୮ ମାସ ତଳେ କରିଥିଲେ ବିବାହ, ଯୌତୁକ ପାଇଁ ମାରିଦେଲେ ଶାଶୁଘର ଲୋକେ, ଅଭିଯୋଗ ଆଣିଲେ ବାପଘର

ନିରାକାରପୁର,୨୭ା୧(ମାନସ ଚନ୍ଦ୍ର ପଟ୍ଟନାୟକ): ବାହାଘରକୁ ବର୍ଷଟିଏ ବି ପୂରିନି। କିନ୍ତୁ ଯୌତୁକ ଜୁଇରେ ଜଳିଲାଣି ନବବଧୂର ଚିତା। ଶାଶୁଘର ପକ୍ଷରୁ ଅଧିକ ଯୌତୁକ ଦାବି କରି ମୋ’ ଝିଅକୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଇ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ନିରାକାରପୁର ଥାନା ନୂଆଗଡ଼ ପଞ୍ଚାୟତ ଅଧିନସ୍ଥ ହରିପୁର ଗ୍ରାମର ଶରତ ଦାସ।

ଶରତଙ୍କ ଲିଖିତ ଅଭିଯୋଗ ଅନୁଯାୟୀ, ତାଙ୍କ ସାନଝିଅ ଟୁନି ଦାସ (୨୫)ଗତ ୮ମାସ ତଳେ ଜଙ୍କିଆ ଥାନା ଅଧିନସ୍ଥ ଓରବରସିଂ ପଞ୍ଚାୟତ ଅଧିନସ୍ଥ କୃଷ୍ଣପୁର ଗ୍ରାମର ବଳରାମ ସୁନ୍ଦରାୟଙ୍କ ବଡ଼ପୁଅ ବିକାଶ ସୁନ୍ଦରାୟଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ପୂର୍ବରୁ ଦାବି ମୁତାବକ ଯାନି ଯୌତୁକ ସବୁ ଦିଆଯାଇଥିଲା ସବୁ କିଛି ଠିକ୍‌ଠାକ୍‌ ଥିଲା। ହେଲେ ବିକାଶ ନିଜର କର୍ମକ୍ଷେତ୍ର ବେଙ୍ଗାଲୁରୁ ଚାଲିଯିବା ପରେ ଶାଶୁ ଓ ନଣନ୍ଦଙ୍କ କଷଣ ଆରମ୍ଭ ହୋଇଯାଇଥିଲା। ଅଧିକ ଯୌତୁକ ଦାବି ସହ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦିଆଯାଉଥିଲା। ଏପରିକି ଜ୍ୱାଇଁ ସହିତ ମୋବାଇଲରେ କଥା ହେବା ଛାଡ଼ ନିଜ ମା’ ସହିତ ମଧ୍ୟ କଥା ହେବାକୁ ସୁଯୋଗ ଦେଉ ନ ଥିଲେ। କଥା କଥାକେ ଯନ୍ତ୍ରଣା ଦେବାକୁ ପଛାଉ ନ ଥିଲେ ଗୁରୁବାର ରାତି ୯ଟାରେ ସେ ମୋବାଇଲ ଯୋଗେ ତା’ ମା’ଙ୍କୁ ମୋ’ ଜୀବନ ପ୍ରତି ବିପଦ ଥିବା କାନ୍ଦିକରି ମଧ୍ୟ କହିଥିଲା। ହେଲେ ଆଜି ସକାଳୁ ତୁମ ଝିଅ ପଡ଼ିଯାଇ ଅଚେତ ହୋଇଯାଇଛି। ଆମେ ମେଡିକାଲ ନେଇଛୁ ବୋଲି ଶାଶୁଘରୁ ଫୋନ୍‌ ଆସିଥିଲା। ଆମେ ମେଡିକାଲରେ ପହଞ୍ଚି ଆମ ଝିଅର ମୃତଦେହ ଥିବା ଦେଖିବାକୁ ପାଇଥିଲୁ। ଶାଶୁ ଓ ନଣନ୍ଦ ଅଧିକ ଯୌତୁକ ଦାବିକରି ମୋ ’ଝିଅକୁ ଜୀବନରେ ମାରିଦେଇଥିବା ସେ ଜଙ୍କିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଶରତଙ୍କ ଲିଖିତ ଅଭିଯୋଗକୁ ଭିତ୍ତିକରି ଜଙ୍କିଆ ଥାନାରେ ୪୦/୨୪ରେ ଏକ ମାମଲା ରୁଜୁ କରାଯାଇଛି।

ଅନ୍ୟପକ୍ଷରେ ମୃତଦେହ ବ୍ୟବଚ୍ଛେଦ ପରେ ମୃତଦେହ ସ୍ବାମୀଙ୍କୁ ହସ୍ତାନ୍ତର କରାଯାଇଛି। ତଦନ୍ତ ଚାଲିଛି। ପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଙ୍କିଆ ଥାନା ଅଧିକାରିଣୀ ପ୍ରଜ୍ଞାଋ଼ତୁମ୍ଭରା କର ସୂଚନା ଦେଇଛନ୍ତି।