ଛାତ୍ରୀଙ୍କୁ ଅପହରଣ ସହ ବଳାତ୍କାର ମାମଲା: ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୩ା୪: ସ୍ବତନ୍ତ୍ର ପୋକ୍ସୋ ଜଜ୍‌ ପ୍ରଭାତ କୁମାର ରାଜଗୁରୁ ଜନୈକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ପ୍ରମାଣ ଅଭାବରୁ ସେ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ସେ ହେଉଛନ୍ତି ସଦର ଥାନା ଅନ୍ତର୍ଗତ ଜଗଦଳପୁରର ଡି.ଟୁକୁନା ଓରଫ ମୁକେଶ(୨୨)। ଏନେଇ ମୁଦୁଲାଙ୍କ ଓକିଲ କୃଷ୍ଣ ପ୍ରାସଦ ପଟ୍ଟନାୟକଙ୍କଠାରୁ ସୂଚନା ମିଳିଛି।

ଘଟଣାରୁ ପ୍ରକାଶ ଯେ , ୨୦୨୨ ଏପ୍ରିଲ ୨୬ରେ ଜଣେ ଯୁକ୍ତ ଦୁଇ ଛାତ୍ରୀ ପରୀକ୍ଷା ଦେବା ପାଇଁ କଲେଜ ଯାଇଥିଲେ। ସନ୍ଧ୍ୟାସୁଦ୍ଧା ସେ ଘରକୁ ଫେରି ନ ଥିଲେ। ପରେ ତାଙ୍କ ମା’ ଏନେଇ ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏ ସଂକ୍ରାନ୍ତରେ ୧୦୧/୨୨ ରେ ଏକ ମାମଲା ରୁଜୁ କରିଥିଲା। ଘଟଣାର ଅନୁସନ୍ଧାନ କରି ନାବାଳିକା ଛାତ୍ରୀଙ୍କୁ ଖୋର୍ଦ୍ଧା ଜିଲାର ଜଙ୍କିଆ ଅଞ୍ଚଳରୁ ପୋଲିସ ଉଦ୍ଧାର କରିଥିଲା। ଏପରିକି ଅଭିଯୁକ୍ତ ଟୁକୁନାଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତଦନ୍ତକାରି ଅଧିକାରୀ ଜୟଶ୍ରୀ ସାହୁ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିଥିଲେ। ପରେ ଟୁକୁନା ଜାମିନରେ ଛାଡ଼ ପାଇଥିଲେ। ମାମଲାର ବିଚାରଣା ବେଳେ ୫ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ରାୟ ପ୍ରକାଶ ବେଳେ ଟୁକୁନାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ସାକ୍ଷୀମାନଙ୍କ ବୟାନକୁ ଆଧାର କରି ଉପଯୁକ୍ତ ପ୍ରମାଣ ମିଳି ନ ଥିବାରୁ ଜଜ୍‌ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି।