ଖବର ପ୍ରକାଶ ପରେ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ ଆରମ୍ଭ

ସୋରଡ଼ା,୧୬ା୧୨(ଡି.ଏନ୍‌.ଏ.): ଜାତୀୟ ରାଜପଥରୁ ସହର ମଧ୍ୟକୁ ସଂଯୋଗ କରୁଥିବା ନେତାଜୀ ସାହି ରାସ୍ତାର କଇଠପଲି ସାହି ନିକଟରେ ରାସ୍ତାପାର୍ଶ୍ୱ ୧୫ ଫୁଟ ଲମ୍ବରେ ଭୁଶୁଡି ପଡ଼ିଥିଲା। ଫଳରେ ରାସ୍ତାପାର୍ଶ୍ୱ ଖାଲ ମଧ୍ୟକୁ ଗାଡ଼ିମୋଟର ଖସିପଡ଼ିବା ଭୟ ରହିଥିଲା। ଦୀର୍ଘ ବର୍ଷ ହେଲା ଉକ୍ତ ସ୍ଥାନରେ ଗାର୍ଡଓ୍ବାଲ୍‌ ନିର୍ମାଣ ପାଇଁ ଦାବି ହୋଇଆସୁଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ମିଳିଥିଲା।

ଏନେଇ ‘ଧରିତ୍ରୀ’ରେ ‘୧୫ ଫୁଟ ଲମ୍ବରେ ଭୁଶୁଡ଼ି ଗଲାଣି ରାସ୍ତା’ ଶୀର୍ଷକ ଏକ ଖବର ବୁଧବାର ପ୍ରକାଶ ପାଇଥିଲା। ତେବେ ଯୁଦ୍ଧକାଳୀନ ଭିତ୍ତିରେ ଉକ୍ତ ରାସ୍ତା ପାର୍ଶ୍ୱରେ ୧୫ ଫୁଟ ଲମ୍ବ ଓ ୧୫ ଫୁଟ ଓସାରରେ ଗାର୍ଡଓ୍ବାଲ ନିର୍ମାଣ କରିବାକୁ ନୂତନ ଅଧ୍ୟକ୍ଷ ଶିବଶଙ୍କର ପଣ୍ଡା ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଦୂତିକୃଷ୍ଣ ପାତ୍ରଙ୍କ ନିକଟରେ ଦାବି ହୋଇଥିଲା। ସେ ଏନେଇ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ସେହି କ୍ରମରେ ଶୁକ୍ରବାର ଯୁଦ୍ଧକାଳୀନ ଭିତ୍ତିରେ ଉକ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏହା ଦେଖି ସହରବାସୀ ଖୁସି ବ୍ୟକ୍ତ କରିଛନ୍ତି।