ଶେଷରେ ଗିରଫ ହେଲେ ଏକାଧିକ ଅବକାରୀ ମାମଲା ରହିଥିବା ଅଭିଯୁକ୍ତ

ନିଶ୍ଚିନ୍ତକୋଇଲି,୨୫।୨(ସ୍ବ.ପ୍ର.): କଟକ ଜିଲା ଅବକାରୀ ବିଭାଗର ଏକ ସ୍ବତନ୍ତ୍ର ଦଳ ନିଶ୍ଚିନ୍ତକୋଇଲି ଅବକାରୀ ଥାନା ଅଧିନସ୍ଥ ନତକାଇ ପଞ୍ଚାୟତ ଏକରୁଖୀ ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘର ଉପରେ ଚଢ଼ାଉ କରି ୨୪ କିଲୋ ଗଞ୍ଜେଇ ଜବତ କରିବା ସହ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଏକରୁଖୀ ଗ୍ରାମର ସାରେଇ ନିକଟରେ ଜଣେ ବ୍ୟକ୍ତି ଦୀର୍ଘଦିନ ହେବ ଚୋରା ଗଞ୍ଜେଇ ବେପାର ଚଳାଇ ଆସୁଥିଲେ। ସେ ଜିଲାର ବିଭିନ୍ନ ସ୍ଥାନକୁ ଗଞ୍ଜେଇ ଚାଲାଣ କରୁଥିଲେ। ଏନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ଅବକାରୀ ବିଭାଗ ଚଢ଼ାଉ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଫଳରେ ଅବକାରୀ କମିଶନର ଆଶିଷ ସିଂହଙ୍କ ନିର୍ଦ୍ଦେଶ କ୍ରମେ କଟକ ଜିଲା ଅବକାରୀ ଡିଏସ୍‌ପି ଦେବାଶିଷ ପଟେଲଙ୍କ ନେତୃତ୍ୱରେ ଇନ୍ସପେକ୍ଟର ଅନିତା ପ୍ରଧାନ,ପ୍ରବୀର କୁମାର ସାମଲ,ରାଜଶେଖର ଜେନା ଓ ନିଶ୍ଚିନ୍ତକୋଇଲି ଅବକାରୀ ଥାନା ଅଧିକାରୀ ସଞ୍ଜିତ କୁମାର ବାଲାକୁ ନେଇ ଏକ ଟିମ୍‌ ଗଠନ କରାଯାଇଥିଲା। ଅବକାରୀ ବିଭାଗ ଏନେଇ ଏକ ମାଷ୍ଟର ପ୍ଲାନ ଗଠନ କରିଥିଲା। ଗୁରୁବାର ଅବକାରୀ ବିଭାଗର ଟିମ୍‌ ସକାଳୁ ଏକାରୁଖୀ ଗ୍ରାମର ଶରତ ଲେଙ୍କା(୫୦)ଙ୍କ ଘର ଉପରେ ଚଢ଼ାଉ କରିଥିଲା। ତାଙ୍କ ଘରୁ ୨୪କେଜି ଗଞ୍ଜେଇ ଜବତ କରିଥିଲା। ଏନେଇ ନିଶ୍ଚିନ୍ତକୋଇଲି ଥାନାରେ ୩୯/୨୧ରେ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ଶରତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଥିବା ଇନ୍ସପେକ୍ଟର ଅନିତା ପ୍ରଧାନ ପ୍ରକାଶ କରିଛନ୍ତ। ସୂଚନାଥାଉ କି, ଶରତଙ୍କ ନାମରେ ଏକାଧିକ ଅବକାରୀ ମାମଲା ରହିଥିବା ଅବକାରୀ ବିଭାଗ ସୂଚନା ଦେଇଛି।