BJPକୁ ବଡ଼ ଝଟକା! ଦଳ ଛାଡିଲେ ଏହି ଅଭିନେତା, ମଞ୍ଚ ଉପରୁ ଘୋଷଣା କରି ଚମକାଇଦେଲେ

ତିରୁଭାନନ୍ତପୁରମ୍‌,୧୬।୮: କେରଳରେ ଭାଜପାକୁ ବଡ଼ ଝଟକା ଲାଗିଛି । ଅଭିନେତା ତଥା କେରଳ ଭାଜପାର ଉପାଧ୍ୟକ୍ଷ ଏସ୍‌. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ରବିବାର କନାଚିକୁଲଙ୍ଗରା ଦେବୀ ମନ୍ଦିରର ଏକ କାର୍ଯ୍ୟକ୍ରମରେ ଭାଷଣ ଶେଷ କରି ସେ ମଞ୍ଚରୁ ହିଁ ଏହି ଘୋଷଣା କରିଥିଲେ ।

ଇସ୍ତଫା ଘୋଷଣା କରି ଦେବନ କହିଛନ୍ତି ଯେ, ସେ ଶ୍ରୀ ନାରାୟଣ ଗୁରୁଙ୍କ ଆଦର୍ଶ ଓ ଚିନ୍ତାଧାରା ଉପରେ ଆଧାରିତ ରାଜନୀତିରେ ବିଶ୍ୱାସ କରନ୍ତି । କିନ୍ତୁ ଭାଜପାରେ ପ୍ରାୟ ୫ ବର୍ଷ କାମ କରିବା ପରେ ତାଙ୍କର ରାଜନୈତିକ ଚିନ୍ତାଧାରା ଦଳର ରାଜନୀତିଠାରୁ ଭିନ୍ନ ବୋଲି ସେ ଅନୁଭବ କରିଛନ୍ତି। ମୋର ରାଜନୈତିକ ଚିନ୍ତାଧାରା ଅଲଗା ବୋଲି ମୋତେ ନିଶ୍ଚିତ ହୋଇଛି। ତେଣୁ ମୁଁ ଉପାଧ୍ୟକ୍ଷ ପଦ ସହ ବିଜେପିର ପ୍ରାଥମିକ ସଦସ୍ୟତା ମଧ୍ୟ ଛାଡ଼ୁଛି ବୋଲି କହିଛନ୍ତି ।

ଦେବନ କହିଛନ୍ତି ଯେ ସେ ୨୦୦୪ ଓ ୨୦୦୬ରେ ନିର୍ବାଚନ ଲଢ଼ିଥିଲେ, ହେଲେ ଉଭୟଥର ପରାଜିତ ହୋଇଥିଲେ । ଏହାପରେ ଭାଜପା ପାଇଁ ସକ୍ରିୟ ଭାବେ କାମ କରିବା ସହ ଅନେକ ପଦକ୍ଷେପ ନେଇଥିବା ସେ କହିଛନ୍ତି । ୨୦୨୪ରେ ତିରୁଭାନନ୍ତପୁରମ୍‌ରୁ ରାଜୀବ ଚନ୍ଦ୍ରଶେଖରଙ୍କ ବିଜୟରେ ତାଙ୍କ ଉଦ୍ୟମର ମଧ୍ୟ ଭୂମିକା ଥିବା ଦେବନ ଦାବି କରିଛନ୍ତି। ଦେବନଙ୍କ ଇସ୍ତଫା ଘୋଷଣାକୁ ନେଇ ଭାଜପା ନେତା ବି. ରାଧାକୃଷ୍ଣ ମେନନ ଅସନ୍ତୋଷ ପ୍ରକାଶ କରିଛନ୍ତି। ମନ୍ଦିର କାର୍ଯ୍ୟକ୍ରମ ଇସ୍ତଫା ଘୋଷଣା ପାଇଁ ଉପଯୁକ୍ତ ମଞ୍ଚ ନଥିଲା ବୋଲି ସେ କହିଛନ୍ତି।

ଏସ୍‌. ଦେବନ ପ୍ରଥମେ ‘କେରଳ ପିପୁଲ୍ସ ପାର୍ଟି’ ଗଠନ କରି ରାଜନୀତିରେ ପ୍ରବେଶ କରିଥିଲେ । ୨୦୨୦ରେ ଏହାର ନାମ ‘ନବ କେରଳ ପିପୁଲ୍ସ ପାର୍ଟି’ କରାଯାଇଥିଲା। ୨୦୨୧ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ ବୈଠକ ପରେ ଭାଜପାରେ ମିଶିଥିଲା। ଏହାପରେ ଦେବନଙ୍କୁ କେରଳ ଭାଜପାର ଉପାଧ୍ୟକ୍ଷ ଦାୟିତ୍ୱ ମିଳିଥିଲା।

 

Dharitri – Odisha’s No.1 Odia Daily

Share