ଖୋର୍ଦ୍ଧା,୧୩ା୮(ପ୍ରଭାତ ପାଣିଗ୍ରାହୀ): ସଦରଥାନା ଅନ୍ତର୍ଗତ ନିଜିଗଡ଼ ତାପଙ୍ଗଗଡ଼ ସାହିରେ ଗର୍ଭବତୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଶାଶୁଘର ପରିବାରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ମୃତକାଙ୍କ ମାଆ ଭାନୁମତି ଦେଇ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ସ୍ବାମୀଙ୍କୁ ଅଟକ ରଖିଛି।
ଅଭିଯୋଗ ଅନୁସାରେ, ନିରାକାରପୁର ଥାନା ଯାଜପୁର ଗ୍ରାମର କଣ୍ଡୁରୀ ମହତରାୟଙ୍କ ଝିଅ ଅହଲ୍ୟା(୨୪) ନିଜିଗଡ଼ ତାପଙ୍ଗର ରଘୁନାଥ ପାହାନ୍ତାସିଙ୍ଗ ପୁଅ ସର୍ବେଶ୍ୱରଙ୍କୁ ଗତ ଫେବୃୟାରୀ ୧୦ ତାରିଖରେ ବିବାହ କରିଥିଲେ। ସେ ୬ ମାସର ଗର୍ଭବତୀ ଅଛନ୍ତି । ବାହାଘର ସମୟରେ ସମସ୍ତ ଯୌତୁକ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଅଧିକ ଦାବି କରି ମାନସିକ ଶାରୀରିକ ନିର୍ଯାତନା ଦେଉଥିଲେ।

ମୃତାଙ୍କ ବଡ଼ ବାପା ମେରୁଚରଣ ମହତରାୟ କୁହନ୍ତି, ରବିବାର ଅପରାହ୍ନରେ ଜ୍ୱାଇଁ ଫୋନ୍ କରି କହିଲେ ଝିଅର ଦେହ ଖରାପ ଅଛି, ମେଡିକାଲରେ ଭର୍ତ୍ତି କରାଯାଇଛି। ଖବରପାଇ ଆମେ ପହଞ୍ଚିବା ବେଳେ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଶ୍ବଶୁର ଘର ପରିବାର ଫେରାର ହୋଇଯାଇଥିଲେ। ପରେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛୁ। ଝିଅକୁ ହତ୍ୟା କରାଯାଇଛି। ଏଥିରେ ଶ୍ୱଶୁର, ଜ୍ବାଇଁ, ଶାଶୁ, ନଣଦ, ନଣଦେଇ, ଦିଅରଙ୍କ ନାଁରେ ଅଭିଯୋଗ କରାଯାଇଛି। ଏନେଇ ଯାଜପୁର ଗ୍ରାମର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଏକାଧିକ ମହିଳା ଏହାର ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।


