ପାତ୍ରପୁର,୨୧।୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଖାରିଆଗୁଡା ପଞ୍ଚାୟତ ତାଳପଡା ଗ୍ରାମରେ ଶନିବାର ଜଣେ ନାବାଳିକାଙ୍କ ବିବାହ ହେଉଥିବା ନେଇ ସୂଚନା ପାଇ ପ୍ରଶାସନ ପହଞ୍ଚି ବିବାହ ବନ୍ଦ କରିଥିବା ଜଣାପଡିଛି। ତେବେ ବିବାହ ହେଉଥିବା ନେଇ ପ୍ରଶାସନକୁ ଖବର ଦେଇଥିବା ବ୍ୟକ୍ତିଙ୍କ ଘର ଆଗରେ ଗ୍ରାମର କିଛି ବ୍ୟକ୍ତି ହୋହଲ୍ଲା କରିଥିବା ସହ ଗାଳିଗୁଲଜ କରିଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମର ବାବୁଲା ପ୍ରଧାନଙ୍କ ଝିଅ ଆଶାଳତାଙ୍କୁ ଆଧାର କାର୍ଡରେ ୧୮ ବର୍ଷ ହେଇଥିବା ବେଳେ ପରିବାର ପକ୍ଷରୁ ବିବାହ ସ୍ଥିର କରିଥିଲେ। ତେବେ ଆଧାର କାର୍ଡରେ ୧୮ ବର୍ଷ ହେଇଥିବା ବେଳେ ଶିକ୍ଷାଗତ ପ୍ରମାଣ ପତ୍ରରେ ବିବାହ ବୟସ ହେଇ ନଥିବା ଜଣା ପଡିଛି। ଯାହାକୁ ନେଇ ଗ୍ରାମର ଜଣେ ବ୍ୟକ୍ତି ବ୍ଲକ ମହିଳା ଓ ଶିଶୁ ବିକାଶ ବିଭାଗକୁ ଗ୍ରାମରେ ଜଣେ ନାବାଳିକା ଝିଅର ବାହାଘର ହେଉଥିବା ନେଇ ଜଣାଇ ଥିଲେ । ଗ୍ରାମରେ ସିଡ଼ିପିଓ ପହଁଚି ପରିବାରକୁ ବୁଝାସୁଝା କରିଥିଲେ l ଘଟଣା ସ୍ଥଳରେ କିଛି ଗ୍ରାମବାସୀ ପହଞ୍ଚି ଆପଣଙ୍କୁ କିଏ ସୂଚନା ଦେଲା ବୋଲି ସିଡିପିଓଙ୍କୁ ପଚାରି ପାଟି ତୁଣ୍ଡ କରିଥିଲେ l ଏହାପରେ ବିବାହ ବନ୍ଦ ହୋଇଥିବା ଜଣାପଡ଼ିଛି।
Dharitri – Odisha’s No.1 Odia Daily