ଦାରିଙ୍ଗବାଡି, ୨୭।୧ (ଅରୁଣ ସାହୁ): ସୋମବାର ଦାରିଙ୍ଗବାଡିଠାରେ ଅନନ୍ୟା ଓ ପିଟୁସି କମ୍ୟୁନିକେଶନ ତରଫରୁ ଜାତୀୟ ସ୍ତରୀୟ ଦିନିକିଆ ମସଲା ଜାତୀୟ ଓ କଫି ଚାଷ ନେଇ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କନ୍ଧମାଳ ଏମ୍ପି ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ବାଲିଗୁଡା ଉପଜିଲାପାଳ ଡ. ରୀନା ପ୍ରଧାନ ,ବାଲିଗୁଡା ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର ,ଓଡ଼ିଶା କଫି ବୋର୍ଡ ତରଫରୁ ବିଶ୍ୱରଂଜନ ଭୋଇ ,କୋରାପୁଟ କଫି ଫାର୍ମର ସଭାପତି ସୁଶାନ୍ତ ପଣ୍ଡା ଯୋଗ ଦେଇଥିଲେ। ସେହିପରି ଆପେଡା ଆଞ୍ଚଳିକ ମୁଖ୍ୟ ସୀତାକାନ୍ତ ମଣ୍ଡଳ, ଓୟୁଏଟିରୁ ଡ଼. ପ୍ରଭୁ ଚରଣ ଲେଙ୍କା ,ସ୍ପାଇସ ବୋର୍ଡ ସହକାରୀ ନିର୍ଦ୍ଦେଶକ ଭିଜେନ୍ସି.ଭି ଏବଂ ଉଚ୍ଚ ପତନ ଗବେଷଣା କେନ୍ଦ୍ରର ଡ. ପର୍ଶୁରାମ ସିଆଳ ପ୍ରମୁଖ ଯୋଗ ଦେଇଥିଲେ। ସମ୍ମିଳନୀରେ ମୁଖ୍ୟତଃ ମସଲା ଜାତୀୟ ଚାଷ ଅଦା ,ହଳଦୀ, ଗୋଲ ମରିଚ, ଡାଲ ଚିନି , ଅଳେଇଚ ଭଳି ଦାରିଙ୍ଗବାଡିରେ କଫି ଚାଷ କରିବା ପାଇଁ ସମ୍ମିଳନୀରେ ଉପସ୍ଥିତ ଥିବା ଚାଷୀଙ୍କୁ ପରାମର୍ଶ ଦିଆଯାଇଛି। ଦାରିଙ୍ଗବାଡିରେ କଫି ଚାଷ ପାଇଁ ଉପଯୁକ୍ତ ଜଳବାୟୁ ରହିଛି ତେଣୁ ଏଠାରେ କଫି ଚାଷ କଲେ ଏଠାକାର ଚାଷୀମାନେ ବହୁତ ଲାଭବାନ ହେବେ ଓ ହଳଦୀ ପରି ଦାରିଙ୍ଗବାଡିର କଫିକୁ ମଧ୍ୟ ଦେଶ ବିଦେଶରେ ସ୍ବତନ୍ତ୍ରତା ମିଳିପାରିବ ବୋଲି ଆଲୋଚନା କରାଯାଇଛି। ଏହି ଅବସରରେ କନ୍ଧମାଳ ଏମ୍ପି ପାଣିଗ୍ରାହୀ ନିଜ ପ୍ରତିକ୍ରିୟାରେ କହିଛନ୍ତି , ଅଦା ହଳଦୀଠୁ ଆରମ୍ଭ କରି ଗୋଲ ମରିଚ, ଡାଲଚିନି, ଗୁଜୁରାତି, ଅଳେଇଚ ମସଲା ଜାତୀୟ ଖାଦ୍ୟ ଭଳି କଫି ଚାଷକୁ କିଭଳି କିପରି ଆଗକୁ ବଢ଼ାଇ ହେବ, ସେନେଇ ଆଲୋଚନା ହୋଇଛି। ସେହିଭଳି କୋରାପୁଟ କଫି ବୋର୍ଡ ବରିଷ୍ଠ ସମ୍ପର୍କ ଅଧିକାରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଦାରିଙ୍ଗବାଡିରେ କଫି ଚାଷ ପାଇଁ ପରିବେଶ ବହୁତ ସନ୍ତୁଳିତ, ସଠିକ୍। ଦେଖାରଖା ଓ ପରିଚାଳନା କଲେ ଚାଷୀ ବହୁତ ଲାଭବାନ ହେବେ। ଦାରିଙ୍ଗବାଡି କଫି ବାବଦରେ ପଚାରିବାରୁ ସେ କହିଛନ୍ତି, ଏହାର ପ୍ରକ୍ରିୟା ବର୍ତ୍ତମାନ ଆରମ୍ଭ ହୋଇଛି ଧୀରେ ଧୀରେ ଏହାକୁ ଯଦି ଟେକ୍ନିକାଲ ଗାଇଡାନ୍ସ ଲୋକ ଓ ଚାଷୀଙ୍କ ପାଖରେ ପହଞ୍ଚାଇ ଦେବା ତେବେ ଏହା ନିହାତି ଭାବେ ଦାରିଙ୍ଗବାଡି ତଥା କନ୍ଧମାଳ କଫି ଆଗକୁ ବଢ଼ିବ ବୋଲି କହିଛନ୍ତି l


