ଆଜିଠୁ ବୋର୍ଡ ୱେବ୍‌ସାଇଟରେ ମିଳିବ ଆଡ୍‌ମିଟ କାର୍ଡ

କଟକ ଅଫିସ, ୧୯ା୪:ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଅଫ୍‌ଲାଇନରେ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ନିଷ୍ପତ୍ତି ନେଇଛି। ଏହି ପରିପ୍ରେକ୍ଷୀରେ ବୋର୍ଡ ପକ୍ଷରୁ ସମ୍ମେଟିଭ-୨ ପରୀକ୍ଷା ପାଇଁ ମାର୍ଚ୍ଚ ୧୪ରେ ସୂଚୀ ପ୍ରକାଶ ପାଇଥିଲା। ତେବେ ଏହି ପରୀକ୍ଷା ପାଇଁ ମଙ୍ଗଳବାରଠାରୁ ବୋର୍ଡ ୱେବସାଇଟ୍‌ www.bseodisha.ac.inରେ ଆଡ୍‌ମିଟ କାର୍ଡ ଉପଲବ୍ଧ ହେବ। ହାଇସ୍କୁଲ, ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଆଡ୍‌ମିଟ କାର୍ଡ ଉକ୍ତ ୱେବ୍‌ସାଇଟରେ ମଙ୍ଗଳବାର ସକାଳ ୧୦ଟାରୁ ଉପଲବ୍ଧ ରହିବ। ହାଇସ୍କୁଲ ଓ ମଧ୍ୟମା ଛାତ୍ରୀଛାତ୍ରମାନେ ସ୍କୁଲ କୋଡ୍‌ ଏବଂ ପାସ୍‌ୱାର୍ଡଦେଇ ନିଜ ଆଡ୍‌ମିଟ କାର୍ଡ ଡାଉନଲୋଡ କରିପାରିବେ ା ସେହିପରି କରେସପଣ୍ଡେନ୍ସ କୋର୍ସ ଏବଂ ମଧ୍ୟମା ଛାତ୍ରୀଛାତ୍ରମାନେ ନିଜ ନାମ ଏବଂ ନିଜ ବାପାଙ୍କ ନାମ ଦାଖଲ କରି ଆଡ୍‌ମିଟ କାର୍ଡ ଡାଉନଲୋଡ କରିପାରିବେ। ତେବେ ଉକ୍ତ ଆଡ୍‌ମିଟ କାର୍ଡରେ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଶିକ୍ଷକ ସ୍ବାକ୍ଷର କରିବା ପରେ ଛାତ୍ରୀଛାତ୍ରମାନେ ପରୀକ୍ଷା ଦେବାକୁ ଅନୁମତି ପାଇବେ। ଏନେଇ ସୋମବାର ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ନୂଆ ଢାଞ୍ଚାରେ ମାଟ୍ରିକ ପରୀକ୍ଷା ହେଉଛି। ସମ୍ମେଟିଭ-୧ ପରୀକ୍ଷା ସରିଯାଇଥିବାବେଳେ ଏପ୍ରିଲ ୨୯ ତାରିଖରୁ ସମ୍ମେଟିଭ ୨ ପରୀକ୍ଷା ଆରମ୍ଭ ହେବ। ଏହା ମେ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। କରୋନା ସ୍ଥିତି ଓ ଛାତ୍ରୀଛାତ୍ରଙ୍କ ହିତକୁ ଦୃଷ୍ଟିରେ ରଖି ତିନି ପ୍ରକାର ପ୍ରଣାଳୀରେ ମୂଲ୍ୟାୟନ କରାଯିବ। ତିନୋଟି ପ୍ରଣାଳୀରୁ ଯେଉଁଥିରେ ଛାତ୍ରୀଛାତ୍ର ସର୍ବାଧିକ ମାର୍କ ରଖିବେ, ତାହାକୁ ଫାଇନାଲ ମାର୍କ ବୋଲି ଧରାଯିବ। ପ୍ରଥମ ଦୁଇଟି ପଦ୍ଧତି ହେଉଛି ବିକଳ୍ପ ମୂଲ୍ୟାୟନ ପଦ୍ଧତି ଓ ତୃତୀୟଟି ପରିଷଦ ଦ୍ୱାରା ନୂତନ ମୂଲ୍ୟାୟନ ପଦ୍ଧତି ନିର୍ଦ୍ଧାରଣ କରାଯାଇଛି।