ପୂର୍ତ୍ତ ବିଭାଗ ରାସ୍ତାରେ ଗାତ, ବଢୁଛି ଦୁର୍ଘଟଣା

ରାଇଘର, ୨୪।୧(ଡି.ଏନ୍‌.ଏ.) ନବରଙ୍ଗପୁର ଜିଲା ରାଇଘର ବ୍ଲକ ମୁଖ୍ୟରାସ୍ତାରୁ ଛତିଶଗଡ଼କୁ ସଂଯୋଗ କରୁଥିବା ରାସ୍ତାର ବିଭିନ୍ନ ଛକ ସ୍ଥାନ ଶୋଚନୀୟ। ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା ରାସ୍ତା ଉପରେ ବିଭାଗୀୟ ଅଧିକାରୀଙ୍କ ତଦାରଖ ଅଭାବରୁ ସାଧାରଣ ଜନତା ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ରାଇଘର-ଉମରକୋଟ ଓ ରାଇଘର-କୁନ୍ଦେଇ ରାସ୍ତାଘାଟ ବିପର୍ଯ୍ୟସ୍ତ ହୋଇଥିବା ନେଇ ଖବର ପ୍ରକାଶ ପରେ ଏହାର ମରାମତି ଉପରେ ପ୍ରଶାସନ ଗୁରୁତ୍ୱ ଦେଇଥିଲା। ରାଇଘର-ଉମରକୋଟ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ କୁନ୍ଦେଇ ରାସ୍ତାର ସମସ୍ୟା ଉପରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇନାହାନ୍ତି। ରାଇଘର ମୁଖ୍ୟରାସ୍ତାର ବ୍ଲକ କାର୍ଯ୍ୟାଳୟରୁ ଅଳ୍ପ ଦୂରରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହେବା ସହ ମାଉଁଳି ମନ୍ଦିର ନିକଟରେ ମଧ୍ୟ ବିପର୍ଯ୍ୟସ୍ତ ହୋଇପଡିଛି ରାସ୍ତା। ଲଗାତର ଦୁର୍ଘଟଣା ଘଟି ଅନେକ ଜୀବନ ନଷ୍ଟ ହେଉଛି। କିନ୍ତୁ ପ୍ରଶାସନ ଗଣମାଧ୍ୟମର ଅଭିଯୋଗକୁ ଗୁରୁତ୍ୱ ଦେଉନାହିଁ। ଏଥିସହ ଯୋଡ଼ିଙ୍ଗାରୁ ସୀମାନ୍ତ କୁନ୍ଦେଇ-ଖିଲଲି ମଧ୍ୟରେ ବିଭିନ୍ନ ଛକ ନିକଟରେ ବିରାଟ ଗର୍ତ୍ତ ସହ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ୪୦ ନମ୍ବର ରାଜ୍ୟ ରାଜପଥ ସହ ଛତିଶଗଡକୁ ସଂଯୋଗ କରୁଥିବା ଏହି ମୁଖ୍ୟରାସ୍ତା ଉପରେ ପ୍ରତ୍ୟେକ ସମୟରେ ଜନଗହଳି ସହ ଯାନବାହନ ଚଳାଚଳ କରୁଛି। ରାସ୍ତାଘାଟରେ ମଝି ମଝିରେ ଗର୍ତ୍ତ ସୃଷ୍ଟି ଯୋଗୁ ଦୁର୍ଘଟଣା ବଢିବାରେ ଲାଗିଛି। କିଛି ମାସ ପୂର୍ବେ ଗାତଗୁଡିକରେ ମେଟାଲ ପକାଇ ଚୁପ୍‌ ରହିଥିବା ପୂର୍ତ୍ତ ବିଭାଗ ବର୍ତ୍ତମାନ ଘଟଣାସ୍ଥଳରେ ତଦାରଖ କରିବାର ଆବଶ୍ୟକତା ରହିଛି। ଜିଲା ପ୍ରଶାସନ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଏ ନେଇ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ବିନୋଦ କୁମାର ବେହେରାଙ୍କୁ ପଚାରିବାରୁ ସମସ୍ୟାକୁ ଗୁରୁତ୍ୱ ଦେଇ ଅତିଶୀଘ୍ର ମରାମତି କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି।