ପ୍ରତିଶ୍ରୁତି ପରେ ଭାଙ୍ଗିଲା ଆମରଣ ଅନଶନ

ଆନନ୍ଦପୁର,୧୩।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଢେଙ୍କା ପଞ୍ଚାୟତ ସଙ୍ଗମ ଗ୍ରାମର ଦୁଇ ପରିବାର ନ୍ୟାୟ ପାଇଁ ଆନନ୍ଦପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ମଧ୍ୟାହ୍ନଠାରୁ ଆମରଣ ଅନଶନ ଆରମ୍ଭ କରିଥିଲେ। ଶୁକ୍ରବାର ରାତି ୮ଟା ପରେ ସୋସୋ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନଶନକୁ ଭଣ୍ଡୁର କରିବାକୁ ଉଦ୍ୟମ କରିବା ଏବଂ ଏକ ସାଧା କାଗଜରେ ଅନଶନକାରୀକୁ ଦସ୍ତଖତ କରିବାକୁ କହିଥିବା ନିଜ ସମ୍ପର୍କୀୟଙ୍କ ସହ ଅନଶନରେ ବସିଥିବା ଟୁକୁନା ପାତ୍ର ସୂଚନା ଦେଇଛନ୍ତି। ତେବେ ଅନଶନକାରୀ ପୋଲିସ କଥାକୁ ଭ୍ରୁକ୍ଷେପନକରି ଶୀତ ରାତିରେ ଅନଶନସ୍ଥଳରେ ଶୋଇବା ସହିତ ଏହି ଅନଶନ ଜାରି ରଖିଥିଲେ। ଶନିବାର ମଧ୍ୟାହ୍ନରେ ଆନନ୍ଦପୁର ଉପଜିଲାପାଳ ସରୋଜ କୁମାର ଦତ୍ତ ଘଟଣାସ୍ଥଳରେ ପହଞ୍ଚି ଅନଶନକାରୀଙ୍କ ସହିତ ଆଲୋଚନା କରିବା ସହିତ ସୋସୋ ପୋଲିସ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପ୍ରତିଶ୍ରୁତି ଦେବା ପରେ ଅନଶନ ଭଙ୍ଗ ହୋଇଥିଲା।

ସୂଚନାଯୋଗ୍ୟ, ସଙ୍ଗମ ଗ୍ରାମର ଗଙ୍ଗାଧର ପାତ୍ରଙ୍କ ସ୍ତ୍ରୀ ରମ୍ଭା ପାତ୍ର ଏବଂ କୈଳାସ ପାତ୍ରଙ୍କ ସ୍ତ୍ରୀ ସୁମିତ୍ରା ପାତ୍ର ଉଭୟ ପୃଥକ ସମସ୍ୟାକୁ ନେଇ ୨୧.୧.୨୧ ଏବଂ ୨.୨.୨୧ ରେ ସ୍ଥାନୀୟ ସୋସୋ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଗୁରୁତ୍ୱ ଦିଆଯାଉ ନ ଥିବା ଅଭିଯୋଗ କରି ସମ୍ପୃକ୍ତ ପରିବାର ଚଳିତ ମାସ ୮ ତାରିଖରେ ଆନନ୍ଦପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ। ମାତ୍ର କୌଣସି ସୁଫଳ ନମିଳିବାରୁ ସମ୍ପୃକ୍ତ ପରିବାରବର୍ଗ ଅନଶନକୁ ଓହ୍ଲାଇଥିଲେ।