ମରଣଯନ୍ତା ପାଲଟିଛି ରାସ୍ତା, ପ୍ରତିଦିନ ଘଟୁଛି ଦୁର୍ଘଟଣା

କର୍ଲାମୁଣ୍ଡା,୨୫।୧୧(ଡି.ଏନ.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ପଲମ ଛକଠାରୁ ବେଲଖଣ୍ଡି ପର୍ଯ୍ୟନ୍ତ ପ୍ରଶସ୍ତୀକରଣ ପାଇଁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ହେଲେ ଉକ୍ତ ରାସ୍ତା ଦେଇ ଯାତାୟାତ କରୁଥିବା ଲୋକେ ପ୍ରତିଦିନ ଦୁର୍ଘଟଣା ଶିକାର ହେଉଥିବା ଅଭିଯୋଗ ହେଉଛି। ରାସ୍ତାରେ ମେଟାଲ ବିଛେଇ ନିର୍ମାଣ କାର୍ଯ୍ୟର ଅଗ୍ରଗତି ହେଉ ନ ଥିବାରୁ ଲୋକେ ଅସୁବିଧା ଭୋଗ କରୁଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଯେ, ନର୍ଲା ବ୍ଲକର ପଲମ ଛକଠାରୁ କେସିଙ୍ଗା ବ୍ଲକ ବେଲଖଣ୍ଡି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଠିକାଦାର ଜରିଆରେ ଦୀର୍ଘ ଦିନରୁ କାର୍ଯ୍ୟ ଆରମ୍ଭ ହୋଇଛି। ଏ ନେଇ ବିଭାଗୀୟ ଯନ୍ତ୍ରୀ ସଞ୍ଜୟ କୁମାର ମଢେଇଙ୍କୁ ପଚାରିବାରୁ ଆଜିଠୁଁ ରାସ୍ତାରେ ପାଣି ସିଞ୍ଚନ କାର୍ଯ୍ୟ ଆରମ୍ଭ ହୋଇଛି। ଶୀଘ୍ର କାମ ସାରିବାକୁ ଚେଷ୍ଟା ଚାଲିଛି ବୋଲି କହିଛନ୍ତି। ତେବେ ଉକ୍ତ ବିଭାଗ ପକ୍ଷରୁ କର୍ଲାମୁଣ୍ଡା ବ୍ଲକ ଝାରମୁଣ୍ଡାଠାରୁ ରିଷିଡା ରାସ୍ତା ମରାମତି କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ କର୍ଲାମୁଣ୍ଡା ବ୍ଲକରେ ଜିଲାପାଳଙ୍କ ଯୁଗ୍ମ ଶୁଣାଣି ଶିବିରରେ ଲୋକେ ଅଭିଯୋଗ କରିଥିଲେ। ବର୍ତ୍ତମାନ ସୁଦ୍ଧା କୌଣସି ତଦନ୍ତ ହୋଇ ନ ଥିବା ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ ଅଭିଯୋଗ କରିଛନ୍ତି।