କ୍ବାକଙ୍କ ୫ଟି କ୍ଲିନିକ୍‌କୁ ସିଲ୍‌ କଲା ପ୍ରଶାସନ

ବୁଗୁଡ଼ା,୨୯।୫(ଡି.ଏନ୍‌.ଏ): ବେଆଇନ ଭାବେ ଦୀର୍ଘ ବର୍ଷ ଧରି ଗଞ୍ଜାମ ଜିଳା ବୁଗୁଡ଼ା ଅଞ୍ଚଳରେ କ୍ବାକମାନେ ବିଭିନ୍ନ ସ୍ଥାନରେ ନିଜେ ନିଜେ କ୍ଲିନିକ ଖୋଲି ଚିକିତ୍ସା କରିଆସୁଥିଲେ। ଏନେଇ ଅଭିଯୋଗ ହୋଇଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। ହେଲେ ବର୍ତ୍ତମାନ ସହରରେ ଲକ୍‌ଡାଉନ ଓ ସଟ୍‌ଡାଉନ ଚାଲିଥିବା ବେଳେ କୋଭିଡ ନିୟମକୁ ଉଲ୍ଲଂଘନ କରି କ୍ବାକମାନେ କ୍ଲିନିକ୍‌ ଖୋଲି ରୋଗୀଙ୍କ ଚିକିତ୍ସା କରୁଥିଲେ। କୌଣସି ସୂତ୍ରରୁ ଖବରପାଇ ବିଳମ୍ବରେ ହେଲେ ମଧ୍ୟ ପ୍ରଶାସନର ନିଦ ଭାଙ୍ଗିଛି। ଶୁକ୍ରବାର ତହସିଲଦାର ସଂଗ୍ରାମ କେଶରୀ ଜେନା ବୁଗୁଡା ଅଞ୍ଚଳରେ କ୍ବାକମାନଙ୍କ ବିଭିନ୍ନ କ୍ଲିନିକ୍‌ ଉପରେ ଚଢ଼ାଉ କରିଥିଲେ। ବୁଗୁଡ଼ାରେ ଥିବା ୨ଟି କ୍ଲିନିକ, ପାଙ୍ଗିଡ଼ିର ଥିବା ଗୋଟିଏ କ୍ଲିନିକ ଏବଂ କଳମ୍ବ ଗ୍ରାମର ଛକରେ ଥିବା ୨ଟି କ୍ଲିନିକ୍‌ ଊପରେ ଚଢ଼ାଉ କରାଯାଇ ସିଲ୍‌ କରାଯାଇଛି। ଏଥିସହ ସଂପୃକ୍ତ ମାଲିକଙ୍କୁ ଏହି କ୍ଲିନିକ ନ ଖୋଲିବାକୁ ତହସିଲଦାର ନିର୍ଦ୍ଦେଶ ଦେଇଛନ୍ତି।