ଭିକ୍ଟୋରିଆ,୧୧ା୧୦: ଦିନେ ବିଲୁପ୍ତ ହେବାକୁ ବସିଥିବା ଆଲଡାବ୍ରା କଇଁଛଙ୍କ ସଂଖ୍ୟା ବର୍ତ୍ତମାନ ମଣିଷଙ୍କୁ ମଧ୍ୟ ଟପିଗଲାଣି। ବ୍ୟାପକ ଶୋଷଣ ଏବଂ ଅତ୍ୟଧିକ ଶିକାର ଯୋଗୁଁ ଆଲଡାବ୍ରାର କଇଁଛ ସଂଖ୍ୟା କମିଯାଇ ୧,୦୦୦ ରୁ କମ ହୋଇଯାଇଥିଲା। ଇଂଲଣ୍ଡର ୟୁନିଭର୍ସିଟି ଅଫ୍ ଏକ୍ସେଟର ଏବଂ ସେସେଲ୍ସ ଆଇଲ୍ୟାଣ୍ଡସ ଫାଉଣ୍ଡେଶନର ଏକ ଦଳ ଆଲଡାବ୍ରା ଆଟୋଲରେ ୨୦୧୮ ରୁ ୨୦୨୨ ମଧ୍ୟରେ ସଂଗୃହୀତ କଇଁଛ ଗଣନାକୁ ବିଶ୍ଳେଷଣ କରିଥିଲେ। ସେମାନେ ଜାଣିବାକୁ ପାଇଲେ ଯେ, ବର୍ତ୍ତମାନ ଏମାନଙ୍କ ସଂଖ୍ୟା ପ୍ରାୟ ୧,୮୦,୦୦୦ ରହିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି କ୍ଷୁଦ୍ର ଦ୍ୱୀପରେ ବାସ କରୁଥିବା ମଣିଷଙ୍କ ଜନସଂଖ୍ୟା ୧,୨୨,୦୦୦, ଯାହାକି ଏହି କଇଁଛଙ୍କ ସଂଖ୍ୟା ତୁଳନାରେ ଅପେକ୍ଷାକୃତ କମ୍। ଆଲଡାବ୍ରା ୧୯୮୧ରେ ଏକ କଠୋର ପ୍ରକୃତି ସଂରକ୍ଷଣ କେନ୍ଦ୍ର ଏବଂ ୧୯୮୨ରେ ୟୁନେସ୍କୋ ଐତିହ୍ୟ ସ୍ଥଳୀ ପାଲଟିଥିଲା ଏବଂ ଏହି ସବୁ ସଂରକ୍ଷଣ ବ୍ୟବସ୍ଥା ସେମାନଙ୍କ ସଂଖ୍ୟା ପୁଣି ବଢାଇବାରେ ସାହାଯ୍ୟ କରିଛି। ଚଳିତ ଡିସେମ୍ୱରରେ ଜୋନାଥନ ନାମକ ଆଲଡାବ୍ରା ବିଶାଳକାୟ କଇଁଛ ତାର ୧୯୫ତମ ଜନ୍ମଦିନ ନିକଟତର ହେଉଥିବା ବେଳେ, ତାର ସାଥୀ କଇଁଛମାନଙ୍କ ପାଇଁ ଏକ ଭଲ ଖବର ଆସିଛି। ‘ଇକୋଲୋଜି ଆଣ୍ଡ୍ ଇଭୋଲ୍ୟୁଶସନ’ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ ପୂର୍ୱରୁ ବିଲୁପ୍ତପ୍ରାୟ ଶ୍ରେଣୀରେ ଥିବା ଏହି ପ୍ରଜାତି ଏବେ ସେସେଲ୍ସରେ ବେଶ ସ୍ଥିର ଅବସ୍ଥାରେ ଅଛି।
ଆଲଡାବ୍ରା ହେଉଛି ବିଶ୍ୱର ସବୁଠାରୁ ବଡ଼ କଇଁଛ ପ୍ରଜାତିଗୁଡ଼ିକ ମଧ୍ୟରୁ ଅନ୍ୟତମ। ସେମାନଙ୍କ ଓଜନ ୫୫୦ ପାଉଣ୍ଡ (ପ୍ରାୟ ୨୫୦ କିଗ୍ରା) ପର୍ଯ୍ୟନ୍ତ ହୋଇଥାଏ ଏବଂ ସେମାନେ ୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚନ୍ତି। ଏହି ଶାନ୍ତ ପ୍ରକୃତିର ବିଶାଳ ଜୀବମାନେ ଭାରତ ମହାସାଗରରେ ମାଡାଗାସ୍କାରର ଉତ୍ତର-ପୂର୍ୱରେ ଅବସ୍ଥିତ ସେସେଲ୍ସର ଅଂଶବିଶେଷ ‘ଆଲଡାବ୍ରା ଦ୍ୱୀପ’ର ମୂଳ ନିବାସୀ। ସେମାନେ ଗାଲାପାଗୋସରେ ମଧ୍ୟ ଦେଖାଯାନ୍ତି। ଆଲଡାବ୍ରାର ସବୁଠାରୁ ବଡ଼ ପ୍ରାଣୀ ଭାବରେ ସେମାନେ ପରିସଂସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ଏମାନେ ଏଠାକାର ଉଦ୍ଭିଦଗୁଡ଼ିକର ମୁଖ୍ୟ ଗ୍ରହଣକାରୀ ଏବଂ ଖାଦ୍ୟ ଖୋଜିବା ସମୟରେ ସେମାନେ ପ୍ରାକୃତିକ ପରିବେଶକୁ ବଦଳାଇ ଦିଅନ୍ତି। ପୁଷ୍ଟିକର ପତ୍ର ପାଇବା ପାଇଁ ସେମାନେ ଛୋଟ ଗଛ ଏବଂ ବୁଦାଗୁଡ଼ିକୁ ଭାଙ୍ଗି ଦିଅନ୍ତି। ସେମାନଙ୍କ ହଜମ ପ୍ରକ୍ରିୟାରେ ହଜମ ହୋଇନଥିବା ଯେକୌଣସି ମଞ୍ଜି ମଳ ଦ୍ୱାରା ବାହାରି ଅନ୍ୟ ପ୍ରାଣୀଙ୍କ ପାଇଁ ଖାଦ୍ୟ ସାଜିଥାଏ। ଆଲଡାବ୍ରାର ଜଳବାୟୁ ବଦଳୁଛି ଏବଂ ଏଠାରେ ଦୀର୍ଘ ତଥା ବାରମ୍ୱାର ମରୁଡ଼ି ଦେଖାଯାଉଛି। ବୈଜ୍ଞାନିକମାନେ ସନ୍ଦେହ କରୁଛନ୍ତି ଯେ, ଏହି ଗମ୍ଭୀର ଶୁଖିଲା ପାଗ କଇଁଛମାନଙ୍କ ପାଇଁ ଛାଇ ଏବଂ ଖାଦ୍ୟକୁ ହ୍ରାସ କରିବ ଏବଂ ସମୁଦ୍ର ପତ୍ତନ ବୃଦ୍ଧି ପାଇବା ଦ୍ୱାରା ଆଟୋଲର ତଳୁଆ ଅଞ୍ଚଳ ପ୍ରତି ବିପଦ ସୃଷ୍ଟି ହେବ। ଅନ୍ୟ ଅଞ୍ଚଳରୁ ଆସିଥିବା ସ୍ତନ୍ୟପାୟୀ ପ୍ରାଣୀଙ୍କ ଦ୍ୱାରା ମଧ୍ୟ ଏମାନଙ୍କୁ ବିପଦ ଥାଏ।