ଆଫଗାନିସ୍ତାନ ଓ ତାଲିବାନ

ନିକଟରେ ଆଫଗାନିସ୍ତାନରେ ତାଲିବାନ ଶାସନକୁ ୩ ବର୍ଷ ପୂରିଛି। ତାଲିବାନର ନୂଆ ନିୟମ, ସର୍ବସାଧାରଣରେ କଥା କହିପାରିବେ ନାହିଁ ମହିଳା। ମହିଳାଙ୍କୁ ସର୍ବସାଧାରଣରେ ଗୀତ ଗାଇବା କିମ୍ବା ପଢିବା ଉପରେ ପ୍ରତିବନ୍ଧକ ଲଗାଇଛି ତାଲିବାନ। ୧୯୭୦ରେ ତାଲିବାନ ସରକାର ଝିଅଙ୍କ ବିବାହ ବୟସ ୧୮ ରୁ ୨୧ କରିବା, ପୁରୁଷଙ୍କ ବହୁବିବାହ , ଆଉ ଝିଅଙ୍କ ପାଇଁ ବାଧ୍ୟତାମୂଳକ ଶିକ୍ଷା ଆରମ୍ଭ କରିବା ପଛରେ ଥିଲା ଏକ ସଂସ୍କାରଧର୍ମୀ ରାଷ୍ଟ୍ର କଳ୍ପନା। ହେଲେ ସୋଭିଏଟ ସଂଘ ବିରୋଧରେ ମୁଜାହିଦ୍ଦିନମାନଙ୍କ ବିଜୟ ନାରୀ ପ୍ରଗତିରେ ଅନ୍ତରାୟ ହେଲା। ସାମାଜିକ ଗୃହଯୁଦ୍ଧରୁ ସୋଭିଏଟ ସଂଘ ୧୯୮୯ରୁ ସମ୍ପୂର୍ଣ୍ଣ ଦେଶ ଛାଡିଲାବେଳକୁ ତାଲିବାନ ମୁଣ୍ଡ ଟେକିଲା ପରେ ମହିଳାଙ୍କ ସାମାଜିକ ସମ୍ମାନ ଓ ନ୍ୟାୟ କଥାଟି ଚୁଲିମୁଣ୍ଡକୁ ଗଲା। ୧୯୯୬ରୁ ୨୦୦୧ ଯାଏ ଆଫଗାନିସ୍ତାନରେ ତାଲିବାନ ଶାସନ ଥିଲା। ହେଲେ ୨୦୦୧ରେ ଆମେରିକାର ଟୁଇନ ଟାଓ୍ବାର ଓ ପେଣ୍ଟାଗନ ଉପରେ ଅଲ୍‌କାଏଦା ଉଗ୍ରବାଦୀମାନେ ବିମାନ ଯୋଗେ ଆକ୍ରମଣ କରିବା ପରେ ସ୍ଥିତି ବଦଳିଯାଇଥିଲା। ଆମେରିକା ଆଫଗାନିସ୍ତାନ ଉପରେ ଆକ୍ରମଣ କରି ତାଲିବାନକୁ କ୍ଷମତାରୁ ହଟାଇ ଦେଇଥିଲା, କାରଣ ଅଲ୍‌କାଏଦାର ସୁପ୍ରିମ୍‌ଲିଡର ଓସାମା ବିନ୍‌ ଲାଡେନ ଓ ଉଗ୍ରବାଦୀମାନେ ଆଫଗାନିସ୍ତାନରେ ଥିଲେ। ତାଲିବାନକୁ ଶାସନରୁ ହଟାଇବା ପରେ ସେଠାରେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯାଇଥିଲା, ଯାହା ଆମେରିକା ତଥା ନାଟୋସେନାର ସହଯୋଗରେ ଚାଲୁଥିଲା। ହେଲେ ୨୦୨୧ ଅଗଷ୍ଟରେ ଏହି ସେନା ଆଫଗାନିସ୍ତାନ ଛାଡ଼ିଲା ପରେ ତାଲିବାନ୍‌ ପୁନର୍ବାର କ୍ଷମତା ଦଖଲ କରିନେଲା। ଲାଗୁଥିଲା ଆଫଗାନବାସୀ ଏକ ସ୍ବାଧୀନ ରାଷ୍ଟ୍ରର ସ୍ବାଦ ଚାଖିବେ। ହେଲେ ଜାତିଆଣ ବୈଷମ୍ୟତା ବଦଳରେ ଲିଙ୍ଗଗତ ବୈଷମ୍ୟତା ଭାରି ପଡିଲା। ଘରୋଇ ଗଣମାଧ୍ୟମ କ୍ଷେତ୍ରରେ କର୍ମଜୀବୀ ମହିଳାଙ୍କୁ ବଳପୂର୍ବକ ତଡି ଦିଆଗଲା। ପାର୍ଲରରେ କାମ କରୁଥିବା ଷାଠିଏ ହଜାର ମହିଳାଙ୍କୁ କର୍ମ ନିବୃତ୍ତ କରାଗଲା। ଯେଉଁମାନେ ବାରଣ ସତ୍ତ୍ୱେ କର୍ମକ୍ଷେତ୍ରକୁ ଗଲେ ସେମାନଙ୍କୁ ବାଡେଇ ପଙ୍ଗୁ କରିଦିଆଗଲା। ଆଫଗାନିସ୍ତାନ ମାଟିରେ ମୁସ୍‌ଲିମ ମୌଳବାଦୀ ଏକ ପୁରୁଷପ୍ରଧାନ ସମାଜର ଶିଳାନ୍ୟାସ କରିଦେଲେ ଯେମିତି।
୧୯୯୮ରୁ ପ୍ରାୟ ସବୁ ପ୍ରଦେଶରେ ତାଲିବାନର ସ୍ଥିତି ବଢିଥିଲା। ମୁସ୍‌ଲିମ ସାରିଆତ ଆଇନ ଓ ଇସଲାମିକ ଲ’ କଠୋର ପଦ୍ଧତି ଆପଣାଇବା ଦ୍ୱାରା ମହିଳାଙ୍କୁ ମୁଣ୍ଡଠାରୁ ଗୋଡ ଯାଏ ଘୋଡ଼େଇହୋଇ ରହିବା ବାଧ୍ୟ କରାଗଲା। ଟେଲିଭିଜନ, ରେଡିଓ, ନାଟକ, ସିନେମା କିମ୍ବା ମହିଳାଙ୍କ ସମ୍ବନ୍ଧୀୟ ଖବର ଲେଖାକୁ ବେଆଇନ ଘୋଷଣା ହେଲା। ସାଧାରଣ ଆଇନରେ ପତ୍ନୀର ବିଚ୍ଛେଦ ଆବେଦନ ନ ଥିଲା କହିଲେ ଚଳେ। ତିନି ବର୍ଷରୁ ଅଧିକ ସମୟ ଯଦି ସ୍ବାମୀ ଘରକୁ ନ ଫେରେ ତେବେ ବିଚ୍ଛେଦ ଆବେଦନ ହୋଇପାରିବ। ତଲାକ ଅଧିକାର ପୁରୁଷ ପାଖରେ ଥିଲା। ଆର୍ଥିକ ବିକାଶରେ ମହିଳାର ଯେମିତି କିଛି ନେଣଦେଣ ନାହିଁ। ଯାହା ସ୍ବାମୀ ହାତଟେକି ଦବ। ଯଦି ସ୍ବାମୀ ଭରଣପୋଷଣ ନ ଦିଏ ତେବେ ଏବେର ନ୍ୟାୟରେ ଆଇନଗତ ଲଢେଇ ଲଢ଼ିବା ହୋଇପାରିବନି। ପାର୍କରେ ଚାଲିବା, ପଡିଆରେ ଖେଳିବା, ହିଜାବ ଭିତରୁ ପ୍ରକୃତିକୁ ଉପଭୋଗ କରିବା ମନା ,ପୁଣି ଆପଦ କାଳରେ ଜରୁରୀ ସହାୟତା ପାଇଁ ହାତ ବଢେଇବା ମନା। ତାଲିବାନ ପରି ୟେମେନରେ ‘ହୁଟି’ ଓ ନାଇଜେରିଆରେ ‘ବୋକୋ ହାରାମ’ ପରି ବିଦ୍ରୋହୀ ନେତାଗଣ ଯଦି ଆଗାମୀ ଦିନରେ ନେତୃତ୍ୱର ନୂଆ ସୂର୍ଯ୍ୟ ଭାବେ ଆକାଶରେ ଉଭା ହୁଅନ୍ତି ତେବେ ସମୁଦାୟ ଜନତାର ଅଧା ମହିଳା ଦିନେ ନିଷ୍ପ୍ରଭ ତାରକା ହୋଇଯିବା ଥୟ।
ଅଧିକାଂଶ ତାଲିବାନୀ ହେଲେ ସୁନି ମୁସଲମାନ, ମୂଳ ଜାତିଆଣ ପାସ୍ତୁନଭାଷୀ ପୁଣି ବିଦେଶ ପଢୁଆ। ବିଦେଶରେ ପାଠ ପଢିଲାବେଳେ ବେତ୍ରାଘାତ କରିବା, ବନ୍ଧୁକ ଚଲେଇବା ଆଉ ବୋମା ଫିଙ୍ଗି କେମିତି ଧର୍ମରକ୍ଷା କରିହେବ ଶିଖିଥିଲେ। ବଡ଼ ବିଶ୍ୱବିଦ୍ୟାଳୟର ଆବଶ୍ୟକ ହେଲାନି ଏହି ତାଲିବାନ ପାଠୁଆଙ୍କ ଲାଗି, ପଡୋଶୀ ପାକିସ୍ତାନର ଦେଓବନ୍ଦୀ ମଦ୍ରାସା ଇମାମ ଏମାନଙ୍କ କଣ୍ଠରେ ସରସ୍ବତୀ ବିଜେ କରେଇବା ପରିବର୍ତ୍ତେ ସରସ୍ବତୀଙ୍କଠାରୁ ଶିକ୍ଷା ଛଡେଇନବା କୌଶଳ ଶିଖାଇଲେ। ତେହରିକ-ଇ-ତାଲିବାନ, ୧୧ ବର୍ଷୀୟା ମଲାଲା ୟୁସୁଫଜାଇଙ୍କ ବିଦ୍ୟାଳୟକୁ ବନ୍ଦ କରିବାରେ ଖୁବ୍‌ ଗାଳି ଶୁଣିଲା। ପନ୍ଦର ବର୍ଷ ବୟସରେ ମଲାଲାଙ୍କୁ ଗୁଳି କରି ବାକ୍‌ଦେବୀଙ୍କ ବାକ୍‌ ସ୍ବାଧୀନତା ହନନରେ ବିଶ୍ୱକୁ ନୂଆ ସନ୍ଦେଶ ଦେଲା ତାଲିବାନ। ଅବଶ୍ୟ ମଲାଲା ୟୁସୁଫଜାଇ ନୋବେଲ ମଣ୍ଡିତ ହୋଇ ପାକିସ୍ତାନର ଗୃହବନ୍ଦୀ ମହିଳାଙ୍କ ପାଇଁ ଜ୍ଞାନର ଗବାକ୍ଷ ହୋଇଗଲେ। ମହିଳାମାନେ ନିଜ ମୁହଁ ସମେତ ସର୍ବସାଧାରଣ ସ୍ଥାନରେ ନିଜର ପୂରା ଶରୀରକୁ ଘୋଡ଼ାଇ ରଖିବେ କଥାଟିକୁ ପାକିସ୍ତାନର କିଛି ରକ୍ଷଣଶୀଳ ମହିଳା ବିରୋଧକରି ରାଜରାସ୍ତାକୁ ଆସିବାରେ ତାଲିବାନମାନେ କ୍ଷୁବ୍ଧ ଥିଲେ। ନିଜ ପାରିଲାପଣିଆ ଫଳସ୍ବରୂପ ଆଫଗାନିସ୍ତାନ ମାଟିରେ ଏବେ ନିଜ ମହିଳାଙ୍କୁ ଭେଟି ଦେଲେ ନୂଆ ଆଇନ, ଯେଉଁଥିରେ ମହିଳାଙ୍କ ସ୍ବରକୁ ବ୍ୟକ୍ତିଗତ ଭାବେ ବିବେଚନା କରାଯିବ ଏବଂ ସର୍ବସାଧାରଣରେ ଏହାର ଶୁଣାଣି କରିବାକୁ ଅନୁମତି ଦିଆଯିବ ନାହିଁ।
ମହିଳାମାନଙ୍କୁ ଅଣସମ୍ପର୍କିତ ପୁରୁଷଙ୍କୁ ଦେଖିବାକୁ ମଧ୍ୟ ଆଇନତଃ ଅବୈଧ କରାଯାଇଛି। ଅନାଥ, ସ୍ବାମୀ ପରିତ୍ୟକ୍ତା କି ବିଧବା ମହିଳା ଯାହାଘରେ ପୁରୁଷ ବ୍ୟକ୍ତି ନାହାନ୍ତି ସେମାନେ ଡାକ୍ତରଖାନା ଯିବେନି। ଡାକ୍ତରଖାନା ଗଲେ ପୁରୁଷ ଡାକ୍ତର, କମ୍ପାଉଣ୍ଡର କି ଔଷଧ ବିକ୍ରେତାଙ୍କ ସହ ସିଧାସଳଖ କଥାହେବେନି। ପଡାପଡୋଶୀଙ୍କ ମାଡ଼ରେ ଆହତହୋଇ ଥାନାକୁ ଯିବେନି କାରଣ ଦେଶର ଆଇନଟି ସାର୍ବଜନୀନ କଥାବାର୍ତ୍ତାକୁ ବିରୋଧ କରେ। ମଲା ଶେଯରେ ପୋଲିସର ଜମାନବନ୍ଦୀକୁ ମଧ୍ୟ ଆଇନତଃ ନା। ‘ଶିକ୍ଷା ବିବେକର ମାପକାଠି’, ଯେଉଁଠି ପୁରୁଷମାନେ ମଦ୍ରାସାରୁ ପାଠସାରି ଦେଶ ଚଳାନ୍ତି ସେଠାରେ ବିବେକ ମରିଯିବା ସାଧାରଣ କଥା। ସତରେ କେତେଦୂରରେ ଏବେ ବି ଏହି ତାଲିବାନମାନଙ୍କ ବୁଦ୍ଧି। ଊନବିଂଶ ଶତାବ୍ଦୀର ମହାନୁଭବ ସନ୍ଥ, ଓଡ଼ିଶାର ଭୀମଭୋଇ ଲେଖିଲେ – ”ପୁରୁଷ ଓ ନାରୀ ଏକ ନୁହେଁ ଦୁଇ, ପୁରୁଷ ଯେଥାନେ ଯିବ ନାରୀ ଯିବ ତହିଁ।