ବୈଶିଙ୍ଗା,୧୩।୧୦(ରତନ ଦାଶ): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ତଥା ବୈଶିଙ୍ଗା ଥାନା ଅନ୍ତର୍ଗତ ବଣଦାମଦରପୁର ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କ ବଦଳି ନିର୍ଦ୍ଦେଶକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଗ୍ରାମବାସୀ ବଦଳିକୁ ପ୍ରତ୍ୟାହାର ଦାବି କରି ବିଦ୍ୟାଳୟ ଫାଟକରେ ତାଲା ପକାଇ ପ୍ରତିବାଦ କରିଥିଲେ। ଏନେଇ ଘଟଣାସ୍ଥଳରେ ଉତ୍ତେଜନା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା।
ମିଳିଥିବା ସୂଚନା ମୁତାବକ, ବିଦ୍ୟାଳୟରେ ୬ଟି ଶ୍ରେଣୀରେ ୫୬ ଛାତ୍ରୀଛାତ୍ର ପଢୁଛନ୍ତି। ବିଦ୍ୟାଳୟରେ ୩ଜଣ ଶିକ୍ଷୟିତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ବସୁମତୀ ଜେନାଙ୍କୁ ବିଭାଗ ପକ୍ଷରୁ ଅନ୍ୟତ୍ର ବଦଳି ନିର୍ଦ୍ଦେଶ ଦିଆଯାଇଛି। ହେଲେ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି।
ଗ୍ରାମବାସୀଙ୍କ କହିବା ମୁତାବକ, ବିଦ୍ୟାଳୟ ଛାଡ଼ିଥିବା କିଛି ପିଲା ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ଆଦର ଯତ୍ନ ପାଇ ବିଦ୍ୟାଳୟକୁ ନିୟମିତ ଆସିବା ସହ ପାଠପଢ଼ାରେ ଆଗ୍ରହ ପ୍ରକାଶ କରୁଛନ୍ତି। ହେଲେ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଏହାକୁ ଗ୍ରାମବାସୀ ବିରୋଧ କରିଛନ୍ତି।
ଏଭଳିସସ୍ଥିତିରେ ଅଭିଭାବକମାନେ ଗତ ଶୁକ୍ରବାର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଭାବେ ବଦଳି ବାତିଲ କରିବାକୁ ଅନୁରୋଧ କରିଥିଲେ। ତେବେ ବଦଳି ବାତିଲ ହେବା ପରିବର୍ତ୍ତେ ଶିକ୍ଷୟିତ୍ରୀଙ୍କୁ ଅନ୍ୟ ଏକ ବିଦ୍ୟାଳୟରେ ଯୋଗଦାନ ପାଇଁ ନିର୍ଦ୍ଦେଶ ଆସିବା ପରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମବାସୀ ମଙ୍ଗଳବାର ସ୍କୁଲ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ। ଅନ୍ୟପକ୍ଷେ ଆନ୍ଦୋଳନ ଯୋଗୁ କୋମଳମତି ଛାତ୍ରୀଛାତ୍ରଙ୍କୁ ବାହାରେ ଖରାରେ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ିଥିଲା
ଖବରପାଇ ଅତିରିକ୍ତ ଶିକ୍ଷା ଅଧିକାରୀ ଅପର୍ଣ୍ଣା ସାହୁ ଘଟଣାସ୍ଥଳରେ ପହଞ୍ଚି ଅଭିଭାବକମାନଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। ହେଲେ ପରିଚାଳନା କମିଟିର ସଦସ୍ୟ ସୋମନାଥ ମହାନ୍ତ ଶିକ୍ଷୟିତ୍ରୀଙ୍କ ବଦଳି ବାତିଲ ନ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଥିଲେ। ପିଲାଙ୍କ ଭବିଷ୍ୟତ ପ୍ରତି ବିଭାଗ କେତେ ଯତ୍ନବାନ ତାହା ଉପରେ ଅଞ୍ଚଳବାସୀଙ୍କ ନଜର ରହିଛି।