ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି ଦୁର୍ନୀତି ଓ ଅନିୟମିତତା ହେଉଛି ତା’ର ନମୁନା ଦେଖିବାକୁ ମିଳୁଛି। ପୋଲିସ ଏସ୍ଆଇ ପରୀକ୍ଷା, ତ୍ରୁଟିଯୁକ୍ତ ସ୍କୁଲ ପାଠ୍ୟ ପୁସ୍ତକ ଛାପା ଓ ଏନ୍ଇଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ କେତେଜଣ ଅସାଧୁ ପ୍ରଶାସନିକ କର୍ମଚାରୀ ଓ ଅଧିକାରୀଙ୍କ କଳାକାରନାମାର କାହାଣୀ ପ୍ରଶାସନିକ ସ୍ବଚ୍ଛତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ସରକାରଙ୍କର ପ୍ରାୟ ସବୁ ବିଭାଗରେ ତଳଠାରୁ ପୁଣି ଉପର ଯାଏ କାର୍ଯ୍ୟରତ କିଛି ଅସାଧୁ କର୍ମଚାରୀ ଓ ଅଧିକାରୀ ଲାଞ୍ଚ, ଉତ୍କୋଚ ଓ ପ୍ରିୟାପ୍ରୀତି ତୋଷଣ ନୀତିକୁ ଆପଣାଇ ନେଇଛନ୍ତି। ଲୋକଙ୍କ ସେବାରେ ନିୟୋଜିତ ବିଭାଗୀୟ ସରକାରୀ କର୍ମଚାରୀ ଓ ଅଧିକାରୀମାନେ ଲୋକଙ୍କ ସମସ୍ୟା ପ୍ରତି ସଚେତନ ଓ ଯତ୍ନବାନ ରହିବା ପରିବର୍ତ୍ତେ ଦୁର୍ନୀତି ଓ ପ୍ରିୟାପ୍ରୀତି ତୋଷଣ ନୀତି ଆପଣାଉଥିବାରୁ ପ୍ରଶାସନିକ କ୍ଷେତ୍ରରେ ସ୍ବଚ୍ଛତା ଓ ନିରପେକ୍ଷତା ରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବିଭିନ୍ନ ସରକାରୀ ଦପ୍ତରରେ ପିସି କାରବାର ବଳବତ୍ତର ରହିଛି। ଏହି ପିସି କାରବାର ଯୋଗୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଲାଗି ମଞ୍ଜୁର ହେଉଥିବା ସରକାରୀ ଅର୍ଥ ଠିକ୍ ଭାବେ ବିନିଯୋଗ ନ ହୋଇ ଅନେକାଂଶରେ ବାଟମାରଣା ହେଉଛି। ପଞ୍ଚାୟତ, ବ୍ଲକ ଓ ଜିଲାସ୍ତରରେ କାର୍ଯ୍ୟରତ କେତକ ଅସାଧୁ ପ୍ରକୃତିର କର୍ମଚାରୀ ଓ ଅଧିକାରୀମାନେ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରାଇବାକୁ ହିତାଧିକାରୀଙ୍କଠାରୁ ହାତଗୁଞ୍ଜା ଆଦାୟ କରୁଥିବା ଗଣମାଧ୍ୟମରୁ ନଜରକୁ ଆସୁଛି। ଆଜି ବି ଯେକୌଣସି କାମରେ କୌଣସି ସରକାରୀ ଦପ୍ତରକୁ ଗଲେ ଲାଞ୍ଚ ଉତ୍କୋଚ ନ ଦେଲେ କାମ ହେଉନି। କର୍ମଚାରୀଙ୍କୁ ହାତଗୁଞ୍ଜା ନ ଦେଲେ କାମକୁ ଜାଣିଶୁଣି ବିଳମ୍ବ କରାଇ ଦିଆଯାଉଛି। ଲୋକଙ୍କଠାରୁ ଅର୍ଥ ଆଦାୟ କରିବାକୁ ଅଧିକାରୀମାନେ କେତେ ଯେ ବାହାନା ଆପଣାଉଛନ୍ତି ତା’ର ହିସାବ ନାହିଁ। ସରକାରରେ ରହୁଥିବା ମନ୍ତ୍ରୀ କି ବିଧାୟକ ହୁଅନ୍ତୁ କିମ୍ବା ତଳସ୍ତରରେ କାର୍ଯ୍ୟରତ ଜନପ୍ରତିନିଧିଟିଏ ହୁଅନ୍ତୁ ସେମାନେ ଯୋଗ୍ୟ ଓ ଦକ୍ଷ ନ ହେଲେ ଚତୁର ପ୍ରଶାସନିକ କର୍ମଚାରୀ ଓ ଅଧିକାରୀମାନେ ସେମାନଙ୍କୁ ଭୁଲ୍ ବାଟରେ ପରିଚାଳନା କରି ଫାଇଦା ହାସଲ କରିବାର ଯଥେଷ୍ଟ ସମ୍ଭାବନା ରହିଥାଏ। ଏଥିପ୍ରତି ସେମାନେ ସତର୍କ ଓ ସଚେତନ ନ ରହିବା କାରଣରୁ ଏହା ପରୋକ୍ଷରେ ଦୁର୍ନୀତିକୁ ପ୍ରଶ୍ରୟ ଦେଉଛି। ଅନ୍ୟପକ୍ଷେ ତୃଣମୂଳ ସ୍ତରରୁ ଉପରସ୍ତର ଯାଏ କାର୍ଯ୍ୟରତ ପ୍ରଶାସନିକ କର୍ମଚାରୀ ଓ ଅଧିକାରୀଙ୍କ କାର୍ଯ୍ୟର ତଦାରଖ ଏବଂ ସମୀକ୍ଷା କରା ନ ଯିବା ସର୍ବୋପରି ସେମାନଙ୍କୁ ତାଗିଦ ଓ ସଚେତନ କରା ନ ଯିବା ବି ଦୁର୍ନୀତି କରିବାକୁ ବାଟ ଦେଖାଉଛି। ସେହିପରି ଦୁର୍ନୀତିଗ୍ରସ୍ତ କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ ହେଉଥିବା ଦଣ୍ଡ ବିଧାନ ଗିରଫ କିମ୍ବା ନିଲମ୍ବନରେ ସୀମିତ ନ ରହି କଠୋରରୁ ଅତି କଠୋର ହେବାର ଆବଶ୍ୟକ ରହିଛି।
ପ୍ରଶାସନିକ କର୍ମଚାରୀ ଓ ଅଧିକାରୀଙ୍କୁ କେବଳ ଦୁର୍ନୀତିମୁକ୍ତ ରାଜ୍ୟ କିମ୍ବା ରାଷ୍ଟ୍ର ଗଠନର ଶପଥ କରାଇ ନୁହେଁ ବରଂ ଦୁର୍ନୀତିଗ୍ରସ୍ତଙ୍କ ପ୍ରତି କଠୋର ମନୋଭାବ ହିଁ ପ୍ରଶାସନିକ ବ୍ୟବସ୍ଥାକୁ କେତେକାଂଶରେ ସ୍ବଚ୍ଛ ଓ ନିର୍ମଳ କରାଇପାରିବ ବୋଲି ଆଶା କରାଯାଏ। ବିଗତ ସରକାର ଅମଳରେ ଲୋକଙ୍କୁ ସ୍ବଚ୍ଛ ଓ ନିର୍ମଳ ଶାସନ ପ୍ରଦାନ କରାଯିବାର ପ୍ରତିଶ୍ରୁତି ଦିଆ ଯାଇଥିଲା। ପ୍ରଶାସନକୁ ଦୁର୍ନୀତି ମୁକ୍ତ କରିବାକୁ ଅନେକ ପଦକ୍ଷେପ ନିଆଯାଇଥିଲା। ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଅନେକ କର୍ମଚାରୀଙ୍କ ବିରୋଧରେ ଚାକିରିରୁ ନିଲମ୍ବନଠାରୁ ଆରମ୍ଭ କରି ବହିଷ୍କାର ଯାଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏହା ସତ୍ତ୍ୱେ ବି ସଂଖ୍ୟାଧିକ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ଏବଂ ଅନେକ ବିଭାଗରେ ହୋଇଥିବା ଦୁର୍ନୀତି ଅଭିଯୋଗ ଉଦ୍ବେଗଜନକ ରହିଥିଲା। ଏହାର ମୂଳ କାରଣ ହେଉଛି ଅଧିକାଂଶ ନିର୍ବାଚିତ ଜନ ପ୍ରତିନିଧି ନିଜେ ସ୍ବଚ୍ଛ ଓ ନିରପେକ୍ଷ ନ ରହିବା ଏବଂ ପ୍ରଶାସନିକ ଅଧିକାରୀଙ୍କୁ ଦୁର୍ନୀତି କରିବାକୁ ପରୋକ୍ଷରେ ପ୍ରୋତ୍ସାହିତ କରିବା ସର୍ବୋପରି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରିବା। ସରକାରରେ ଥିବା ମନ୍ତ୍ରୀ ଓ ବିଧାୟକମାନେ ସବୁ ଜାଣି ଯଦି ନୀରବଦ୍ରଷ୍ଟା ସାଜନ୍ତି ତେବେ ଏହାରି ସୁଯୋଗରେ ପ୍ରଶାସନିକ କର୍ମଚାରୀ ଓ ଅଧିକାରୀମାନେ ନିହାତି ବେପରୁଆ ହୋଇ ନିଜ ମନଇଚ୍ଛା କାର୍ଯ୍ୟ କରିବା ସ୍ବାଭାବିକ । ଫଳରେ ବିଭିନ୍ନ ଉନ୍ନୟନମୂଳକ କାମରେ ଦୁର୍ନୀତି ହେବାଠାରୁ ଲୋକଙ୍କ ହିତ ଲାଗି ସରକାର କରୁଥିବା ବିଭିନ୍ନ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚତ୍ବାରେ ପ୍ରତିବନ୍ଧକ ସୃଷ୍ଟି ହେବା ଥୟ।
ନୂଆ ସରକାର ଆସିଲା। ଲୋକେ ଶାସନର ସୁଫଳ ପାଇବେ, ସେମାନଙ୍କ ସମସ୍ୟାର ସମାଧାନ ହେବ। ଯୋଜନା ହିତାଧିକାରୀଙ୍କ ନିକଟରେ ପହଞ୍ଚତ୍ବ। ହେଲେ ବିଭିନ୍ନ ବିଭାଗର କିଛି ଉଚ୍ଚପଦସ୍ଥ ଅସାଧୁ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ସରକାରଙ୍କୁ ଅନ୍ଧାରରେ ରଖି ଦୁର୍ନୀତି ଓ ବେନିୟମ କାର୍ଯ୍ୟରେ ସମ୍ପୃକ୍ତ ରହିଛନ୍ତି। ଏହାର କୁଫଳ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ଭୋଗିବାକୁ ପଡୁଛି। ତୃଣମୂଳ ସ୍ତରରେ ରାଶନ କାର୍ଡ, ଭତ୍ତା ଓ ଆବାସ ଯୋଜନାରେ ହିତାଧିକାରୀଙ୍କୁ ହାତଗୁଞ୍ଜା ଦେବାକୁ ପଡୁଥିବା ଅଭିଯୋଗ ହେଉଛି। ଲୋକଙ୍କ ପଇସାରେ ଦରମା ନେଉଥିବା ସରକାରୀ ବାବୁମାନେ କାହାରି କଥାରେ ପ୍ରରୋଚିତ ନ ହୋଇ ବରଂ ନିଜେ ବାସ୍ତବତାକୁ ଅନୁଧ୍ୟାନ କରି ଲୋକଙ୍କ କାମ କରନ୍ତୁ। ଲୋକଙ୍କ ସମସ୍ୟାର ତ୍ୱରିତ ସମାଧାନ କରାନ୍ତୁ। କାହାପ୍ରତି କୌଣସି ପ୍ରକାର ଅସହିଷ୍ଣୁ ନ ହୋଇ ନିରପେକ୍ଷ ବିଚାରଧାରାରେ କାମ କଲେ ଲୋକେ ଶାସନର ସୁଫଳ ପାଇପାରିବେ।
– ସଙ୍ଖିଡ଼ା, ତିହିଡ଼ି, ଭଦ୍ରକ
ମୋ: ୯୯୩୭୫୬୫୫୨୭