“ ବୁଝିପାରିଲେ, ତାଲିବାନ ମହିଳାଙ୍କ ଅଧିକାର କ୍ଷୁଣ୍ଣକରି ପୁରୁଷ ପୁଙ୍ଗବ ନିଶ ମୋଡନ୍ତା ନାହିଁ। ମୁସ୍‌ଲିମ ଦେଶମାନେ ନାରୀକୁ ସମକକ୍ଷ ହବାକୁ ନ ଦେବା ଭୟଙ୍କର ମାନବିକ ଅଧିକାର ହନନ କଥା। କ୍ଷମତା ଆଳରେ ୯୨ ମହିଳା ଓ ୪୭୭ ଶିଶୁଙ୍କୁ ଏଯାବତ ଅକାଳରେ ମାରିସାରିଥିବା ତାଲିବାନ ଆଗକୁ ଆହୁରି କଡା ଆଇନ ଆଣିପାରେ। ଦେଶ ସଜାଡି ନ ପାରିଲେ ଆଗକୁ ଗୃହଯୁଦ୍ଧ ଦ୍ୱାରା ତାଲିବାନର ମଧ୍ୟ ବିନାଶ ହୋଇପାରେ।
ଦେଶରେ ପେଟକୁ ଖାଦ୍ୟ ଓ ଉତ୍ତମ ସଂସ୍କାର ନୁହେଁ, ସଂସ୍କୃତି ଓ ଶାଳୀନତା ରକ୍ଷା ପାଇଁ ଲୋଡ଼ା କେବଳ ବୁର୍କା! ଦେଶର ମୁଖ୍ୟ ହିବତୁଲ୍ଲା ଆଖୁନ୍ଦଜାଦାଙ୍କ ନିଷ୍ପତ୍ତି ପରେ ନୂଆ ଆଇନ ମହିଳାଙ୍କୁ ସର୍ବସାଧାରଣରେ କଥାବାର୍ତ୍ତାକୁ ‘ନା’ କୁହାଯାଇଛି। ଏହି ଆଇନରେ ଦୈନନ୍ଦିନ ଜୀବନର ସର୍ବସାଧାରଣ ପରିବହନ, ସଙ୍ଗୀତ, ଶେଭିଂ ଏବଂ ପର୍ବପର୍ବାଣି ଭଳି ଦିଗକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ଆଗରୁ ୭୫ କିଲୋମିଟର ଦେଶ ଭିତରେ ଭ୍ରମଣର ଅନୁମତି ଥିଲା। ମହରମ ଆଇନ ଅନୁସାରେ ତାହା ପୁଣି ସ୍ବାମୀ କିମ୍ବା ରକ୍ତସମ୍ପର୍କୀୟ ସାଙ୍ଗରେ ଥାଇ। ନୂଆ ଆଇନ ଅନୁଯାୟୀ ମହିଳାମାନେ ମଧ୍ୟ ଅଣମୁସଲମାନ ପୁରୁଷ ଓ ମହିଳାଙ୍କ ସମ୍ମୁଖରେ ନିଜକୁ ଆବୃତ୍ତ ରଖିବାକୁ ପଡ଼ିବ। ଏତଦ୍‌ବ୍ୟତୀତ ମହିଳାମାନେ ପତଳା, ଟାଇଟ କିମ୍ବା ଛୋଟ ପୋଷାକ ପିନ୍ଧି ପାରିବେ ନାହିଁ ବୋଲି ଆଇନରେ ଉଲ୍ଲେଖ ରହିଛି। ୨୦୨୨ରେ ରାଜରାସ୍ତାକୁ ଓହ୍ଲାଇଥିବା ମହିଳା ସ୍ବେଚ୍ଛାସେବୀଙ୍କୁ ଝିଅଙ୍କ ଲାଗି ସେକେଣ୍ଡାରୀ ସ୍କୁଲ ଖୋଲିବା ବିଚାରାଧୀନ ଥିବା କହିଥିବା ତାଲିବାନ ଶେଷରେ ମହିଳାଙ୍କୁ ଠକିଦେଇଛି।
ଡାକବଙ୍ଗଳା ଛକ, ପୁରୁଣା ଭୁବନେଶ୍ୱର
ମୋ: ୮୨୪୯୮୨୭୧୪୮


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri