ଗୋପାଳଙ୍କ ଘର ପରେ ବ୍ୟାଙ୍କରେ ଯାଞ୍ଚ

ବ୍ରହ୍ମପୁର ଅଫିସ,୫।୨: ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପୋଲିସ ଗୁଳିରେ ମୃତ୍ୟୁ ପରେ ବ୍ରହ୍ମପୁରରେ ଥିବା ଗୋପାଳଙ୍କ ଘର ଓ ଅନ୍ୟାନ୍ୟ ସ୍ଥାନରେ କ୍ରାଇମବ୍ରାଞ୍ଚ ଟିମ୍‌ ତଦନ୍ତ ଜାରି ରଖିଛି। ଡିଏସ୍‌ପି ଶିଶିର ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍‌ ଗତ ୩୧ ତାରିଖରୁ ୫ ଦିନ ଧରି ବିଭିନ୍ନ ଦିଗକୁ ନେଇ ତନାଘନା ଚଳାଇଛି। ଶନିବାର ପୁଣିଥରେ ଅଭିଯୁକ୍ତ ପୋଲିସ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସଙ୍କ ଶିଳ୍ପାଞ୍ଚଳ ପଞ୍ଚଶୀଳମାର୍ଗସ୍ଥିତ ଘରକୁ ଯାଇଥିଲା। ସେଠାରେ ତାଙ୍କ ସ୍ତ୍ରୀ ଜୟନ୍ତୀ ଦାସ ଓ ପଡ଼ୋଶୀଙ୍କ ଉପସ୍ଥିତିରେ ଘର ଯାଞ୍ଚ କରିଥିଲା। ଗୋପାଳ ଓ ତାଙ୍କ ପରିବାରବର୍ଗଙ୍କ କେତେକ ବ୍ୟାଙ୍କ କାଗଜପତ୍ର ଓ ପ୍ରେସ୍‌କ୍ରିପ୍‌ଶନ ଜବତ କରିଥିଲା। ଏହାପରେ ଟିମ୍‌ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପରିସରରେ ଥିବା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଶାଖାକୁ ଯାଇ ସେଠାରେ ଗୋପାଳ ଏବଂ ପରିବାରବର୍ଗଙ୍କ ପକ୍ଷରୁ ବ୍ୟାଙ୍କରେ କରାଯାଇଥିବା ଆର୍ଥିକ କାରବାର ଉପରେ ତଥ୍ୟ ସଂଗ୍ରହ କରିଥିଲା। ଏହା ପୂର୍ବରୁ ଟିମ୍‌ ସିଟି ବସ୍‌ଷ୍ଟାଣ୍ଡକୁ ଯାଇ ବ୍ରହ୍ମପୁରରୁ ଝାରସୁଗୁଡ଼ା ଅଭିମୁଖେ ଯାଉଥିବା ଦୁଇଟି ବସ୍‌ର କଣ୍ଡକ୍ଟର ଓ ଡ୍ରାଇଭରଙ୍କୁ ଜେରା କରିଥିଲା। ସେମାନେ ଗୋପାଳଙ୍କ ପାଇଁ କେବେ କି ପ୍ରକାର ଔଷଧ କିମ୍ବା କୌଣସି ପାର୍ସଲ ନେଇଥିଲେ କି ନାହିଁ ସେ ନେଇ ତଥ୍ୟ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି।
ଏ ସମ୍ପର୍କରେ ଡିଏସ୍‌ପି ମିଶ୍ର କହନ୍ତି, ବର୍ତ୍ତମାନ ତଦନ୍ତ ଜାରି ରହିଛି। ଗୋପାଳଙ୍କ ପରିବାରବର୍ଗଙ୍କୁ ପୁଣିଥରେ ପଚରାଉଚରା ସହ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଯାଞ୍ଚ କରାଯାଇଛି।