ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚଳିତବର୍ଷ ଉତ୍ସାହର ଉଦ୍ଦୀପନାର ସହିତ ଉଦ୍ଯାପିତ ହୋଇଥିଲା । ଅନ୍ୟବର୍ଷ ତୁଳନାରେ ଏଥର ମହୋତ୍ସବର ଆକର୍ଷଣ ସହିତ ଦର୍ଶକଙ୍କ ସଂଖ୍ୟା ମଧ୍ୟ ବଢ଼ିଥିବା ପରିଲକ୍ଷିତ ହୋଇଥିଲା। ନୂଆ ଭାଜପା ସରକାର ମହୋତ୍ସବ ପାଇଁ କରିଥିବା ଘୋଷଣା ଗୁଡ଼ିକ ଅଧୁରା ରହିଯାଇ ଥିବା ଯୋଗୁ ଅସନ୍ତୋଷ ଲାଗି ରହିଛି। ସରକାରଙ୍କ ଘୋଷଣା ମୁତାବକ ୧୬୪ ଧନୁଯାତ୍ରା କଳାକାରମାନଙ୍କୁ ୧୦ହଜାର ଟଙ୍କା ଲେଖାଏ ସହାୟତା ରାଶି ମିଳିପାରି ନ ଥିବା ଯୋଗୁ ବରଗଡ ନାଗରିକ ମଞ୍ଚ ଧନୁଯାତ୍ରା ମହୋତ୍ସବ ସମିତିର ତଥା ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଫେରାଦ ହୋଇଥିଲା। ଏହାପରେ ସୋମବାର କଂସ ମହାରାଜ ଅଭିନେତା ଭୁବନେଶ୍ବର ପ୍ରଧାନଙ୍କ ସମେତ ୧୬୦ କଳାକାରଙ୍କ ଆକାଉଣ୍ଟକୁ ୧୦ହଜାର ଟଙ୍କା ଲେଖାଏ ସହାୟତା ରାଶି ଯାଇଥିବା ନେଇ ସୂଚନା ମିଳିଛି। ଅନ୍ୟପକ୍ଷରେ କଂସ ଦରବାରରେ ରାଜ ଅତିଥିଭାବେ ଯୋଗଦେଇ ଖାଦ୍ୟ, ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମଥୁରାର ଖାଉଟୀମାନଙ୍କୁ ଗୋଟିଏ ମାସର ଅତିରିକ୍ତ ଚାଉଲ ଦିଆଯିବ ବୋଲି ଘୋଷଣା କରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ତାହା ମିଳି ନ ଥିବା ଅଭିଯୋଗ ହୋଇଛି। ତାହା କେବେ ମିଳିବ ବୋଲି ବରଗଡ଼ ନାଗରିକ ମଞ୍ଚ ପ୍ରଶ୍ନ କରିଛି।


