୪ ମାସ ପରେ ଥାନାରେ ଆତ୍ମସମର୍ପଣ କଲେ ଶୁଚିସ୍ମିତା

ଭବାନୀପାଟଣା,୨୨।୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ବିଇଓ ଅଫିସର ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆର ଲକ୍ଷାଧିକ ଟଙ୍କା ହଡ଼ପ କରି ଦୀର୍ଘ ୪ ମାସରୁ ଊର୍ଦ୍ଧ୍ୱ ହେବ ଫେରାର ଥିଲେ। ମଙ୍ଗଳବାର ମଧ୍ୟାହ୍ନରେ ଭବାନୀପାଟଣା ଟାଉନ ଥାନାକୁ ହଠାତ ଆସି ସେ ଆତ୍ମସମର୍ପଣ କରିଥିବା ଜଣାପଡିଛି। ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସ୍ଥାନୀୟ ଏସ୍‌ଡିଜେଏମ୍‌ ଶୁଚିସ୍ମିତାଙ୍କୁ ରିମାଣ୍ଡରେ ନେଇ ପରେ ବିଚାର ବିଭାଗୀୟ ହାଜତକୁ ପଠାଇଥିବା ପୋଲିସଠାରୁ ସୂଚନା ମିଳିଛି।
ଭବାନୀପାଟଣା ବିଇଓ ଅଫିସର ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆର ୩୯ ଲକ୍ଷରୁ ଅଧିକ ଟଙ୍କା ନିଜର ବ୍ୟକ୍ତିଗତ ଆକାଉଣ୍ଟକୁ ଟ୍ରାନ୍ସଫର କରି ଟଙ୍କା ହଡ଼ପ କରିଥିଲେ। ଏକ୍ସକ୍ୟାଡରମାନଙ୍କ ଦରମା ଓ ଶିକ୍ଷକଙ୍କ ବିଭିନ୍ନ ଅନୁଦାନ ହଡ଼ପ କରିଥିଲେ। ଭବାନୀପାଟଣା ବିଇଓ ଠାକୁର ଚରଣ ସାହୁ ଏ ନେଇ ଭବାନୀପାଟଣା ଟାଉନ ଥାନାରେ ଅଭିଯାଗ କରିଥିଲେ। ଥାନାରେ ମାମଲା ରୁଜୁ ହେବା ପୂର୍ବରୁ ଶୁଚିସ୍ମିତା ସୁଆର ଫେରାର ହୋଇଥିଲେ। ଏହି ଘଟଣାରେ ପୋଲିସ ପୂର୍ବରୁ ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ତଦନ୍ତ ସମୟରେ ଶୁଚିସ୍ମିତା ଆକ୍ସିସ ବ୍ୟାଙ୍କରୁ ନିଜ ବ୍ୟକ୍ତିଗତ ଆକାଉଣ୍ଟକୁ ୨ କୋଟି ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣାପଡ଼ିଛି। ଏପରିକି ଭିଜିଲାନ୍ସ ବିଭାଗ ମଧ୍ୟ ଏହି ଘଟଣା ନେଇ ନିଜଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ସମୟରେ ଶୁଚିସ୍ମିତାଙ୍କ ଅନେକ ସ୍ଥାନରେ ଥିବା ପ୍ଲଟ, କୋଠା, କାଗଜ ପତ୍ର ଆଦି ବାହାରିଥିଲା।