Categories: ଖେଳ

ବିଶ୍ୱକପ୍‌ ଜିତିଲେ ବିବାହ କରିବେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ, ୧୨।୭- ଆଫଗାନିସ୍ତାନ କ୍ରିକେଟ୍‌ ଦଳର ଷ୍ଟାର୍‌ ଖେଳାଳି ରଶିଦ୍‌ ଖାନ ନିଜ ବୋଲିଂରେ ବିଭିନ୍ନତା ପାଇଁ ବିଶ୍ୱରେ ବେଶ୍‌ ସଫଳତା ଲାଭ କରିଛନ୍ତି। ୨୦୧୫ରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ରଶିଦ୍‌ ବୋଲିଂରେ ଲେଗ୍‌ସ୍ପିନ, ଗୁଗ୍‌ଲୀ, ଗତି ରହୁଥିବାରୁ ବିଶ୍ୱରେ ସେ ଶ୍ରେଷ୍ଠ ସ୍ପିନର ମାନ୍ୟତା ପାଇଛନ୍ତି। ତେବେ ଏକ ସାକ୍ଷାତ୍‌କାର ଅବସରରେ ରଶିଦ୍‌ କହିଛନ୍ତି ଆଫଗାନିସ୍ତାନ ଦଳ ଆଇସିସି ବିଶ୍ୱକପ୍‌ ଜିତିବା ପରେ ହିଁ ସେ ବିବାହ କରିବେ। ତାଙ୍କର ଏହି ମନ୍ତବ୍ୟକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ୨୧ ବର୍ଷୀୟ ଏହି ସ୍ପିନର କହିଛନ୍ତି, ‘ବିବାହ ପାଇଁ ପ୍ଲାନ କରିସାରିଛି। କିନ୍ତୁ ମୁଁ ଚାହୁଁଛନ୍ତି ଆଫଗାନିସ୍ତାନ ଟିମ୍‌ ଏଥିପୂର୍ବରୁ ଆଇସିସି ବିଶ୍ୱକପ୍‌ ଜିତି ଯାଉ। ଦଳ ଆଇସିସି ବିଶ୍ୱକପ୍‌ ଜିତିସାରିଲା ପରେ ହିଁ ଯାଇ ବିବାହ କରିବି।’ ୨୦୧୫ରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ରଶିଦ୍‌ ବର୍ତ୍ତମାନ ସୁଦ୍ଧା ୪ ଟେଷ୍ଟ, ୭୦ ଦିନିକିଆ ଓ ୪୮ ଟି୨୦ ମ୍ୟାଚ୍‌ ଖେଳି ସାରିଛନ୍ତି। ଦିନିକିଆ ଓ ଟି୨୦ରେ ସେ ଯଥାକ୍ରମେ ୧୩୩ ଓ ୮୯ ଉଇକେଟ୍‌ ହାସଲ କରିଛନ୍ତି। ସେହିଭଳି ଟେଷ୍ଟରେ ସେ ୨୧ ଆଭରେଜରେ ୨୩ ଉଇକେଟ୍‌ ନେଇଛନ୍ତି। ଆଇସିସି ଟି୨୦ ର଼୍ୟାଙ୍କିଙ୍ଗରେ ସେ ବର୍ତ୍ତମାନ ବିଶ୍ୱର ଏକ ନମ୍ବର ବୋଲର। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ସେ ସନ୍‌ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଛନ୍ତି।

Share