Categories: ଖେଳ

ରୋନାଲ୍ଡୋଙ୍କ ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ଚର୍ଚ୍ଚା

ଜୁଭେଣ୍ଟସ, ୨୫।୫ : ବିଶ୍ୱର ଅନ୍ୟତମ ଲୋକପ୍ରିୟ ଫୁଟ୍‌ବଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ଇଟାଲିର ସିରି ଏ’ କ୍ଲବ ଜୁଭେଣ୍ଟସ ଛାଡ଼ିପାରନ୍ତି। ୩୬ ବର୍ଷୀୟ ରୋନାଲ୍ଡୋଙ୍କ ଚୁକ୍ତିରେ ଆହୁରି ଗୋଟିଏ ବର୍ଷ ଅଛି। ଏହାସତ୍ତ୍ୱେ ରୋନାଲ୍ଡୋ ଜୁଭେଣ୍ଟସ ଛାଡ଼ିବା ନେଇ ଗଣମାଧ୍ୟମରେ ଚର୍ଚ୍ଚ ଆରମ୍ଭ ହୋଇଯାଇଛି। ଏହି ଚର୍ଚ୍ଚ ପଛର କାରଣ ରୋନାଲ୍ଡୋଙ୍କ ଇନଷ୍ଟାଗ୍ରାମ ପୋଷ୍ଟ।

”ଚଳିତ ବର୍ଷ ଆମେ ସିରି ଏ’ ଟାଇଟଲ ଜିତିପାରିଲୁ ନାହିଁ। ଚାମ୍ପିୟନ ଇଣ୍ଟର ମିଲନକୁ ଶୁଭେଚ୍ଛା। ଇଟାଲିଆନ ସୁପର କପ୍‌, ଇଟାଲିଆନ କପ୍‌ ଓ ସିରି ଏ’ ଲିଗ୍‌ରେ ସର୍ବାଧିକ ଗୋଲ ସ୍କୋରର ଟ୍ରଫି ମୋତେ ଖୁସି ଦେଇଛି। ଏହି ସବୁ ସଫଳତା ସହ ମୁଁ ଧାର୍ଯ୍ୟ କରିଥିବା ଲକ୍ଷ୍ୟ ପୂରଣ ହୋଇଛି। ଜୁଭେଣ୍ଟସ ସହ ଯୋଡ଼ି ହେବାର ପ୍ରଥମ ଦିନ ଚାମ୍ପିୟନଶିପ୍‌, କପ୍‌, ସୁପର କପ୍‌ ଜିତିବା ସହ ଶ୍ରେଷ୍ଠ ଖେଳାଳି ଓ ସର୍ବାଧିକ ଗୋଲ ସ୍କୋରର ହେବାକୁ ଲକ୍ଷ୍ୟ ରଖିଥିଲି। ଏଥି ଲାଗି ମୁଁ ସର୍ବଦା ଉଦ୍ୟମ କରେ। ଫୁଟ୍‌ବଲ ଫିଲ୍ଡରେ ଅନ୍ତିମ ଦିନ ପର୍ଯ୍ୟନ୍ତ ଏହା ମୁଁ ଜାରି ରଖିବି“ ବୋଲି ରୋନାଲ୍ଡୋ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଏହି ପୋଷ୍ଟ ଜରିଆରେ ରୋନାଲ୍ଡୋ ଜୁଭେଣ୍ଟସ କ୍ଲବ ଛାଡ଼ିବାକୁ ସୂଚନା ଦେଇଥିବା ଗଣମାଧ୍ୟକରେ ଚର୍ଚ୍ଚା ହେଉଛି। ତେବେ ଏହି ପୋଷ୍ଟ ଉପରେ ଜୁଭେଣ୍ଟସ କ୍ଲବ ପକ୍ଷରୁ କୌଣସି ମତ ରଖାଯାଇନାହିଁ। ଉଲ୍ଲେଖଯୋଗ୍ୟ, କ୍ରମାଗତ ୯ ଚାମ୍ପିୟନ ହେବା ପରେ ଜୁଭେଣ୍ଟସ ସିରି ଏ’ ଟାଇଟଲ ହାତଛଡ଼ା କରିଛି।

Share