ପ୍ରଶାସନିକ ଅବହେଳା: ବ୍ଲକ ଘେରାଉ

ଟିଟିଲାଗଡ,୨୮ା୧୦(ଡି.ଏନ.ଏ.): ଟିଟିଲାଗଡ ବ୍ଲକ ପ୍ରଶାସନ ସାଧାରଣ ଜନତାଙ୍କ ସମସ୍ୟା ପ୍ରତି ଆଖି ବୁଜି ଦେଇଥିବା ଅଭିଯୋଗ କରି ଗରିବ ସେନା ଟିଟିଲାଗଡ଼ ପକ୍ଷରୁ ଶୁକ୍ରବାର ବ୍ଲକ ଘେରାଉ କରାଯାଇଛି । ସଂଗଠନର ସଭାପତି ବୀରେନ୍ଦ୍ର ବାଗଙ୍କ ନେତୃତ୍ୱରେ ଗ୍ରାମାଞ୍ଚଳର ମହିଳା ପୁରୁଷମାନେ ସ୍ଥାନୀୟ ହାଇସ୍କୁଲ ପଡିଆରୁ ଶୋଭାଯାତ୍ରାରେ ବାହାରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ନାରାବାଜି ଦେବା ସହ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ପ୍ରତିବାଦ ସଭାରେ ସଂଗଠନର ସଭାପତି ବାଗ ବ୍ଲକ ପ୍ରଶାସନ କେବଳ ଲାଞ୍ଚ କାରବାର ଏବଂ ଦୁର୍ନୀତିରେ ବୁଡି ରହିଥିବା ଅଭିଯୋଗ କରିଥିଲେ। ଅସହାୟ ଲୋକେ ଭତ୍ତାରୁ ବଞ୍ଚିତ ହୋଇ ରହିଛନ୍ତି । ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ କାମ କରି ଶ୍ରମିକ ପାଉଣା ପାଉନାହାନ୍ତି । ପ୍ରଧାନମନ୍ତ୍ରୀ ଆବାସ ପାଇଁ ପାଉଣା ମାସ ମାସ ହେଲା ବକେୟା ରହିଛି । ଗରିବ ଲୋକେ ବିଭିନ୍ନ ଉପାୟରେ ଶୋଷିତ ହେଉଥିବା ବେଳେ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି । ଏହା ବିରୋଧରେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦିଆଯାଇଛି । ପରେ ସଂଗଠନ ପକ୍ଷରୁ ଅତିରିକ୍ତ ବିଡ଼ିଓ ମେନକା ମେହେରଙ୍କୁ ଏସଡ଼ିପିଓ ଅଙ୍କିତା କୁମ୍ଭାର, ଥାନା ଆଇଆଇସି ରଞ୍ଜନ ବରିହାଙ୍କ ଉପସ୍ଥିତିରେ ଦାବିପତ୍ର ପ୍ରଦାନ କରାଯାଇଥଲା ।