ଡକାୟତି ଯୋଜନା ଘଟଣା: ୩ ମାସ ପରେ ଜଣେ ଫେରାର ଅଭିଯୁକ୍ତ ଗିରଫ, ଏବେ ବି ଫେରାର ଅଛନ୍ତି ୬ ଜଣ

ବଡ଼ବିଲ,୧୮ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ପୋଲିସ ଡକାୟତି ଯୋଜନାରେ ସଂପୃକ୍ତ ଥାଇ ଫେରାର ଥିବା ଜଣେ ଅଭିଯୁକ୍ତଙ୍କୁ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଯୋଡ଼ା ଥାନା ଅନ୍ତର୍ଗତ ମହାଦେବନସା ଅଞ୍ଚଳର ଲକ୍ଷ୍ମଣ ବାରିକ।

ସୂଚନାନୁଯାୟୀ, ଗତ ଅକ୍ଟୋବର ୯ ବିଳମ୍ବିତ ରାତିରେ ବଡ଼ବିଲ ଥାନା କଳିଙ୍ଗନଗର ଖେଳପଡ଼ିଆରେ ଡକାୟତି ଯୋଜନା କରୁଥିବା ଅଭିଯୋଗରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲାବେଳେ ଘଟଣାସ୍ଥଳରୁ ୭ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ପୋଲିସ ଏ ନେଇ ବଡ଼ବିଲ ଥାନାରେ କେସ୍‌ ନଂ ୨୪୭/୨୨ରେ ଏକ ମାମଲା ରୁଜୁ କରି ଘଟଣାସ୍ଥଳରୁ ବନ୍ଧୁକ ଓ ଭୁଜାଲି ଭଳି ମାରଣାସ୍ତ୍ର ଜବତ କରିଥିଲା। ତେବେ ଦୀର୍ଘ ତିନି ମାସ ପରେ ଫେରାର ଥିବା ୭ ଅଭିଯୁକ୍ତଙ୍କ ମଧ୍ୟରୁ ଲକ୍ଷ୍ମଣ ବାରିକ ନାମକ ଜଣେ ଅଭିଯୁକ୍ତଙ୍କୁ ବଡ଼ବିଲ ବସଷ୍ଟାଣ୍ଡ ଅଞ୍ଚଳରୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଥିବା ପୋଲିସ କହିଛି। ତେବେ ବଡ଼ବିଲ ଜେଏମ୍‌ଏଫ୍‌ସି କୋର୍ଟରେ ଲକ୍ଷ୍ମଣ ଜାମିନ ଆବେଦନ କରିଥିଲେ ହେଁ ତାଙ୍କ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ବଡ଼ବିଲ ଉପ-କାରାଗାରକୁ ପଠାଯାଇଥିବା ଜଣାପଡ଼ିଛି।