ଅଭିଯୋଗ ପରେ ମିଳୁଛି ଧମକ, ମୋବାଇଲ ଗଲା, ଏବେ ଜୀବନ ପ୍ରତି ରହିଛି ଭୟ

ବାଲିପାଟଣା,୧୦ା୭(ଅଭିମନ୍ୟୁ ନାୟକ): ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଘଟିଥିବା ଏକ ମୋବାଇଲ ଛଡ଼ାଇ ନେବା ଘଟଣା ଏବେ ନୂଆମୋଡ଼ ନେଇଛି। ଅଭିଯୋଗ କରିବା ପରେ ପୀଡ଼ିତଙ୍କୁ ବାରମ୍ବାର ଧମକପୂର୍ଣ୍ଣ ଫୋନ ଆସୁଥିବା ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଫୋନ କରୁଥିବା ବ୍ୟକ୍ତି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଗୁରୁତର ପରିଣାମ ଭୋଗିବାକୁ ଧମକ ଦେଉଥିବା ପୀଡ଼ିତ କହିଛନ୍ତି। ଏନେଇ ପୋଲିସ କେସ୍‌ ନଂ ୨୪୫/୨୬ରେ ମାମଲା ରୁଜୁ କରି ତଦନ୍ତ ଚଲାଇଛି।

ସୂଚନା ଅନୁସାରେ, ବାଲିପାଟଣା ଥାନା ଅନ୍ତର୍ଗତ ବିଶ୍ୱନାଥପୁର ଗ୍ରାମର ମନମୋହନ ନାୟକ ଗତ ୭ ଜୁନ୍‌ ଅପରାହ୍ନରେ କଣ୍ଟାପଡ଼ାରୁ ଫେରୁଥିବା ବେଳେ ପ୍ରତାପରୁଦ୍ରପୁର ପଞ୍ଚାୟତ ଅଧୀନ ଅଖଣେଶ୍ୱର ମନ୍ଦିର ନିକଟରେ ଏକ ସ୍କୁଟିରେ ଆସିଥିବା ଦୁର୍ବୃତ୍ତ ତାଙ୍କୁ ଭୟଭୀତ କରି ମୋବାଇଲ ଛଡ଼ାଇ ନେଇ ଫେରାର ହୋଇଯାଇଥିଲା। ଏନେଇ ସେ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ପୀଡ଼ିତଙ୍କ ଅଭିଯୋଗ ଅନୁସାରେ, ଘଟଣାର ପ୍ରାୟ ଏକ ମାସ ପରେ ମଧ୍ୟ ମୋବାଇଲ ଉଦ୍ଧାର ହୋଇନାହିଁ। ଏହାରି ମଧ୍ୟରେ ବାରମ୍ବାର ଫୋନ ଆସି ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଧମକ ଦିଆଯାଉଛି। ଏହାକୁ ନେଇ ପୀଡ଼ିତ ଓ ତାଙ୍କ ପରିବାର ଭୟଭୀତ ଅବସ୍ଥାରେ ରହିଥିବା ଜଣାପଡ଼ିଛି।

ପୀଡ଼ିତଙ୍କ କହିବା ଅନୁସାରେ, ଏହି ଥାନା ଅଧୀନ ବିସରପୁରର ବାସିନ୍ଦା ଚନ୍ଦନ ପଲେଇ ନାମକ ଅଭିଯୁକ୍ତ ଫୋନ୍‌ରେ ଯୋଗାଯୋଗ କରି ଘଟଣାରେ ନିଜର ଭୁଲ ଥିବା ସ୍ବୀକାର କରିଥିଲେ। ତଥାପି ସେ ଏବେ ବି ଫେରାର ରହିଛନ୍ତି। ଏହି ସମ୍ପର୍କରେ ପୋଲିସ ଅବଗତ ଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଏପର୍ଯ୍ୟନ୍ତ ଗିରଫ କରିବାରେ ସକ୍ଷମ ହୋଇନାହିଁ। ତେବେ ପୋଲିସ ଅଧିକାରୀ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

Share