ସ୍କୁଲରୁ ସିସିଟିଭି ଚୋରି କରି ଜେଲ୍‌ ଗଲେ ଅଭିଯୁକ୍ତ

ବଡ଼ବିଲ,୨୩ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ କଳିଙ୍ଗନଗର ହାଇସ୍କୁଲରୁ ସିସି କ୍ୟାମେରା ଚୋରି ଅଭିଯୋଗରେ ପୋଲିସ ବୁଧବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରି କ୍ୟାମେରା ଜବତ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ କଳିଙ୍ଗନଗର ଅଞ୍ଚଳର ଅଭିଜିତ୍‌ ରାଉତ।

ମିଳିଥିବା ସୂଚନାନୁଯାୟୀ, ଗତ ୧୮ ତାରିଖ ରାତିରେ ସ୍କୁଲରେ ଲାଗିଥିବା ସିସି କ୍ୟାମେରା ଚୋରି ହୋଇଥିବା ନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବଡ଼ବିଲ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ବଡ଼ବିଲ ଥାନା କେସ୍‌ ନଂ ୩୫ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଥିଲା। ବୁଧବାର ପୋଲିସ ଚୋରି ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଅଭିଜିତ୍‌ଙ୍କୁ ଗିରଫ କରିବା ସହ ସିସି କ୍ୟାମେରା ଜବତ କରିବାରେ ସକ୍ଷମ ହୋଇଥିବା ବଡ଼ବିଲ ଥାନା ଆଇଆଇସି ସୁଶାନ୍ତ ଦାଶ ସୁଚନା ଦେଇଛନ୍ତି। ଆଜି ସନ୍ଧ୍ୟାରେ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି।