାର ପଣ୍ଡାଙ୍କୁ ପଚାରିବାରୁ ରାଜ୍ୟ ସ୍ତରରୁ ଆମ ସଂସ୍ଥାର ଆସି ପରିଚାଳନା କରୁଥିଲେ। ମୋର ଏଥିରେ କିଛି ଭୂମିକା ନାହିଁ ବୋଲି ସେ ମଧ୍ୟ ସଫେଇ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଆୟୋଜନରେ ଅତି ବେଶୀରେ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଇଥିବ ବୋଲି ସାଧାରଣରେ ଆଲୋଚନା ହେଉଛି। ଅବଶିଷ୍ଟ ଟଙ୍କାକୁ କୃଷି ବିଭାଗ ଓ ପରିଚାଳନା କରୁଥିବା ଏନ ଜି ଓ ର କର୍ମକର୍ତ୍ତା ହଡ଼ପ କରିଥିବା ଅଭିଯୋଗ ହୋଇଛି। ଏହାର ଉଚ୍ଚ ସ୍ତରୀୟ ତଦନ୍ତ ତଥା ଭିଜିଲାନ୍ସ ତଦନ୍ତ କରିବାକୁ ଚାଷୀ ମହଲରେ ଦାବି ହୋଇଛି।


