Categories: ବାଣିଜ୍ୟ

ଟାଟାକୁ ପଛରେ ପକାଇଲା ଆଦାନୀ

ନୂଆଦିଲ୍ଲୀ,୧୮।୯: ବିଶ୍ୱର ୩ୟ ଧନୀ ବ୍ୟକ୍ତି ତଥା ଏସିଆର ପ୍ରଥମ ଧନୀ ବ୍ୟକ୍ତି ଭାବେ ଜଣାଶୁଣା ଆଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଆଦାନୀ ଖୁବ୍‌ କମ୍‌ ଦିନ ମଧ୍ୟରେ ଅନେକ ସଫଳତା ହାସଲ କରିସାରିଛନ୍ତି। ନିକଟରେ ଦେଶର ସର୍ବପୁରାତନ ବାଣିଜି୍ୟକ ସଂସ୍ଥା ଟାଟା ଗ୍ରୁପ୍‌କୁ ପଛରେ ପକାଇ ଆଦାନୀ ଗ୍ରୁପ୍‌ ବର୍ତ୍ତମାନ ଭାରତର ସବୁଠୁ ବଡ଼ ଭେଲ୍ୟୁଏବଲ ବିଜ୍‌ନେସ୍‌ ଗ୍ରୁପ୍‌ର ମାନ୍ୟତା ଲାଭ କରିଛି। ବିଶେଷକରି ଆଦାନୀ ଗ୍ରୁପ୍‌ର ବଜାର ପୁଞ୍ଜି (ମାର୍କେଟ କ୍ୟାପ୍‌) ୨୨.୨୭ ଲକ୍ଷ କୋଟି ଟଙ୍କା ବା ୨୭୮ ବିଲିୟନ ଡଲାର ହୋଇଥିବା ବେଳେ ଟାଟା ଗ୍ରୁପ୍‌ର ମାର୍କେଟ କ୍ୟାପ୍‌ ୨୦.୭୭ ଲକ୍ଷ କୋଟି ଟଙ୍କା ବା ୨୬୦ ବିଲିୟନ ଡଲାରରେ ରହିଛି। ଏପରିକି ଷ୍ଟକ୍‌ ବଜାରର ସୂଚନା ଅନୁଯାୟୀ ଆଦାନୀ ଗ୍ରୁପ୍‌ର ୯ଟି କମ୍ପାନୀ ସୂଚୀବଦ୍ଧ ଥିଲାବେଳେ ଟାଟା ଗ୍ରୁପ୍‌ ନିକଟରେ ୨୭ଟି ସୂଚୀବଦ୍ଧ କମ୍ପାନୀ ରହିଛି। ସେହିଭଳି ରିଲାଏନ୍ସ ଗ୍ରୁପ୍‌ ମଧ୍ୟ ୧୭.୧୬ ଲକ୍ଷ କୋଟି ଟଙ୍କା ଅର୍ଥାତ୍‌ ୨୨୦ ବିଲିୟନ ଡଲାରର ମାର୍କେଟ କ୍ୟାପ୍‌ ସହ ତୃତୀୟ ସ୍ଥାନରେ ରହିଛି।

ଅପରପକ୍ଷରେ ୩ବର୍ଷରୁ କମ୍‌ ସମୟ ମଧ୍ୟରେ ଆଦାନୀ ଗ୍ରୁପ୍‌ର ୭ଟି ସୂଚୀବଦ୍ଧ କମ୍ପାନୀ ନିବେଶକଙ୍କ ସମ୍ପତ୍ତି ୧୮.୭ ଲକ୍ଷ କୋଟି ଟଙ୍କା ବଢାଇଛି। ୨୦୧୯ ଶେଷ ବେଳକୁ ଉକ୍ତ କମ୍ପାନୀଗୁଡିକର ମୋଟ ବଜାର ପୁଞ୍ଜି ୨ଲକ୍ଷ କୋଟି ଟଙ୍କା ଥିଲା। ଏହାପରେ ପ୍ରତି ମାସରେ ପ୍ରାୟ ୫୬,୭୦୦ କୋଟି ଟଙ୍କାର ଆୟ କରିଛି। ନିକଟରେ ଅମ୍ବୁଜା ଏବଂ ଏସିସି ସିମେଣ୍ଟର ମାଲିକାନା ହାସଲ ପୂରା ହେବା ପରେ ଆଦାନୀ ଗ୍ରୁପ୍‌ ଟାଟା ଗ୍ରୁପ୍‌କୁ ପଛରେ ପକାଇବାରେ ସଫଳ ହୋଇଛି। ଏହି ଦୁଇ କମ୍ପାନୀର ଅଧିଗ୍ରହଣ ପରେ ଆଦାନୀ ଗ୍ରୁପ୍‌ର ମୋଟ ମାର୍କେଟ୍‌ କ୍ୟାପ୍‌ ୨୨.୨୭ ଲକ୍ଷ କୋଟି ଟଙ୍କା ହୋଇଯାଇଛି।

Share